ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଇସ୍ରାଏଲକୁ ଧମକ ଦେଇଛି ତେହେରାନ । କେନ୍ଦ୍ରୀୟ ତେହେରାନର ପାଲେଷ୍ଟାଇନ ସ୍କୋୟାରରେ ଏକ ବ୍ୟାନର ଲଗାଯାଇଛି, ଯେଉଁଥିରେ ଖୋଲା ଧମକ ଦିଆଯାଇଛି । ବ୍ୟାନରେ କୁହାଯାଇଛି, ଯଦି ଆଇଡିଏଫ୍ କିମ୍ବା ଆମେରିକୀୟ ସେନା ଇରାନ ଉପରେ ଆକ୍ରମଣ କରେ, ତେବେ ଇସ୍ରାଏଲ ଉପରେ ପ୍ରତିଶୋଧମୂଳକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରାଯିବ । ଉଲ୍ଲେଖନୀୟ ଯେ, ବ୍ୟାନରରେ ପୋଷ୍ଟ ହୋଇଥିବା ମାନଚିତ୍ରରୁ ଜେରୁଜେଲମ ନିଖୋଜ ଅଛି ।

ମ୍ୟାପରେ କେନ୍ଦ୍ରୀୟ ଇସ୍ରାଏଲକୁ ଦର୍ଶାଯାଇଛି, ଯେଉଁଥିରେ ପ୍ରମୁଖ ଲକ୍ଷ୍ୟସ୍ଥଳଗୁଡ଼ିକୁ ଉଲ୍ଲେଖ କରାଯାଇଛି । ବେନ୍-ଗୁରିଅନ୍ ବିମାନବନ୍ଦର, ତେଲ ଅଭିଭରେ ଥିବା ଆଇଡିଏଫର କିରିଆ ଘାଟି ମୁଖ୍ୟାଳୟ, ହର୍ଜଲିଆ ନିକଟରେ ଗ୍ଲିଲୋଟ୍‌ରେ ଆଇଡିଏଫ୍ ଗୁପ୍ତଚର ନିର୍ଦ୍ଦେଶାଳୟର ଘାଟି ଏବଂ ଅନ୍ୟାନ୍ୟ ରଣନୈତିକ ସ୍ଥାନ । ବ୍ୟାନରରେ ରାଜନୈତିକ ବାର୍ତ୍ତା ସହିତ ମିସିଟାରୀ ଡେସ୍କରେ ଲାଲ ରଙ୍ଗର "ଫାୟାର" ବଟନ୍, ଏକ ଲଢ଼ୁଆ ଜେଟ୍, ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଏକ ରେଡିଓ ମଧ୍ୟ ନଜର ଆସୁଛି । ବ୍ୟାନରର ଶୀର୍ଷରେ "ତୁମେ ଆରମ୍ଭ କର ... ଆମେ ସମାପ୍ତ କରିବୁ" ଲେଖାଯାଇଛି।

​​​​​​​

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ପ୍ରସଙ୍ଗରେ କୌଣସି ବୟାନ ଜାରି କରିନାହାନ୍ତି । ତଥାପି, ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ସତର୍କତା ବଜାୟ ରଖିଛି । ଏହି ସପ୍ତାହରେ, ନେତାନ୍ୟାହୁ ଇରାନ ବିଷୟରେ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଆହୁରି ପଢନ୍ତୁ: ଖାମେନିଙ୍କୁ ଘାରିଛି ଏୟାର ଷ୍ଟ୍ରାଇକ୍ ଭୟ, ୩୭ ବର୍ଷରେ ପ୍ରଥମ ଥର ପାଇଁ ସେନା ଉତ୍ସବରେ ହେଲେନି ସାମିଲ

ଇରାନ ସହିତ ଏକ ପରମାଣୁ ଚୁକ୍ତି କରିବାକୁ ଆମେରିକା ଚାହୁଁଛି । ତେହେରାନ ୟୁରାନିୟମ ଗଚ୍ଛିତ ନକରିବା ପାଇଁ ରାଜି ହେବା ପାଇଁ ଆମେରିକା ଚାପ ପକାଉଛି । ଫେବ୍ରୁଆରୀ ୭ରେ ଆମେରିକୀୟ ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ, ଜାରେଡ୍ କୁଶନର ଏବଂ ଆମେରିକା କେନ୍ଦ୍ରୀୟ କମାଣ୍ଡର କମାଣ୍ଡର ବ୍ରାଡ୍ କୁପର ଆରବ ସାଗରରେ ୟୁଏସଏସ୍ ଆବ୍ରାହମ ଲିଙ୍କନ ପରିଦର୍ଶନ କରିଥିଲେ । ଟ୍ରମ୍ପ, ଇରାନ ଚାରିପାଖରେ ସାମରିକ ଶକ୍ତି ବଢାଇଛନ୍ତି । ଆମେରିକୀୟ ଦୂତାବାସ ମଧ୍ୟ ଏହାର ନାଗରିକମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ କହିସାରିଛି । ଏପରିକି ଆମେରିକୀୟ ନାଗରିକଙ୍କୁ ଗିରଫ କରାଯାଇପାରେ ବୋଲି ଚେତାବନୀ ଦେଇଛି ।