ଆସ୍କା: ସୋସିଆଲ ମିଡିଆ ପ୍ରେମର ଆଉ ଏକ ଶୋଚନୀୟ କାହାଣୀ। ସୋସିଆଲ ମିଡିଆରୁ ଭଲ ପାଇ ଯୁବକଙ୍କୁ ବିବାହ କଲେ। ହେଲେ ଯୁବକ ଜଣକ ତାଙ୍କୁ ଛାଡ଼ି ଚାଲିଗଲେ। ଏମିତିରେ ନ୍ୟାୟ ଦାବିରେ ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଲେ। କିନ୍ତୁ ପରିଣାମ ହେଲା ମୃତ୍ୟୁ। ସ୍ଵାମୀର ସାନ ଭାଇର ଟାଙ୍ଗିଆ ଚୋଟରେ ଗଲା ମହିଳାଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ହିଞ୍ଜିଳି ଥାନା କେ. ଖରିଡ଼ା ଅଞ୍ଚଳରେ। ହିଞ୍ଜିଳି ପୋଲିସ ଅଭିଯୁକ୍ତ ସାନ ଭାଇଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

ସୂଚନା ଅନୁସାରେ, ମୃତ ମହିଳାଙ୍କ ଘର ରମ୍ବା ଥାନା ଅଗସ୍ଥି ନୁଆଗାଁରେ। ତିନି ବର୍ଷ ତଳେ ସୋସିଆଲ ମିଡିଆରୁ ତାଙ୍କର କେ. ଖରିଡ଼ା ଗ୍ରାମର ଚିଣ୍ଟୁ ଗୌଡ଼ଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପ୍ରଥମେ ଅନଲାଇନରେ କଥାବାର୍ତ୍ତା ପରେ ମିଳାମିଶା କରିଥିଲେ। ଏହା ପରେ ସେମାନେ ମନ୍ଦିରରେ ବିବାହ କରିଥିଲେ। ଉଭୟଙ୍କର ତିନି ବର୍ଷର କନ୍ୟା ସନ୍ତାନ ଥିବା ବେଳେ, ମହିଳା ଜଣକ ଛଅ ମାସର ଗର୍ଭବତୀ ମଧ୍ୟ ଥିଲେ।

ତେବେ ପ୍ରାୟ ଛଅ ମାସ ହେଲା ଉଭୟ ପୁରୀରେ ଭଡ଼ାରେ ରହୁଥିଲେ। କିନ୍ତୁ ୧୫ ଦିନ ତଳେ ଚିଣ୍ଟୁ ମହିଳାଙ୍କୁ ତାଙ୍କ ଘରଲୋକଙ୍କ ସହ ଦେଖା କରାଇବାକୁ କହି ବ୍ରହ୍ମପୁର ଷ୍ଟେସନରେ ଛାଡ଼ି ଚାଲିଯାଇଥିଲେ। ଏନେଇ ହିଞ୍ଜିଳି ଥାନାର ଦ୍ଵାରସ୍ଥ ହୋଇଥିଲେ ପୂଜା। ହେଲେ ନ୍ୟାୟ ନମିଳିବାରୁ ଗତ କାଲି ଠାରୁ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଥିଲେ।

Also Read: ମହଙ୍ଗା ପଡ଼ିଲା ପ୍ରେମ ନିବେଦନ, ଯୁବକଙ୍କୁ ପିଟି ପିଟି ମାରିଦେଲେ...

କିନ୍ତୁ ମଙ୍ଗଳବାର ଚିଣ୍ଟୁ ଗୌଡ଼ର ସାନ ଭାଇର ଟାଙ୍ଗିଆ ଆକ୍ରମରେ ତାଙ୍କର ଜୀବନ ଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ, ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି। ଜଣାପଡ଼ିଛି ମହିଳାଙ୍କ ନିଜର କେହି ନଥିଲେ, ସେ ସଂପୂର୍ଣ୍ଣ ବେସାହାରା।