ନୂଆଦିଲ୍ଲୀ:  ଅନେକ ସମୟରେ ଲୋକେ ଆଉ ବଜାରକୁ ଯାଇ ଆବଶ୍ୟକୀୟ ଜିନିଷ କ୍ରୟ କରୁନାହାନ୍ତି । ଘରେ ବସି ଅନଲାଇନ୍‌ ଅର୍ଡର କରିଦେଉଛନ୍ତି । କିଛି ସମୟରେ କିମ୍ବା କିଛି ଦିନ ଭିତରେ ଅର୍ଡର କରିଥିବା ଜିନିଷ ଘରେ ପହଞ୍ଚିଯାଉଛି । ଏହି ସମସ୍ତ ପ୍ରକ୍ରିୟାରେ ଏକ ଇ-କମର୍ସ ପ୍ଲାଟଫର୍ମ, ବିକ୍ରେତା ଏବଂ ଡେଲିଭରି ଏଜେଣ୍ଟ ସାମିଲ ରହୁଛନ୍ତି । କିନ୍ତୁ ବିଭିନ୍ନ ସମୟରେ ଅର୍ଡର କରିଥିବା ଜିନିଷ ବଦଳରେ ପାର୍ସଲ ଭିତରୁ ଅନ୍ୟ କିଛି ବାହାରୁଛି । ଏନେଇ ଅନେକ ଖବର ପଢ଼ିଥିବେ ଏବଂ ଶୁଣିଥିବେ । ଏମିତି ଏକ ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଥିଲା । କିନ୍ତୁ ଖାଉଟି ଅଦାଲତ ସଂପୃକ୍ତି ଇ-କମର୍ସ ପ୍ଲାଟଫର୍ମ ଏବଂ ବିକ୍ରେତାଙ୍କୁ ଶକ୍ତ ଝଟ୍‌କା ଦେଇଛନ୍ତି । ସୁଧ ସହିତ ଠକାମୀର ଶିକାର ହୋଇଥିବା ଗ୍ରାହକଙ୍କୁ ମୋଟା ଅଙ୍କର ଟଙ୍କା ଫେରସ୍ତ କରିବାକୁ କୋର୍ଟ କମ୍ପାନୀକୁ  ନିର୍ଦ୍ଦେଶ ଦେଇଛନ୍ତି ।

୨୭,୦୦୦ ଟଙ୍କା ଦେଇ ଏକ ଦାମୀ 'ସିକୋ' ହାତଘଣ୍ଟା ଅର୍ଡର କରିଥିବା ଜଣେ ମହିଳାଙ୍କୁ ପାର୍ସଲ ବକ୍ସ ଭିତରୁ ଘଣ୍ଟା ବଦଳରେ ଏକ କଳା ରଙ୍ଗର ପଲିଥିନ୍ ରୋଲ୍ ମିଳିଥିଲା। ଏହି ଘଟଣାରେ ବିଶାଖାପାଟଣା ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ-୧ ଇ-କମର୍ସ ସଂସ୍ଥା ଆମାଜନ (Amazon) ଏବଂ ସମ୍ପୃକ୍ତ ବିକ୍ରେତାଙ୍କୁ ଦାୟୀ କରିବା ସହ ମହିଳାଙ୍କୁ ସୁଧ ସମେତ ମୋଟ ୫୮,୦୦୦ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗକାରିଣୀ କୌସରୀ ଖାନୁମ୍ ୨୦୨୫ ମେ ୫ ତାରିଖରେ ନିଜ ପୁଅ ପାଇଁ ଆମାଜନରୁ ସବୁଜ ଡାଏଲ୍ ଓ ରୂପା ରଙ୍ଗର ଷ୍ଟ୍ରାପ୍ ଥିବା ଏକ ସିକୋ ଘଣ୍ଟା ଅର୍ଡର କରିଥିଲେ। ଏହାର ମୂଲ୍ୟ ୩୦,୦୦୦ ଟଙ୍କା ଥିଲା କିନ୍ତୁ ରିହାତି ପରେ ସେ ୨୭,୦୦୦ ଟଙ୍କା ପେ’ କରିଥିଲେ। ଏହା ସହିତ ସେ ଆମାଜନ ପ୍ରାଇମ୍ ସଦସ୍ୟତା ପାଇଁ ମଧ୍ୟ ୩୯୯ ଟଙ୍କା ଦେଇଥିଲେ। ମେ ୧୨ ତାରିଖରେ ପାର୍ସଲ ଡେଲିଭରି ହେବାର ଥିଲା । କିନ୍ତୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମେ ୧୧ ତାରିଖରେ ଡେଲିଭରି ଏଜେଣ୍ଟ ପ୍ୟାକେଟ୍ ନେଇ ପହଞ୍ଚିଥିଲେ। ପ୍ୟାକେଟ୍ ଖୋଲିବା ପରେ ସେଥିରେ ଘଣ୍ଟା ବଦଳରେ କେବଳ ଏକ କଳା ପଲିଥିନ୍ ରୋଲ୍ ଥିବା ଦେଖି କୌସରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହାପରେ ସେ ତୁରନ୍ତ ଆମାଜନ କଷ୍ଟମର କେୟାରରେ ଅଭିଯୋଗ କରି ରିଟର୍ଣ୍ଣ ପାଇଁ ଅନୁରୋଧ କରିଥିଲେ। ମେ ୧୩ ତାରିଖରେ ପ୍ୟାକେଟଟି ଫେରସ୍ତ ନିଆଯାଇଥିଲେ ମଧ୍ୟ ତାଙ୍କୁ ଟଙ୍କା ଫେରସ୍ତ କରାଯାଇ ନଥିଲା। ଶେଷରେ ନିରାଶ ହୋଇ ସେ ଜୁନ୍ ୨୩ ତାରିଖରେ ବିଶାଖାପାଟଣାର ଏକ ଟାଇଟନ୍ ଶୋ’ରୁମରୁ ସେହି ସମାନ ଘଣ୍ଟା କିଣିଥିଲେ। ଏହା ସହ କୌସରୀ ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ । ଅଦାଲତରେ ନିଜ ପକ୍ଷ ରଖି ବିକ୍ରେତା 'ସମୟ ୱାଚେସ୍' କହିଥିଲା ଯେ, ସେମାନେ ଅସଲି ଘଣ୍ଟା ପ୍ୟାକ୍ କରି ଆମାଜନର ଲଜିଷ୍ଟିକ୍ସ ପାର୍ଟନରଙ୍କୁ ହସ୍ତାନ୍ତର କରିଥିଲା । ଡେଲିଭରି ନେଟୱାର୍କ ଭିତରେ ହିଁ ସାମଗ୍ରୀ ବଦଳାଯାଇଛି ବୋଲି ବିକ୍ରେତା ଅଭିଯୋଗ କରିଥିଲା  । ସେହିପରି ଆମାଜନ ଯୁକ୍ତି ବାଢ଼ିଥିଲା ଯେ, ସେମାନଙ୍କ ଆଭ୍ୟନ୍ତରୀଣ ତଦନ୍ତ ଅନୁଯାୟୀ ସଠିକ୍ ସାମଗ୍ରୀ ଡେଲିଭରି ହୋଇଥିଲା । କିନ୍ତୁ ଫେରସ୍ତ ବେଳେ ଭିନ୍ନ ଜିନିଷ ଦିଆଯାଇଥିବାରୁ ଗ୍ରାହକ ରିଫଣ୍ଡ ପାଇବାକୁ ଯୋଗ୍ୟ ବିବେଚିତ ହୋଇନଥିଲେ।

ଆୟୋଗର ଅଧ୍ୟକ୍ଷ ଡକ୍ଟର ଗୁଡଲା ତନୁଜା ଏବଂ ସଦସ୍ୟ ଭାରି କୃଷ୍ଣ ମୂର୍ତ୍ତି ଓ ରହିମୁନ୍ନିସା ବେଗମଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କହିଥିଲେ ଯେ, ଆମାଜନ ଏବଂ ବିକ୍ରେତା କେବଳ ପରଷ୍ପସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । କିନ୍ତୁ ସଠିକ୍ ଘଣ୍ଟା ଡେଲିଭରି ହୋଇଥିବା କିମ୍ବା ରିଫଣ୍ଡ ଅଭିଯୋଗର ସମାଧାନ କିପରି କରାଗଲା ସେନେଇ କୌଣସି ଠୋସ୍ ତଥ୍ୟ ଉପସ୍ଥାପନ କରିବାରେ ବିଫଳ ହୋଇଛନ୍ତି। କୌଣସି ଦୋଷ ନଥାଇ ଗ୍ରାହକଙ୍କୁ ମାନସିକ ନିର୍ଯାତନା ଭୋଗିବାକୁ ପଡ଼ିଛି । ଅନଲାଇନ୍ ସପିଂ ବ୍ୟବସ୍ଥା ଗ୍ରାହକଙ୍କୁ ସହାୟତା କରିବା ବଦଳରେ ସମସ୍ୟାରେ ପକାଇଛି ବୋଲି ଆୟୋଗ କଡ଼ା ଟିପ୍ପଣୀ ଦେଇଥିଲେ।

ଅକ୍ଟୋବର ୩୧, ୨୦୨୬ରେ ଚୂଡ଼ାନ୍ତ ରାୟରେ ଅଦାଲତ ଆମାଜନ ଏବଂ ବିକ୍ରେତାଙ୍କୁ ଦାୟୀ କରିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ, ସେମାନଙ୍କୁ ଘଣ୍ଟାର ମୂଲ୍ୟ ୨୭,୦୦୦ ଟଙ୍କା ଏବଂ ୨୦୨୫ ମେ ୫ ତାରିଖରୁ ବାର୍ଷିକ ୬ ପ୍ରତିଶତ ସୁଧ ସହିତ ଫେରସ୍ତ କରିବାକୁ ପଡ଼ିବ। ଏହା ବ୍ୟତୀତ ମାନସିକ ଯନ୍ତ୍ରଣା ପାଇଁ କ୍ଷତିପୂରଣ ବାବଦକୁ ୨୧,୦୦୦ ଟଙ୍କା ଏବଂ ମାମଲା ଖର୍ଚ୍ଚ ବାବଦକୁ ୧୦,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଦେଶ ପାଇବାର ଏକ ମାସ ମଧ୍ୟରେ ଏହି ଅର୍ଥ ପ୍ରଦାନ କରିବାକୁ କୁହାଯାଇଥିବା ବେଳେ, ଏଥିରେ ଖିଲାପ କଲେ ୨୭,୦୦୦ ଟଙ୍କା ଉପରେ ସୁଧ ହାର ୬ ପ୍ରତିଶତରୁ ବୃଦ୍ଧି ପାଇ ବାର୍ଷିକ ୯ ପ୍ରତିଶତ ହେବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି । ତେ​‌ବେ କୌସରୀ ଖାନୁମ୍ ମୋଟ ୫୮,୦୦୦ ଟଙ୍କା ପାଇବାକୁ ହକଦାର । କୌସରୀ ଖାନୁମଙ୍କ ଭଳି ଅନେକ ଗ୍ରାହକ ଖାଉଟି ଅଦାଲତରେ ପହଞ୍ଚିପାରନ୍ତି ନାହିଁ । ଆଉ ଏହାର ଫାଇଦା ନେଇ ବିଭିନ୍ନ ସମୟରେ ଇ-କମର୍ସ ସାଇଟ୍‌ ପକ୍ଷରୁ ଗ୍ରାହକଙ୍କୁ ଧୋକା ଦିଆଯାଉଥିବା ମଧ୍ୟ ଅଭିଯୋଗ ହୁଏ । ଏହି ସବୁ ଘଟଣା ଉପରେ ମଧ୍ୟ ନୂଆ ଆଇନର ଆବଶ୍ୟକତା ରହିଛି ବୋଲି ଗ୍ରାହକମାନେ ମତ ଦେଇଛନ୍ତି ।