ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନୂଆଦିଲ୍ଲୀ ଗସ୍ତ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ତାଙ୍କର ସୁରକ୍ଷା ପାଇଁ ବ୍ୟବହୃତ ହେଉଥିବା ସ୍ୱତନ୍ତ୍ର ସରକାରୀ ଗାଡ଼ି ‘ହାଙ୍ଗକି N701’ (Hongqi N701) ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଗାଡ଼ି ସାଧାରଣ ଶୋ’ରୁମ୍‌ରେ ବିକ୍ରି ହୁଏ ନାହିଁ; ଏହାକୁ କେବଳ ଚୀନ୍‌ର ଶୀର୍ଷ ନେତୃତ୍ୱଙ୍କ ସୁରକ୍ଷା ଓ ସରକାରୀ ଗସ୍ତ ପାଇଁ ସ୍ୱତନ୍ତ୍ର ଭାବରେ ନିର୍ମାଣ କରାଯାଇଛି।  

​​​​​​​

ହାଙ୍ଗକି N701 ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

‘ହାଙ୍ଗକି’ (Hongqi) ଶବ୍ଦର ଅର୍ଥ ହେଉଛି "ଲାଲ୍ ପତାକା"। ଆଗାମୀ ଦଶନ୍ଧି ମଧ୍ୟରେ ଏହି ମୋଡେଲର କେବଳ ୫୦ଟି ଗାଡ଼ି ତିଆରି ହେବାର ଯୋଜନା ରହିଛି।  ଏହି ଲିମୋଜିନର ଲମ୍ବ ପ୍ରାୟ ୧୮ ଫୁଟ (୫.୫ ମିଟର)। ଏହାର ଡିଜାଇନ୍ ଚୀନ୍‌ର ପ୍ରସିଦ୍ଧ ‘L5’ ଲିମୋଜିନ୍‌ ସହିତ କିଛିଟା ସମାନ।   ଗାଡ଼ିରେ ୨୧-ଇଞ୍ଚର ବୁଲେଟପ୍ରୁଫ୍ ଚକ, ବୁଲେଟପ୍ରୁଫ୍ କାଚ ଏବଂ ମଜଭୁତ୍ ଆର୍ମର ପ୍ଲେଟିଂ ରହିଛି। ଛୋଟ ଧରଣର ବିସ୍ଫୋରଣ ଓ ରାସାୟନିକ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏଥିରେ ସ୍ୱତନ୍ତ୍ର ଏୟାର-କମ୍ପ୍ରେସନ ସିଷ୍ଟମ ରହିଥିବା କୁହାଯାଏ।

ଅଫିସିଆଲ୍ ଭାବରେ ସ୍ପଷ୍ଟ ହୋଇନଥିଲେ ବି, ଏଥିରେ ୪୦୮ ଏଚ୍‌ପି ଶକ୍ତିବିଶିଷ୍ଟ ୬.୦-ଲିଟର V12 କିମ୍ବା V8 ଇଞ୍ଜିନ୍ ବ୍ୟବହାର କରାଯାଇଥିବା ଅନୁମାନ କରାଯାଏ।  ଗାଡ଼ିର ଆଗରେ ବଡ଼ କ୍ରୋମ୍ ଗ୍ରିଲ୍, ବନେଟ୍‌ରେ ଲାଲ୍ ପତାକା ପ୍ରତୀକ ଏବଂ ଆକର୍ଷଣୀୟ ଏଲ୍‌ଇଡି ଲାଇଟ୍ ରହିଛି, ଯାହା ଚୀନ୍‌ର ରାଜନୈତିକ ପ୍ରଭାବ ଓ ଶିଳ୍ପ ଦକ୍ଷତାକୁ ଦର୍ଶାଏ । ୧୯୫୮ ମସିହାରୁ ସ୍ଥାପିତ ହୋଇଥିବା ହାଙ୍ଗକି ବ୍ରାଣ୍ଡ୍ ଚୀନ୍ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସହ ଜଡ଼ିତ। ଏହି ଗସ୍ତରେ N701 ଲିମୋଜିନର ବ୍ୟବହାର ଚୀନ୍‌ର ଆତ୍ମନିର୍ଭରଶୀଳତା ଓ କୂଟନୈତିକ ଉପସ୍ଥିତିକୁ ପ୍ରତିଫଳିତ କରୁଛି।