ବାଲେଶ୍ବର: ଟଙ୍କା ନଦେବାରୁ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ରକ୍ତାକ୍ତ କରିବା ସହ ଟଙ୍କା ଲୁଟି ନେଲେ ୫ ଦୁର୍ବୃତ୍ତ। ପୋଲିସ ଏହି ମାମଲାର ତୁରନ୍ତ ତଦନ୍ତ କରି ୫ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ କଂଗ୍ରେସ ଅଫିସ ଗଳିରେ।

ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ଆରିଫ୍ ନାମକ ଜଣେ ଯୁବକ କୌଣସି କାମରେ କଂଗ୍ରେସ ଅଫିସ ଗଳି ଦେଇ ଯାଉଥିଲେ। ଏହି ସମୟରେ ବାଟରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ। ଆରିଫ୍ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉତ୍କ୍ଷିପ୍ତ ହୋଇ ଏକ ଖଣ୍ଡାରେ ତାଙ୍କ ହାତ, ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲେ। ଏହା ସହ ତାଙ୍କ ପକେଟରୁ ୮୫୦୦ ଟଙ୍କା ଛଡ଼ାଇ ଫେରାର ହୋଇଯାଇଥିଲେ।

ତେବେ ଗୁରୁତର ଆହତ ଅବସ୍ଥାରେ ଆରିଫଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Also Read: ଆଗପଛ ହେଉଥିଲା ସେନ୍ସର କାର୍, ମାଲିକ ପାଖକୁ ଯିବା ବେଳକୁ ଦ୍ରୁତଗତିରେ ଗାୟବ

ସେପଟେ ଆରିଫଙ୍କ ବାପାଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୫ଟି ବିଭିନ୍ନ ବ୍ରାଣ୍ଡର ମୋବାଇଲ୍ ଫୋନ୍, ଦୁଇଟି ମୋଟରସାଇକେଲ, ଅପରାଧରେ ବ୍ୟବହୃତ ଗୋଟିଏ ଖଣ୍ଡା ଏବଂ ନଗଦ ୪୯୦୦ ଟଙ୍କା ଜବତ ହୋଇଛି।