କୋରାପୁଟ: କୁନ୍ଦୁରା ବ୍ଲକରେ ବୃଦ୍ଧି ପାଉଛି ଦେଶୀ ଓ ବିଦେଶୀ ମଦ ଦୋକାନ। ମଦ ଯୋଗୁ ଅଞ୍ଚଳର ସାମାଜିକ ପରିବେଶ ଦିନକୁ ଦିନ ବିଗୁଡ଼ୁଛି। ଏଭଳି ଅଭିଯୋଗ ଆଣି ଶତାଧିକ ମହିଳା ଶୁକ୍ରବାର କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ ଜଣାଇଛନ୍ତି। ହାତରେ ଠେଙ୍ଗା ଧରି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ମଦ ଦୋକାନ ବନ୍ଦ ଦାବିରେ ସ୍ଲୋଗାନ ଦେଇଛନ୍ତି।

ଅଭିଯୋଗକାରୀ କହିଛନ୍ତି, ମଦ ନିଶା କାରଣରୁ ଯୁବପିଢ଼ିଙ୍କ ସହ ପିଲାଠାରୁ ବୃଦ୍ଧ, ଅନେକ ଲୋକ ନିଶାଗ୍ରସ୍ତ ହେଉଛନ୍ତି। ଏହାର ପ୍ରଭାବରେ ପାରିବାରିକ କଳହ, ଘରୋଇ ହିଂସା, ଆର୍ଥିକ ସଙ୍କଟ ଏବଂ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବଢ଼ି ଚାଲିଛି। ଏନେଇ ପୂର୍ବରୁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନକୁ ଏକାଧିକ ଥର ଅବଗତ କରାଯାଇଥିଲେ ମଧ୍ୟ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ କୁନ୍ଦୁରା ଅଞ୍ଚଳରେ ଥିବା ମଦ ଦୋକାନ ବନ୍ଦ କରିବା ନେଇ ଜିଲ୍ଲା ପ୍ରଶାସନ ସ୍ପଷ୍ଟ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।