ନୂଆଦିଲ୍ଲୀ: ବିଶ୍ୱର ଶକ୍ତି ସଂକଟକୁ ଦେଖି ଭାରତ ସରକାର ଗତକାଲି(ମାର୍ଚ୍ଚ ୨୬) ପେଟ୍ରୋଲ ଓ ଡିଜେଲ୍ ଉପରେ ୧୦ ଟଙ୍କା ଲେଖାଏ ଉତ୍ପାଦକ ଶୁଳ୍କ ହ୍ରାସ କରିଥିଲେ। ଏହାପରେ ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ହେବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଖୁଚୁରା ତୈଳ ମୂଲ୍ୟ ହ୍ରାସ ହେବାର ସମ୍ଭାବନା ଖୁବ୍ କମ୍ ରହିଛି। ଓଲଟା ନାୟରା କମ୍ପାନୀ ତୈଳ ଦରରେ ବୃଦ୍ଧି କରିଛି।

ଅବଶ୍ୟ ନାୟରାର ଏହି ଦର ବୃଦ୍ଧି ସରକାରଙ୍କ ଶୁଳ୍କ ହ୍ରାସ ଘୋଷଣା ପୂର୍ବରୁ ହୋଇଥିଲା। ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ୍ ଲିଟର ପିଛା ୫ ଟଙ୍କା ବୃଦ୍ଧି କରିଥିବା ବେଳେ ଡିଜେଲ୍ ମୂଲ୍ୟ ପ୍ରତି ଲଟିର ୩ ଟଙ୍କା ବଢ଼ାଇଥିଲା। ହେଲେ ଏବେ ସରକାର ଶୁଳ୍କ ହ୍ରାସ କରିବା ପରେ କମ୍ପାନୀ ତୈଳ ଦର ହ୍ରାସ କରି ନାହିଁ କି ଦର ହ୍ରାସ କରିବାର କୌଣସି ସମ୍ଭାବନା ଦେଖା ଯାଉ ନାହିଁ।

ସରକାରଙ୍କ ନିୟନ୍ତ୍ରଣରେ ନାହିଁ ଦର ହ୍ରାସ ବ୍ୟବସ୍ଥା

ଗୁରୁବାର କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୩ ଟଙ୍କାରୁ ୩ ଟଙ୍କାକୁ ହ୍ରାସ କରିଥିଲେ। ସେହିପରେ ଡିଜେଲ୍ ଉପରେ ନିଆଯାଉଥିବା ୧୦ ଟଙ୍କା ଉତ୍ପାଦ ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି। ହିସାବ ଅନୁସାରେ ସରକାରଙ୍କର ଏହି ଶୁଳ୍କ ହ୍ରାସ ପରେ ଏହାର ଖୁଚୁରା ମୂଲ୍ୟରେ ମଧ୍ୟ ହ୍ରାସ ହେବା କଥା ହେଲେ, ରିଟେଲ ମୂଲ୍ୟ ସିଧାସଳଖ ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ତେଣୁ କମ୍ପାନୀମାନେ ଦର ହ୍ରାସ କରିବାର ସମ୍ଭାବନା ଦେଖା ଯାଉ ନାହିଁ।

Also read-ବଢିଯିବ ଔଷଧ ଦାମ୍ ! ଯୁଦ୍ଧ ପାଇଁ ସବୁ ମହଙ୍ଗା, ଚିନ୍ତାରେ ରୋଗୀ

ତୈଳ ମୂଲ୍ୟ ହ୍ରାସ କରିବା ଏହାର ମାର୍କେଟିଂ କମ୍ପାନୀ- ଇଣ୍ଡିଆନ୍ ଅଏଲ୍ କର୍ପୋରେସନ, ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ ଦ୍ୱାରା ନିର୍ଣ୍ଣୟ କରାଯାଏ। ଏହି କମ୍ପାନୀମାନେ ଖୁଚୁରା ମୂଲ୍ୟ ସଂଶୋଧନ କରିବା ପୂର୍ବରୁ ବିଶ୍ୱବ୍ୟାପୀ ଅଶୋଧିତ ତେଲ ମୂଲ୍ୟ, ବିନିମୟ ମୂଲ୍ୟ ଏବଂ ସେମାନଙ୍କର ନିଜସ୍ୱ ମାର୍ଜିନକୁ ବିଚାରକୁ ନିଅନ୍ତି। ତା’ପରେ ଯାଇ ଦର ହ୍ରାସ କରନ୍ତି।

ଦର ହ୍ରାସର ସମ୍ଭାବନା କ୍ଷୀଣ

ବିଶେଷଜ୍ଞଙ୍କ ମତରେ, ତୈଳ କମ୍ପାନୀଗୁଡ଼ିକ ଏହି ଶୁଳ୍କ ହ୍ରାସର ଲାଭ ତୁରନ୍ତ ଗ୍ରାହକଙ୍କୁ ଦେବାର ସମ୍ଭାବନା କମ ରହିଛି। କାରଣ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ ଗତ କିଛି ସପ୍ତାହ ହେଲା ଅଶୋଧିତ ତୈଳ ମୂଲ୍ୟ ବଢ଼ିବାରେ ଲାଗିଛି। ଆଉ ତୈଳ କମ୍ପାନୀଗୁଡ଼ିକ ବର୍ତ୍ତମାନ ଏହି ଦରବୃଦ୍ଧି ସହ ମୁକାବିଲା କରୁଛନ୍ତି। ତେଣୁ ପେଟ୍ରୋଲ ପମ୍ପରେ ଏହାର ଦର କମିବ ସେ ଆଶା କ୍ଷୀଣ।

