ପୁରୀ ୦୧।୦୯ : ପୁରୀ କୁମ୍ଭାରପଡ଼ା ଅଞ୍ଚଳରେ ମା'କୁ ମାରି ସିମେଣ୍ଟ ପ୍ଲାଷ୍ଟର କରିଦେବା ଘଟଣାରେ ପୋଲିସକୁ ବଡ଼ ସଫଳତା । ୭ ଦିନ ପରେ ମିଳିଛି ମା’ର ପରିଚୟ । ବୃଦ୍ଧା ହେଲେ ଗଜପତି ଜିଲ୍ଲା କାଶୀନଗର ଥାନା ଅଧୀନ ଖରଡ଼ା ଗାଁର ଅନ୍ନପୂର୍ଣ୍ଣା ଦଳେଇ।

ପୁରୀ ପୋଲିସ ଗଜପତି ଜିଲ୍ଲାର ବିଭିନ୍ନ ଥାନାକୁ ସିସିଟିଭିରୁ ସଂଗୃହୀତ ଫଟୋ ପଠାଇଥିଲା। କାଶୀନଗର ଥାନା ପୁଲିସ ସେହି ଫଟୋକୁ ନେଇ ବିଭିନ୍ନ ଗାଁକୁ ଯାଇଥିଲା। ଖରଡ଼ା ଗାଁରେ ପଚରାଉଚରା ସମୟରେ ଜଣେ ସମ୍ପର୍କୀୟ ଫଟୋକୁ ଚିହ୍ନିଥିଲେ। ପରେ କାଶୀନଗର ପୋଲିସ ସହାୟତାରେ ପୁରୀ ପୋଲିସ ବୃଦ୍ଧାଙ୍କ ପରିଚୟ ପାଇଛି। ଅନ୍ନପୂର୍ଣ୍ଣାଙ୍କ ଦୁଇ ପୁଅ। ସାନ ପୁଅ ମଦନ ଦଳେଇ ମା'କୁ ନିଜ ପାଖରେ ରଖିଥିଲା । ମଦନ ଏବେ ଫେରାର ଅଛି I

Also Read:-ଲୋନ୍ ସୁଝିବାକୁ ମା’ଙ୍କୁ ଗୁହାରି, ମଝିଘରିଆଣୀଙ୍କ ଦାନ ହୁଣ୍ଡିରୁ ମିଳିଲା ମାନସିକ ଚିଠି

ସେପଟେ ପୂରା ଘଟଣା ନେଇ ପୋଲିସକୁ ସୁରାଗ ମିଳିଛି । ମା' ଓ ପୁଅ ପୁରୀକୁ ପ୍ରାୟ ୬ ମାସ ତଳେ ଆସିଥିଲେ। ସେମାନେ ପ୍ରଥମେ ସର୍ବୋଦୟ ନଗରରେ ରହୁଥିଲେ। ପରେ ଜାଇଗଡ଼ ଜାଗା ପତିତପାବନ ଲେନ୍ ନିକଟ ଭଗବାନ ସାହୁଙ୍କ ଘରେ ଭଡ଼ା ରହୁଥିଲା। ଡାକ୍ତରଖାନା ଛକରୁ ଶ୍ରୀଜଗନ୍ନାଥ ବସରେ ଯାତାୟାତ କରୁଥିଲା। ସିଂହଦ୍ଵାର ସମ୍ମୁଖରେ ପାଣି ବୋତଲ ବେପାର କରୁଥିଲା ମଦନ। ସବୁଠାରୁ ଆଶ୍ଚର୍ଯ୍ୟ, ସେ ମା'କୁ କାହା ସହ କ ଥାବାର୍ତ୍ତା କରାଇ ଦେଉନଥିଲା କି ନିଜେ କାହା ସହ ଖୋଲାରେ ଦୁଇ ପଦ କଥା ହେଉନଥିଲା । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି।

ସେହିପରି ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି, ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ l ସମସ୍ତ ପ୍ରମାଣ ଏକାଠି କରାଯାଉଛି। ହ୍ୟୁମାନ ଇଣ୍ଟେଲିଜେନ୍ସ ଏବଂ ଟେକ୍ନିକାଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ଉଦ୍ୟମ ଜାରି ରଖିଥିବା ଏସପି ସୂଚନା ଦେଇଛନ୍ତି।