ଚଣ୍ଡିଗଡ଼, ୨୬।୦୭ : ପଞ୍ଜାବରେ ଜଣେ ମହିଳା ଇନ୍ସପେକ୍ଟରଙ୍କୁ ଦୁଷ୍କର୍ମ, ବ୍ଲାକମେଲିଂ ଘଟଣା ସାମ୍ନାକୁ ଆସିଛି। ଗୁରୁବାର ରାତିରେ ଏଥିନେଇ ମାମଲା ରୁଜୁ ହେବା ପରେ ଏସଏସପି ଅଭିଯୁକ୍ତ ପୁଲିସ ଏସଆଇ ସାହିବମିତ ସିଂହଙ୍କୁ ସସପେଣ୍ଡ୍ କରିଛନ୍ତି। ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ସିଂହ ଲୁଧିଆନା ସୁନ୍ଦର ନଗରର ବାସିନ୍ଦା ।

ତଦନ୍ତରୁ ଜଣାପଡ଼ିଛି ଯେ, ୨୦୨୩ରେ ଇନଷ୍ଟାଗ୍ରାମ ମାଧ୍ୟମରେ ଦୁଇ ପୁଲିସ ଅଧିକାରୀ ପରିଚିତ ହୋଇଥିଲେ। ସେହିବର୍ଷ ନଭେମ୍ବର ମାସରେ ସିଂହ ମହିଳା ଇନ୍ସପେକ୍ଟରଙ୍କୁ ସାକ୍ଷାତ କରିବା ଲାଗି ମୁଲଗୁନପୁର ଡାକିଥିଲେ। ତାଙ୍କୁ ଚା' ପିଇବା ବାହାନାରେ ଏକ ହୋଟେଲକୁ ନେଇଥିଲେ। ସେଠାରେ ସେ ପୀଡ଼ିତାଙ୍କୁ ପାନୀୟରେ ନିଶା ମିଶାଇ ପିଇବାକୁ ଦେଇ ଦୁଷ୍କର୍ମ କରିଥିଲେ। ଏଥିସହ ଦୁଷ୍କର୍ମର ଭିଡିଓ ଏବଂ ଫଟୋ ଉତ୍ତୋଳନ କରିଥିଲେ । ଚେତା ଫେରିବା ପରେ ପୀଡ଼ିତା ଏହାର ବିରୋଧ କରିବାରୁ ସେ ସର୍ଭିସ ବନ୍ଧୁକ କାଢ଼ି ହତ୍ୟା ଧମକ ଦେଇଥିଲେ। ପୁଲିସ ନିକଟରେ ଅଭିଯୋଗ କଲେ ସେହି ଭିଡିଓକୁ ଭାଇରାଲ୍ କରିଦେବାକୁ କହିଥିଲେ।

Also Read :- ୩ ଦିନ ଯାଏଁ ଅତି ପ୍ରବଳ ବର୍ଷା, ଫୁଲିବ ମହାନଦୀ...ଏହି ସବୁ ଜିଲ୍ଲାକୁ ଅରେଞ୍ଜ୍ ଓ୍ୱାର୍ଣ୍ଣିଂ

ପରବର୍ତ୍ତୀ ସମୟରେ ସେହି ଭିଡିଓ ଦେଖାଇ ପୀଡ଼ିତାଙ୍କୁ ବ୍ଲାକ୍ମେଲିଂ କରି ସେ ଅନେକ ଥର ବଳାତ୍କାର କରିଥିଲେ। କେବଳ ସେତିକି ନୁହେଁ, ସେହି ଅଶ୍ଳୀଳ ଭିଡିଓକୁ ପୀଡ଼ିତାଙ୍କ ସ୍ବାମୀଙ୍କୁ ପଠାଇବାକୁ ବି ଧମକ ଦେଇଥିଲେ। ସାମାଜିକ ପ୍ରତିଷ୍ଠା ଭୟରେ ପୀଡ଼ିତା ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ବାଧ୍ୟ ହେଲେ। ତେବେ ଛାଡ଼ପତ୍ର ପରେ ବି ଅଭିଯୁକ୍ତ ତାଙ୍କୁ ମାନସିକ, ଶାରିରୀକ ଭାବେ ନିର୍ଯାତନା ଦେବା ଜାରି ରଖିଲେ । ଇତିମଧ୍ୟରେ ପୀଡ଼ିତା ୩ ଥର ଗର୍ଭବତୀ ହୋଇଥିଲେ। ଅଭିଯୁକ୍ତ ତାଙ୍କୁ ଗର୍ଭପାତ କରିବାକୁ ବାଧ କରିଥିଲେ । ବାଧ୍ୟହୋଇ ପୀଡ଼ିତା ଅଭିଯୁକ୍ତଙ୍କ ମା' ନବନୀତ କୌରଙ୍କୁ ଫୋନ୍ କରି ସହାୟତା ମାଗିଥିଲେ । କୌର କିନ୍ତୁ ନିଜ ପୁଅକୁ ସୁରକ୍ଷା ଦେବା ସହ ମାମଲାକୁ ଦବାଇବାକୁ ଉଦ୍ୟମ କରିଥିଲେ । ଶେଷରେ ଜୁଲାଇ ୨୩ ତାରିଖରେ ପୀଡ଼ିତା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ଏବେ ମାମଲାରେ ନବନୀତ କୌରଙ୍କ ଭୂମିକା ନେଇ ମଧ୍ୟ ତଦନ୍ତ କରୁଛି।