ନୂଆଦିଲ୍ଲୀ: ୟେମେନରେ ଇରାନ-ସମର୍ଥିତ ହୁତି ବିଦ୍ରୋହୀଙ୍କ ଆକ୍ରମଣ ବୃଦ୍ଧି ପାଇବା ପରେ ଯୁଦ୍ଧ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି।  ହିଂସା ଯୋଗୁଁ ପ୍ରାୟ ୫୦,୦୦୦ ନାଗରିକ ନିଜ ଘରଦ୍ୱାର ଛାଡ଼ି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ନୂତନ ସଂଘର୍ଷ ଲୋହିତ ସାଗର (Red Sea) ର ସାମୁଦ୍ରିକ ବାଣିଜ୍ୟ ପଥ ପ୍ରତି ମଧ୍ୟ ବଡ଼ ସଙ୍କଟ ସୃଷ୍ଟି କରିଛି।

ହୁତି ସେନାର ଘନଘନ ଆକ୍ରମଣ ଯୋଗୁଁ ହୋଦେଇଦା ଓ ମାରିବ୍‌ ଆଦି ଅଞ୍ଚଳରୁ ପ୍ରାୟ ୫୦,୦୦୦ ଲୋକ ସୁରକ୍ଷିତ ସ୍ଥାନକୁ ପଳାୟନ କରିଛନ୍ତି। ନିଜ ଭିଟାମାଟି ହରାଇଥିବା ଏହି ପରିବାରଗୁଡ଼ିକ ଖାଦ୍ୟ, ପାନୀୟ ଜଳ ଏବଂ ଜରୁରୀ ସ୍ୱାସ୍ଥ୍ୟସେବା ନପାଇ ଗମ୍ଭୀର ସଙ୍କଟ ଦେଇ ଗତି କରୁଛନ୍ତି।

ହୁତି ବିଦ୍ରୋହୀମାନେ ଲୋହିତ ସାଗର ଦେଇ ଗତି କରୁଥିବା ଅନ୍ତର୍ଜାତୀୟ ମାଲବାହୀ ଜାହାଜଗୁଡ଼ିକୁ ଟାର୍ଗେଟ୍‌ କରି ମିସାଇଲ୍‌ ଓ ଡ୍ରୋନ୍‌ ଆକ୍ରମଣ ଜାରି ରଖିଛନ୍ତି।ଏହି ବାଣିଜ୍ୟିକ ମାର୍ଗ ଅସୁରକ୍ଷିତ ହୋଇପଡ଼ିବା ଯୋଗୁଁ ବିଶ୍ୱସ୍ତରୀୟ ଜାହାଜ ଚଳାଚଳ ସଂସ୍ଥାଗୁଡ଼ିକ ଦୀର୍ଘ ଓ ବ୍ୟୟବହୁଳ ବିକଳ୍ପ ପଥ ଆପଣାଉଛନ୍ତି, ଯାହା ବ୍ୟବସାୟିକ ସାମଗ୍ରୀର ମୂଲ୍ୟ ବୃଦ୍ଧି କରୁଛି।

ଲୋହିତ ସାଗରରେ ସୁରକ୍ଷା ବଜାୟ ରଖିବା ପାଇଁ ଆମେରିକା ଏବଂ ତାର ସହଯୋଗୀ ସେନା ହୁତି ଆଡ୍ଡାଗୁଡ଼ିକ ଉପରେ ଯୁଦ୍ଧବିମାନ ଆକ୍ରମଣ ଜାରି ରଖିଛନ୍ତି। ହୁତି ବିଦ୍ରୋହୀଙ୍କୁ ଇରାନ ସାମରିକ ଓ ଆର୍ଥିକ ସହାୟତା ଯୋଗାଉଥିବା ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକ ଅଭିଯୋଗ ଆଣିଛନ୍ତି।