ରାଇରଙ୍ଗପୁର: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ। ଚାଲିଗଲା ମହିଳାଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ମାତକମଡ଼ିହି ଗାଁରେ ମାଟି କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବଡ଼ଭୁଣ୍ଡୁ ଗ୍ରାମର ସିନଗୋ ମୁର୍ମୁ। ସେ ଦୀର୍ଘ ଦିନ ଧରି ମାତକମଡ଼ିହି ସ୍ଥିତ ନିଜ ବାପ ଘରେ ରହିଆସୁଥିଲେ।

ସୂଚନା ଅନୁସାରେ, ସୋମବାର ରାତିରେ ସେ ଘରେ ଶୋଇଥିବା ସମୟରେ ଲଗାଣ ବର୍ଷା ଯୋଗୁ ଘରର ମାଟି କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ସିନଗୋ କାନ୍ଥ ତଳେ ଚାପି ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ତିରିଂ ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମାଟି ତଳୁ ତାଙ୍କୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଯାଇଛି।

Also Read: ମା’କୁ ମାରି ସିମେଣ୍ଟ ପ୍ଲାଷ୍ଟର କରିବା ଘଟଣା, ୭ ଦିନ ପରେ ମିଳିଲା ପରିଚୟ

ସେପଟେ ଘଟଣାସ୍ଥଳରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ସରକାରୀ ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାକୁ ନେଇ ତିରିଂ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।