ସୁନ୍ଦରଗଡ଼ ୧୮।୩: ମଦ ହଟାଅ, ଗାଁ ବଞ୍ଚାଅ । ସରକାରୀ ଦେଶୀ ମଦଭାଟି ବିରୋଧରେ ତାତିଲେ ମହିଳା । ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା । ଜିଲ୍ଲାପାଳଙ୍କ ଅଫିସ ଆଗରେ ରାତି ସାରା ବସିଲେ । ଆଉ ୩୦ ଘଣ୍ଟାରୁ ଅଧିକ ସମୟ  ଧରି ମହିଳାଙ୍କ ଆନ୍ଦୋଳନ ପରେ ପ୍ରଶାସନର ଚେତା ପଶିଲା । ଆନ୍ଦୋଳନକାରୀଙ୍କୁ ଡାକି ଆଲୋଚନା କରି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିଛନ୍ତି ମହିଳା । ମହିଳାମାନଙ୍କ ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆଗରେ ହାର ମାନିଛି ପ୍ରଶାସନ

ସୁନ୍ଦରଗଡ଼ ହେମଗିରି ବ୍ଲକ୍‌ ଲଇକେରା ଗାଁର ଶତାଧିକ ମହିଳା ୩୦ ଘଣ୍ଟାରୁ ଅଧିକ ସମୟ ଧରି ଆନ୍ଦୋଳନରେ ବସିଥିଲେ । ଛୁଆ ପିଲାଙ୍କୁ ଧରି ରାତି ସାରା ରାସ୍ତାରେ ବସିଥିଲେ ମହିଳାମାନେ । ମହିଳାଙ୍କ ଅଭିଯୋଗ ଗତ ଫେବ୍ରୁଆରୀ ୧୨ ରେ ଗ୍ରାମସଭାରେ ମଦଭାଟି ଖୋଲିବାକୁ ବିରୋଧ ହୋଇଥିଲା । ଏନେଇ ପ୍ରସ୍ତାବ ମଧ୍ୟ ପାରିତ ହୋଇ ମଦଭାଟି ଖୋଲିବ ନାହିଁ ବୋଲି ନିଷ୍ପତ୍ତି ନିଆଗଲା । ହେଲେ ମଦଭାଟି ମାଲିକ କିଛି ଅବକାରୀ ଅଧିକାରୀଙ୍କୁ ହାତକରି ମଦଭାଟି ଖୋଲିବା ପାଇଁ ଚକ୍ରାନ୍ତ କଲେ । ନକଲି ଦସ୍ତଖତରେ ଗ୍ରାମସଭାରେ ମଦଭାଟିକୁ ଅନୁମୋଦନ ମିଳିଥିବା ଦର୍ଶାଇ ଲାଇସେନ୍ସ ନବୀକରଣ ସହ ଗାଁରେ ମଦଭାଟି ଖୋଲିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

​​​​​​​

Also Read:- ଭିଣୋଇଙ୍କ ମୃତ୍ୟୁ ପଛରେ ରହିଛି କି ଶାଳକଙ୍କ ହାତ ? ପଚରାଉଚରା କରି ଛାଡ଼ିଦେଲା ପୋଲିସ, ଥାନା ଘେରିଲେ ପରିବାର

ମଙ୍ଗଳବାର ଲଇକେରା ଗାଁର ଶତାଧିକ ଗ୍ରାମବାସୀ ଶୋଭାଯାତ୍ରାରେ ବାହାରି ସୁନ୍ଦରଗଡ ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗ୍ରାମବାସୀଙ୍କ ଦାବି ଥିଲା ଗାଁରେ ଥିବା ସରକାରୀ ଦେଶୀ ମଦଭାଟି ନବୀକରଣ ଓ ଲାଇସେନ୍ସକୁ ବାତିଲ କରାଯାଉ । ଗ୍ରାମସଭାର ନିଷ୍ପତ୍ତିକୁ ମାନ୍ୟତା ଦିଆଯାଉ ଏବଂ ଏଠାରେ ମଦ ଭାଟି ଖୋଲାନଯାଉ । ରାତିରେ ଜିଲ୍ଲାପାଳ ଆସି ମହିଳାଙ୍କ ସହ ଆଲୋଚନା କରିଥିଲେ ହେଲେ କୌଣସି ସୁଫଳ ମିଳିନଥିଲା । ବୁଧବାର ଆନ୍ଦୋଳନକାରୀଙ୍କ ସହ ଜିଲ୍ଲାପାଳଙ୍କ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ଆସନ୍ତା ୨୬ ତାରିଖରେ ପୁଣି ଗ୍ରାମସଭା କରାଯିବ ଓ ସେଠାରେ ଯାହା ନିଷ୍ପତ୍ତି ହେବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଉ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ୩୦ ଘଣ୍ଟାରୁ ଅଧିକ ସମୟ ଧରି ବସିଥିବା ଆନ୍ଦୋଳନକାରୀ ମହିଳାମାନେ ଆନ୍ଦୋଳନରୁ ଓହରିଛନ୍ତି ।