ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧୀନ ଏବଂ ଲୋକପ୍ରିୟ କ୍ରିକେଟ୍ ଲିଗ୍ ଆଇପିଏଲ୍ ଆହୁରି ବଡ଼ ହେବାକୁ ଯାଉଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ୨୦୨୮ରୁ ଆଇପିଏଲରେ ଦୁଇ ନୂଆ ଟିମ ସାମିଲ କରିବା ନେଇ ଯୋଜନା କରୁଛି ।

ମିଡିଆ ରିପୋର୍ଟ ଅନୁସାରେ ଏହି ଦୁଇ ନୂଆ ଟିମର ଦୌଡ଼ରେ ପୁଣେ ଏବଂ ଭଦୋଦରା ସହର ସବୁଠାରୁ ଆଗରେ ରହିଛି । ଲାଇଭ୍ ମିଣ୍ଟ ରିପୋର୍ଟ ଅନୁସାରେ, ଏହି ଆଲୋଚନା ଏବେ ପ୍ରାଥମିକ ପର୍ଯ୍ୟାୟରେ ଅଛି । ଅନୁମାନ କରାଯାଉଛି ଯେ ସହରଗୁଡ଼ିକ ନାଁରେ ପରିବର୍ତ୍ତନ ମଧ୍ୟ ହୋଇପାରେ । ତେବେ ଏହି ବିସ୍ତାର ୨୦୨୮-୨୦୩୨ର ପରବର୍ତ୍ତୀ ମିଡିଆ ରାଇଟ୍ସ ଚକ୍ର ସହ ହୋଇପାରେ । ଲୋକପ୍ରିୟତାରେ ବୃଦ୍ଧିକୁ ଦେଖି ନୂଆ ଫ୍ରାଞ୍ଚଇଜିର ମୂଲ୍ୟ ଏକ ବିଲିୟନ ଡଲାର ଭାରତୀୟ ମୁଦ୍ରାରେ ପ୍ରାୟ ୮୩୦୦ କୋଟି ଟଙ୍କାରୁ ଅଧିକ ହେବା ନେଇ ଅନୁମାନ କରାଯାଉଛି ।

ଏହି ନୂଆ ନିଲାମରେ କେବଳ ଭାରତୀୟ ବ୍ୟବସାୟୀ ନାହାନ୍ତି, ବରଂ ଆମେରିକାର ବଡ଼ ଫ୍ୟାମିଲି ଅଫିସ୍, ମିଡିଲ୍ ଇଷ୍ଟର ସୋଭେରିନ୍ ୱେଲ୍ଥ ଫଣ୍ଡ ଏବଂ ବ୍ରିଟେନର ପ୍ରାଇଭେଟ୍ ଇକ୍ୱିଟି ଫାର୍ମ ପରମୀରା ପରି ବଡ଼ ବିଦେଶୀ ନିବେଶକ ମଧ୍ୟରେ ମୋଟା ରାଶି ନିବେଶ ପାଇଁ ଅପେକ୍ଷା କରିଛନ୍ତି ।

Also Read: ଦିଲ୍ଲୀ ଛାଡିବେ ଅକ୍ଷର, ଚେନ୍ନାଇରେ ହେବେ ସାମିଲ ! କିନ୍ତୁ ଖୁସି ନାହାଁନ୍ତି ଅଶ୍ୱୀନ

ଆଇପିଏଲ୍ ସହ ପୁଣେ ସହରର ପୁରୁଣା ସଂପର୍କ ରହିଛି । ପୁଣେ ଏହା ପୂର୍ବରୁ ପୁଣେ ୱାରିୟର୍ସ ଇଣ୍ଡିଆ (୨୦୧୧-୨୦୧୩) ଏବଂ ରାଇଜିଙ୍ଗ ପୁଣେ ସୁପରଜାଏଣ୍ଟ (୨୦୧୬-୨୦୧୭)ର ଆୟୋଜନ କରିସାରିଛି । ୨୦୧୭ ମସିହାରେ ପୁଣେ ଟିମ୍ ଫାଇନାଲ୍ ମଧ୍ୟ ଖେଳିଥିଲା । ସେପଟେ ଗୁଜରାଟକୁ ସ୍ପୋର୍ଟ୍ସ ହବ୍ କରିବାକୁ ପ୍ରସ୍ତୁତି ଚାଲିଛି । ଅହମଦାବାଦ ଠାରୁ ମାତ୍ର ୧୧୦ କିଲୋମିଟର ଦୂରରେ ଭଦୋଦରାରେ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ପାଇଁ ଅନୁକୂଳ ପରିବେଶ ରହିଛି । ୨୦୩୬ ଅଲିମ୍ପିକର ଆୟୋଜନ ନେଇ ଭାରତର ପ୍ରାର୍ଥୀତ୍ୱକୁ ଦେଖି ଏହି ସହର ଉପରେ ବାଜି ଲଗାଯାଇପାରେ ।

ସାମ୍ପ୍ରତିକ ଦୁଇଟି ପ୍ରମୁଖ ଚୁକ୍ତିନାମା ନୂତନ ଦଳଗୁଡ଼ିକର ମୂଲ୍ୟ ବିଷୟରେ ଏକ ଧାରଣା ଦେଇଛି । ଡିଆଜିଓ ଆରସିବିକୁ ଆଦିତ୍ୟ ବିର୍ଲା ଗ୍ରୁପ୍ ଏବଂ ବ୍ଲାକଷ୍ଟୋନ୍ ଭଳି ବଡ଼ କମ୍ପାନିମାନଙ୍କ ଏକ ସଂଘକୁ ୧.୭୮ ବିଲିୟନ ଡଲାର (ପ୍ରାୟ ୧୫,୦୦୦ କୋଟି ଟଙ୍କା) ମୂଲ୍ୟରେ ବିକ୍ରି କରିଛି । ଲକ୍ଷ୍ମୀ ମିତ୍ତଲ ପରିବାର ଏବଂ ଆଦର ପୁନାୱାଲା ରାଜସ୍ଥାନ ରୟାଲ୍ସକୁ ୧.୬୫ ବିଲିୟନ ଡଲାର ମୂଲ୍ୟରେ କିଣିଥିଲେ । ପୂର୍ବରୁ ୨୦୨୨ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୯୪୦ ନିୟୁତ ଡଲାରରେ ଏବଂ ଗୁଜରାଟ ଟାଇଟାନ୍ସ ୭୫୦ ନିୟୁତ ଡଲାରରେ ବିକ୍ରି ହୋଇଥିଲା ।