ବାଲିଗୁଡା, ୧୫।୧୧ : ଧୀରେ ଧୀରେ ବଢ଼ୁଛି ଶୀତ। ସଞ୍ଜ ନଇଁବା ମାତ୍ରେ ଅନୁଭୂତ ହେଉଛି ଶୀତର ପ୍ରକୋପ। ସକାଳୁ ସକାଳୁ ପାହାଡ଼, ପର୍ବତ ଓ ଉପତ୍ୟକାକୁ ଘୋଡ଼ାଇ ରଖୁଛି କୁହୁଡ଼ିର ଧଳା ଚାଦର। ଘାସପତ୍ର ଓ ଗଛଲତା ଉପରେ ଜମି ରହିଥିବା ଶିଶିର ବିନ୍ଦୁ ସୂର୍ଯ୍ୟଙ୍କ ପହିଲି କିରଣରେ ମୋତି ପରି ଝଲସି ଉଠୁଛି। ପ୍ରକୃତିର ଏହି ମନୋରମ ଦୃଶ୍ୟ କନ୍ଧମାଳର ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷଣୀୟ କରିଦେଇଛି।

କନ୍ଧମାଳର ନିଆରା ପରିଚୟ ହେଉଛି ଏହାର ପ୍ରାକୃତିକ ପରିବେଶ, ସବୁଜ ବନାନୀ, ଉଚ୍ଚ ପାହାଡ଼ ପର୍ବତ ଓ ନିର୍ମଳ ମୁକ୍ତ ବାୟୁ। ସହରର କୋଳାହଳଠାରୁ ଦୂରରେ ଏଠାକାର ଗ୍ରାମାଞ୍ଚଳରେ ଆଜି ବି ଅନୁଭବ କରିହୁଏ ପ୍ରକୃତିର ଶାନ୍ତ ଓ ସ୍ନିଗ୍ଧ ପରିବେଶ। ସକାଳର ଥଣ୍ଡା ପବନ, ପକ୍ଷୀଙ୍କ କାକଳି ଓ ଗଛପତ୍ରରେ ଶିଶିରର ସ୍ପର୍ଶ ମନକୁ ଆନନ୍ଦିତ କରିଥାଏ। ଶୀତ ଆଗମନ ସହିତ ଦାରିଙ୍ଗବାଡ଼ି, ବେଲଘର, କୋଟଗଡ଼ ସମେତ ଜିଲ୍ଲାର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ପରିବେଶର ରୂପ ବଦଳିବାରେ ଲାଗିଛି। କୁହୁଡ଼ି ଘେରା ପାହାଡ଼ ଓ ସବୁଜିମା ଭରା ଉପତ୍ୟକା ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।

Also Read :- ୧୫ ଦିନ ପରେ ଘଞ୍ଚ ଜଙ୍ଗଲରୁ ଉଦ୍ଧାର ହେଲେ ଶିକ୍ଷକ : ଅକ୍ଟୋବର ୩୦ରୁ ହୋଇଯାଇଥିଲେ ନିଖୋଜ

ପ୍ରକୃତିର ଏହି ଅପୂର୍ବ ଶୋଭା ଉପଭୋଗ କରିବାକୁ ଲୋକଙ୍କ ମନରେ ଉତ୍ସାହ ବଢ଼ୁଛି। ଅନ୍ୟପକ୍ଷରେ ଶୀତ ବଢ଼ିବା ସହ ଗାଁ ଗହଳିରେ ସକାଳ ଓ ସଞ୍ଜ ସମୟରେ ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ଚାଷୀଙ୍କ ପାଇଁ ଶୀତୁଆ ସକାଳର ନିଆରା ଅନୁଭୂତି ଥିବାବେଳେ ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଏକ ମନୋରମ ଋତୁ।