ଭୁବନେଶ୍ବର ୫।୯: ଗାଡ଼ି ଚାବି ମାଲିକଙ୍କ ପକେଟରେ। ମାତ୍ର ଗାଡି ଗଡୁଛି ରାସ୍ତାରେ। ଦୋକାନରେ ବସି ମାଲିକ ଦେଖୁଛନ୍ତି ଗାଡି ହେଉଛି ଆଗ ପଛ। ହେଲେ ବୁଝିପାରୁ ନାହାନ୍ତି ହେଉଛି କ’ଣ। ଗାଡି ପାଖକୁ ଆସିଲା ବେଳକୁ ଦ୍ରୁତଗତିରେ ଗାଡି ପାର। ସେ ପୁଣି ସେନ୍ସର ଗାଡି। ମାଲିକ କିଛି ବୁଝିବା ଆଗରୁ ଜଣାପଡୁଛି ଯେ, ଗୋଟେ ନୁହେଁ ଦୁଇ ଦୁଇଟି ଗାଡି ରାସ୍ତାରେ ନାହିଁ। ତାଠାରୁ ବଡ କଥା ହେଉଛି ଗୋଟେ ଦାମୀ କାର କଳିଙ୍ଗଷ୍ଡୁଟିଓ ଛକରୁ ଅନ୍ୟଟି ଲିଙ୍ଗିପୁରରୁ ଉଦ୍ଧାର ହୋଇଛି । ଏଭଳି ଘଟଣା ଘଟିଛି ଶ୍ରୀ ଲିଙ୍ଗରାଜ ଥାନା ଅନ୍ତର୍ଗତ ଗ୍ୟାରେଜ ଛକ ନିକଟରେ । ଆପଣଙ୍କୁ ଲାଗୁଥିବ ପୁରା ଫିଲ୍ମ ଷ୍ଟାଇଲ। ସେନ୍ସର ଗାଡି ମନକୁ ମନ ଲକ୍ ଖୋଲି ରାସ୍ତାରେ ଗଡୁଛି ବିନା ଚାଳକରେ। ନାଇଁ ଆଜ୍ଞା ଗାଡି ହୋଇଛି ଚୋରି। ଚୋର ବିନା ଚାବିରେ ଦୁଇ ଦୁଇଟି ଗାଡି ଚୋରି କରି ନେଇଛନ୍ତି।

ଏନେଇ ଶ୍ରୀ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି ବିକାଶ ପାତ୍ର। ତାଙ୍କ କହିବା ଅନୁସାରେ, ସେ ଶୁକ୍ରବାର ଅପରାହ୍ନ ପ୍ରାୟ ୫ଟା ୧୦ ମିନିଟ୍ ସମୟରେ ନିଜ ଦୋକାନରେ ବସିଥିଲେ। ହଠାତ୍ ଦେଖିଲା ବେଳକୁ ତାଙ୍କ ଇଭି କାର୍‌ଟି ଆଗ ପଛ ହେଉଛି। ଗାଡି ହଲୁଛି କାହିଁକି ସେ ପାଖକୁ ଗଲାବେଳକୁ କାରଟି ସ୍ପିଡରେ ଆଗକୁ ମାଡି ଚାଲିଲା। ସେ ସ୍କୁଟିରେ ମଧ୍ୟ କିଛି ବାଟ ଗୋଡାଇଲେ ମାତ୍ର, କାରକୁ ଧରିପାରିଲେ ନାହିଁ। ସେ ଫେରି ଆସି ଦେଖନ୍ତି ତାଙ୍କର ଅନ୍ୟ ଏକ କାର ମଧ୍ୟ ରାସ୍ତାରେ ନାହିଁ। ତେବେ ସେ ବାହାରକୁ ବାହାରିବାର ଥିବାରୁ ରାସ୍ତାରେ ଦୁଇଟି ଯାକ ଗାଡି ପାର୍କିଂ କରିଥିଲେ। ଏକାଥରକେ ଦୁଇଟି ଗାଡି ଗାୟବ ହୋଇଯିବା ଦେଖି ସେ ତୁରନ୍ତ ଥାନାକୁ ଜଣାଇଥିଲେ। ପୋଲିସ ଏବଂ ମାଲିକଙ୍କ ଟ୍ରାକିଂରୁ ଗାଡି ଦୁଇଟି କେଉଁଠି ଅଛି ଜଣାପଡିଥିଲା। ଶୁକ୍ରବାର ରାତିରେ ଇଭି ଗାଡିକୁ ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗଷ୍ଟୁଡିଓ ଛକରୁ ଏବଂ ଅନ୍ୟ କାରଟି ଲିଙ୍ଗିପୁରରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

Also Read:- ନିର୍ଦ୍ଧାରଣ ହେଲା ନୂଆଁଖାଇ ଲଗ୍ନ, ସକାଳ ୯:୪୦ରୁ ୯:୫୪ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ଠାରେ ଲାଗିବ ନବାନ୍ନ

ଏନେଇ ସେ ତାଙ୍କ ପୂର୍ବ ଚାଳକଙ୍କୁ ସନ୍ଦେହ କରି ତାଙ୍କ ବିରୋଧରେ ଥାନରେ ଅଭିଯୋଗ କରିଛନ୍ତି। ସେ କହିବା କଥା, ପୂର୍ବରୁ ତାଙ୍କର ଯିଏ ଚାଳକ ଥିଲେ ତାଙ୍କୁ ବର୍ଷେ ହେବ ବାହାର କରି ଦେଇଥିଲେ। ସେ ନିଶାସକ୍ତ ରହୁଥିବାରୁ ତାଙ୍କୁ ବାହାର କରି ଦିଆଯାଇଥିଲା। ସେ ବି ଶୁକ୍ରବାର ଘର ପାଖରେ ବୁଲୁଥିବାର ସେ ଦେଖିଛନ୍ତି। ତେବେ ସେ ଜଣକର ଏ କାମ ହୋଇପାରିବନି। ସେନ୍ସର ଗାଡିକୁ ଚୋରାଇବାକୁ ହେଲେ ଟେକନିସିଆନଙ୍କର ଆବଶ୍ୟକତା ରହିଛି। ଟେକ୍ନିକାଲ ପିଲା ନହେଲେ ଚୋରି କରିପାରିବେ ନାହିଁ। ତେଣୁ ଗାଡି ଚୋରି ପାଇଁ ନିହାତି ଏକ ଗ୍ୟାଙ୍ଗ କାମ କରୁଛି। ଏହାସହ ଆଗକୁ ପାର୍ବଣ ଆସୁଥିବାରୁ ରାଜଧାନୀରେ ଗାଡି ଚୋରଙ୍କର ଆର୍ବିଭାବ ହେଲାଣି ବୋଲି କୁହାଯାଉଛି। ଅନ୍ୟପଟେ ପୋଲିସ ସମସ୍ତ ସିସିଟିଭି ଫୁଟେଜକୁ ଆଧାର କରି ଚୋରକୁ ଧରିବାକୁ ତଦନ୍ତ ଆରମ୍ଭ କରିଛି।

​​​​​​​Watch Video: