କୋରାପୁଟ ୬।୩: ଏମିତି ବି ଆସେ ମୃତ୍ୟୁ । ହୋଲିରେ ପରିବାର ସହ ଖୁସି ମନାଇଲେ । ହେଲେ ସେ ଖୁସି ବେଶୀ ଦିନ ରହିଲାନି । ଘରୁ କାର୍ଯ୍ୟସ୍ଥଳକୁ ଫେରିବା ବେଳେ ଅଧାରାସ୍ତାରେ ଚାଲିଗଲା ଜୀବନ । ଯେମିତି ଟ୍ରେନ୍‌ରେ ଛକି ବସିଥିଲା ଯମ । ଅପେକ୍ଷା କରିଥିଲା ସେହି ମୁହୂର୍ତ୍ତକୁ । ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍‌ରୁ ମିଳିଛି ଯୁବକଙ୍କ ମୃତଦେହ । କୋରାପୁଟ ଷ୍ଟେସନରେ ଟ୍ରେନ୍‌ରୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର ।

ଏ ଖବର ବି ପଢ଼ନ୍ତୁ:- ଟ୍ରେନରେ ଯାତ୍ରା କରୁଥିଲେ ବିଚାରପତିଙ୍କ ସ୍ତ୍ରୀ, ବାଥରୁମରୁ ମିଳିଲା ମୃତଦେହ...ଷ୍ଟେସନରେ ଅପେକ୍ଷା କରିଥିଲେ ସ୍ୱାମୀ​​​​​​​

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା କଣ୍ଟିଲୋ ଅଞ୍ଚଳର ମନୀଷ ଦାସ ରାୟଗଡ଼ା ଟିକିରି ସ୍ଥିତ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ସେ ହୋଲି ଛୁଟିରେ ଘରକୁ ଆସିଥିଲେ । ଘର ପରିବାର ସହ ବେଶ୍ ହସଖୁସିରେ ହୋଲି ପାଳିଥିଲେ । ଛୁଟି ସରିବା ପରେ ସେ କାର୍ଯ୍ୟସ୍ଥଳକୁ ଫେରିଥିଲେ । ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ଭୁବନେଶ୍ୱରରୁ ଟିକିରି ପର୍ଯ୍ୟନ୍ତ ଟିକେଟ୍ କରିଥିଲେ । ଘର ଲୋକଙ୍କ ଠାରୁ ବିଦାୟ ନେଇ ସେ ଟିକିରି ଅଭିମୁଖେ ବାହାରିଥିଲେ । ହେଲେ କିଏ ଜାଣିଥିଲା ଅଧାରାସ୍ତାରେ ଛକି ବସିଥିଲା ଯମ । କୋରାପୁଟ ରେଲୱେ ଷ୍ଟେସନରେ ହୀରାଖଣ୍ଡ ଏକ୍ସପ୍ରେସ୍‌ର ଏସ୍‌-୩ ବଗିରୁ ଯୁବକ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ରେଲୱେ ଡାକ୍ତରୀ ଟିମ୍ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିବା ପରେ ରେଲୱେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।

​​​​​​​

ଏ ଖବର ବି ପଢ଼ନ୍ତୁ:- କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି, ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ 

ଜିଆରପି ପକ୍ଷରୁ ପରିବାରବର୍ଗଙ୍କୁ ଏ ସମ୍ପର୍କରେ ଖବର ଦିଆଯାଇଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଖବର ପାଇ ପରିବାରରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ।