ଭୁବନ ୧୮।୩: ନ୍ୟାୟ ଦାବି । ଫାଣ୍ଡି ଘେରିଲେ ଶତାଧିକ । ଏକାଠି ହେଲେ ଶତାଧିକ ପୁରୁଷ ଓ ମହିଳା । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗାଁରେ । ଶାଳକ ଘରୁ ଡାକି ନେଇଥିଲେ ଭିଣୋଇଙ୍କୁ । ନିଜେ ତ ଫେରିଆସିଲେ ଭିଣୋଇ ଆଉ ଫେରିଲେନି । ପୋଲ ତଳୁ ମିଳିଲା ଭିଣୋଇଙ୍କ ମୃତଦେହ । ପରିବାର ଲୋକ ଆଣିଛନ୍ତି ହତ୍ୟା ଅଭିଯୋଗ ।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ୩୬ ବର୍ଷ ବୟସ୍କ ବିମଳ ମଲ୍ଲିକଙ୍କୁ ତାଙ୍କ ଶାଳକ ସିପୁନ ମଲ୍ଲିକ ରବିବାର ସନ୍ଧ୍ୟା ସମୟରେ ଘରୁ ଡାକିନେଇ ଥିଲେ । ପରିବାର ଲୋକଙ୍କୁ ଏଇଠୁ ଆସୁଛି କହି ଘରୁ ଶାଳକ ସହ ବାହାରିଯାଇଥିଲେ ବିମଳ । ଉଭୟ ସାଙ୍ଗ ହୋଇ ଯାଇଥିବା ବେଳେ ଗାଁକୁ କେବଳ ସିପୁନ ଫେରିଆସିଥିଲେ । ହେଲେ ବିମଳ ଆଉ ଘରକୁ ଫେରିନଥିଲେ । ବିଳମ୍ବିତ ରାତିରେ ସିପୁନଙ୍କୁ ଗାଁରେ ବୁଲୁଥିବା ଦେଖି ବିମଳ କୁଆଡେ ଗଲା ବୋଲି ଘରଲୋକ ପ୍ରଶ୍ନ କରିଥିଲେ । ହେଲେ ଏନେଇ ସିପୁନଙ୍କ ଠାରୁ କିଛି ସଠିକ୍ ଉତ୍ତର ମିଳିନଥିଲା । ଯାହା ଫଳରେ ଘରଲୋକ ଚିନ୍ତାରେ ପଡ଼ିଯାଇଥିଲେ । ପରିବାର ଲୋକ ଗ୍ରାମବାସୀଙ୍କୁ ନେଇ ବିମଳଙ୍କୁ ଖୋଜିବାକୁ ବାହାରି ପଡ଼ିଥିଲେ । ବହୁ ଖୋଜାଖୋଜି କରିବା ପରେ ପାଖ ଓଢ଼ଣା ଗାଁ ନିକଟ ପୋଲ ତଳେ ସନ୍ଦେହଜନକ ଭାବରେ ବିମଳ ପଡିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

Also Read:- ପ୍ରେମ ବିବାହ କରିଥିଲେ, କାହିଁକି ଏମିତି କଲେ ? ହାତଲେଖା ଚିଠି କେତେ ସତ..

ମୃତକଙ୍କ ପରିବାର ଲୋକେ ଶାଳକ ସିପୁନ ବିରୁଦ୍ଧରେ ଭୁବନ ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ଭୁବନ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତଗତ କରିଥିଲେ । ତେବେ ଭୁବନ ଥାନା ସିପୁନକୁ ଅଟକ ରଖି ପଚରା ଉଚରା ପରେ ସୋମବାର ସନ୍ଧ୍ୟାରେ ଛାଡିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପରିବାର ଲୋକେ ଓ ଗ୍ରାମବାସୀ ନ୍ୟାୟ ଦାବିରେ ଫାଣ୍ଡି ଘେରାଉ କରିଛନ୍ତି । ଘଟଣାସ୍ଥଳରେ କାମାକ୍ଷାନଗର ଏସ୍‌ଡିପିଓ ରଜନୀକାନ୍ତ ସାମଲ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି । ଅଭିଯୋଗଟି ତଦନ୍ତ ପରିସରଭୁକ୍ତ ଥିବାରୁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଏସ୍‌ଡିପିଓ ରଜନୀକାନ୍ତ ସାମଲ ।