ରାୟଗଡ଼ା: ରଜ ବେଳେ ପିକନିକ୍ କରିବାକୁ ଯାଇ ଦୁର୍ଘଟଣାରେ ଚାଲିଗଲା ଯୁବକର ଜୀବନ। ଯୁବକ ଜଣକ ହେଲେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁଳିପଦର ଗ୍ରାମର ଲକନାଥ ସାହୁଙ୍କ ପୁଅ ସାଗର ସାହୁ । ସେ କୋଲନରା ବ୍ଲକ ସ୍ଥିତ ଏକ ଘରୋଇ କୋଲଡ୍ରିଂକ୍ସ କମ୍ପାନୀରେ କାମ କରୁଥିଲେ।

ରଜ ପର୍ବ ହୋଇଥିବାରୁ ସେ ତାଙ୍କ କମ୍ପାନୀ ସାଙ୍ଗ ମାନଙ୍କ ସହ କାଶୀପୁର ବ୍ଲକକୁ ପିକନିକ୍ କରିବାକୁ ଯାଇଥିଲେ। ପିକ୍ ନିକ୍ ସାରି ଫେରିବା ସମୟରେ ଶିରିପାଇ ପଂଚାୟତ ମିନା ଖୁଣ୍ଟି ବ୍ରିଜ ପାଖରେ ଭାରସାମ୍ୟ ହରାଇ ୨ ଜଣ ସ୍କୁଟି ସହିତ ବ୍ରିଜ ତଳକୁ ଖସି ପଡିଥିଲେ।

ଏହା ପରେ ସାଗର ସାହୁଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲା ପରେ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଆହତ ଗୁଣୁପୁର ଅଞ୍ଚଳର ସୁନୀଲ ପ୍ରଧାନ ବୋଲି ଜଣାପଡ଼ିଥିବା ବେଳେ ତାଙ୍କୁ ପ୍ରଥମେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ନେବା ପରେ ଅଧିକ ଗୁରୁତର ଅବସ୍ଥାରେ ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।