ନୂଆଦିଲ୍ଲୀ: ଆଶ୍ଵସ୍ତି ପାଇବା ଆଶାରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ କକରୋଚ୍ ଜନତା ପାର୍ଟି(CJP)ର ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା। ହେଲେ ନିୟମ ଉଲ୍ଲଂଘନ ନେଇ ଉଭୟଙ୍କୁ ଖୁବ ଭର୍ତ୍ସନା କରିଛନ୍ତି ଉଚ୍ଚ ନ୍ୟାୟାଳୟ। ଅଦାଲତ ଉଭୟଙ୍କୁ ଜେନ ଜି ନୁହେଁ ବୋଲି କହିଛନ୍ତି।

ସ୍ଵତନ୍ତ୍ର ବିଚାରପତି ସ୍ପଷ୍ଟ ଭାବେ କହିଛନ୍ତି ଯେ ଆପଣମାନେ କୌଣସି 'ଜେନ୍-ଜି' (Gen Z) ପିଢ଼ିର ପିଲା ନୁହନ୍ତି ଯେ ଯେତେବେଳେ ଯାହା ଇଚ୍ଛା କରିବେ ଏବଂ ସିଧାସଳଖ ଉପର କୋର୍ଟକୁ ଚାଲିଆସିବେ। ଆଇନଗତ ବ୍ୟବସ୍ଥା ଅନୁଯାୟୀ ପ୍ରଥମେ ସ୍ପେଶାଲ୍ ଏଗ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ କୋର୍ଟର କାର୍ଯ୍ୟଧାରାକୁ ସମ୍ମାନ ଦେଇ ସେଠାରେ ଅପେକ୍ଷା କରିବା ଉଚିତ୍ ଥିଲା ବୋଲି ଅଦାଲତ ମତ ଦେଇଛନ୍ତି।

Also Read: ଦିଲ୍ଲୀ ବିମାନବନ୍ଦରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅଟକ : ୩ ଘଣ୍ଟା ଧରି ଛାଡ଼ିଲେନି ଅଧିକାରୀ, ଲଗାଇଲେ ଫାଇନ୍ !

ଜଜ କହିଛନ୍ତି, ଆପଣ ବେଲ୍ ବଣ୍ଡ ଦେଲେ ଏବଂ ପୁଣି ଜନ୍ତର ମନ୍ତର ଯାଇ ସେଠାରେ ନିୟମର ଉଲ୍ଲଂଘନ କଲେ। ଜନ୍ତର ମନ୍ତର ମାମଲା ସଂପ୍ରତି ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ଏହା ଉପରେ ରହିତାଦେଶ ବି ଲାଗିନି। ତଥାପି ଆପଣ ସେଠାକୁ ଯାଉଛନ୍ତି, ବ୍ୟାରିକେଟ୍ ଡେଉଛନ୍ତି। କାହିଁକି ଆପଣଙ୍କ ସେଠାକୁ ଯିବାର ପ୍ରୟୋଜନ ଥିଲା। ଯଦି ଆପଣ ଏମିତି ନିୟମ ଉଲ୍ଲଂଘନ କରିବେ ତେବେ ୧୦-୨୦ ଜଣ ଲୋକ ସେଠାକୁ ଯାଇ ଧାରା ୧୬୪ ଭାଙ୍ଗିବାର ସମ୍ଭାବନା ଅଧିକ ରହିଛି।

ଏହି ମାମଲାରେ ଶୁଣାଣି କରି କୋର୍ଟ କେବଳ ନିୟମଗତ ତ୍ରୁଟି ଦର୍ଶାଇ ନାହାନ୍ତି, ବରଂ ବିଦେଶୀ ରାଷ୍ଟ୍ରମାନଙ୍କରେ ଚାଲିଥିବା ଅଶାନ୍ତି ଏବଂ ଆଜିର ସାମାଜିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାନ୍ତି ବଣ୍ଡର ଉଲ୍ଲଂଘନ ନେଇ ମଧ୍ୟ କଡ଼ା ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ଫ୍ରାନ୍ସରେ କେମିତି ହିଂସାତ୍ମକ ଆନ୍ଦୋଳନ ହେଉଛି ତାର ଉଦାହରଣ ଦେଇ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ଉପରେ ଖୁବ ବର୍ଷିଛନ୍ତି।