ନୂଆଦିଲ୍ଲୀ ୨୩।୧୦; ରାଜସ୍ଥାନର ଜୟପୁର ଗ୍ରାମୀଣ ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ କାର୍ ରାସ୍ତାକଡ଼ର ଖାଲକୁ ଖସିପଡ଼ିବାରୁ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମନୋହରପୁର-ଦୌସା ରାଜପଥରେ ଜମୱାରାମଗଡ଼ ଅଞ୍ଚଳର ରାଇସାର ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, କାର୍ଟି ମନୋହରପୁରରୁ ଦୌସା ଅଭିମୁଖେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଖାଲ ମଧ୍ୟକୁ ଖସିପଡ଼ିଥିଲା। ଦୁର୍ଘଟଣା ପରେ କାର୍ ଭିତରେ ଯାତ୍ରୀମାନେ ଫସି ରହିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ଏକ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା। ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ମୃତକଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ସେହିପରି ଅନ୍ୟ ଏକ ସଡ଼କ ଦୁର୍ଘଟଣାରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ଜୀବନ ଯାଇଛି। ଗୁରୁବାର ସନ୍ଧ୍ୟାରେ ଦାନ୍ତିୱାଡାରୁ ବାଲି ଅଭିମୁଖେ ମୋଟରସାଇକେଲରେ ଯାଉଥିବା ବେଳେ ଏକ ପୋଲ ଉପରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍-ଟ୍ରେଲର୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ମୃତଦେହକୁ ଶବଗୃହକୁ ପଠାଇ ଘଟଣାର ତଦନ୍ତ କରୁଛି।