Also read- Germany Labour Shortage: ଜର୍ମାନୀରେ ଶ୍ରମିକ ସଙ୍କଟ: ଭାରତ ଠାରୁ ଦକ୍ଷ ଶ୍ରମିକ ଚାହୁଁଛି ୟୁରୋପର ଏହି ଶକ୍ତିଶାଳୀ ରାଷ୍ଟ୍ର

ବର୍ତ୍ତମାନ ସମୟରେ ସରକାରଙ୍କର ଶୁଳ୍କ ହ୍ରାସ କରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। କାରଣ ଏଭଳି ସମୟରେ ଅନ୍ତର୍ଜାତୀୟ ଦରବୃଦ୍ଧିର ସାମ୍ନା କରୁଥିବା କମ୍ପାନୀଗୁଡ଼ିକ ସରକାରଙ୍କ ଠାରୁ ଶୁଳ୍କ ହ୍ରାସର ଆଶା କରନ୍ତି। ଏଥିରେ ସେମାନେ ନିଜର କ୍ଷତି ସହ ମାର୍ଜିନ ଆଡଜଷ୍ଟ କରନ୍ତି। ତେଣୁ ସରକାରଙ୍କର ଏହି ଶୁଳ୍କ ହ୍ରାସର ଫାଇଦା ଗ୍ରାହକଙ୍କୁ ଦେବାର କୌଣସି କାଣ ଦେଖା ଯାଉ ନାହିଁ।

କାହିଁକି ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର ?

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଅନୁଯାୟୀ, ଗତ ମାସରେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ଦ୍ରୁତ ବୃଦ୍ଧି ଘଟିଛି। ବ୍ୟାରେଲ ପ୍ରତି ପ୍ରାୟ ୭୦ ଡଲାରରୁ ପ୍ରାୟ ୧୨୨ ଡଲାରରେ ପହଞ୍ଚିଛି। ଫଳସ୍ୱରୂପ, ସାରା ବିଶ୍ୱରେ ଇନ୍ଧନ ମୂଲ୍ୟରେ ଯଥେଷ୍ଟ ବୃଦ୍ଧି ଘଟିଛି। ଅନେକ ଦେଶରେ ୩୦% ରୁ ୫୦% ପର୍ଯ୍ୟନ୍ତ ଦର ବୃଦ୍ଧି ଘଟିଥିବା ରିପୋର୍ଟ ମିଳିଛି। ତେଣୁ ଏହାର ଚାପ ସମ୍ପୂର୍ଣ୍ଣ ଜନତାଙ୍କ ଉପରେ ନ ପକାଇ କିଛି ଭାଗ ସରକାର ଉଠାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ସରକାର ସମ୍ପୂର୍ଣ୍ଣ ପ୍ରଭାବ ଗ୍ରାହକଙ୍କ ଉପରେ ପକାଇବା କିମ୍ବା ଆଘାତର ଏକ ଅଂଶ ଗ୍ରହଣ କରିବା ମଧ୍ୟରୁ ଗୋଟିଏ ବିକଳ୍ପର ସମ୍ମୁଖୀନ ହୋଇଛନ୍ତି। ସେ ସୂଚାଇ ଦେଇଛନ୍ତି ଯେ ଉତ୍ପାଦ ଶୁଳ୍କ ହ୍ରାସ କରିବାର ନିଷ୍ପତ୍ତି ସରକାରୀ ରାଜସ୍ୱ ଉପରେ ପ୍ରଭାବ ପକାଇ ଭାରତୀୟ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ନିଆଯାଇଛି।

ମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ତୈଳ ବିପଣନ କମ୍ପାନୀଗୁଡ଼ିକ ବହୁତ କ୍ଷତି ସହୁଛନ୍ତି। ବର୍ତ୍ତମାନର ବିଶ୍ୱ ମୂଲ୍ୟରେ ପେଟ୍ରୋଲ ଉପରେ ପ୍ରତି ଲିଟର ପ୍ରାୟ ୨୪ ଟଙ୍କା ଏବଂ ଡିଜେଲ ଉପରେ ପ୍ରତି ଲିଟର ୩୦ ଟଙ୍କା କ୍ଷତି ହେଉଛି ବୋଲି ଆକଳନ କରାଯାଇଛି। ଏବଂ ଶୁଳ୍କ ହ୍ରାସ ଏହି ଚାପକୁ କିଛି ମାତ୍ରାରେ କମ କରିବାରେ ସାହାଯ୍ୟ କରିବ ବୋଲି ମନ୍ତ୍ରୀ କହିଛନ୍ତି। ତେଣୁ ମନ୍ତ୍ରୀଙ୍କ କଥା ଅନୁସାରେ ଏହି ଶୁଳ୍କ ହ୍ରାସ କମ୍ପାନୀକୁ ଚାପ ମୁକ୍ତ କରିବା ପାଇଁ କରାଯାଇଛି। ଯେହେତୁ ଯୁଦ୍ଧ ଜାରି ରହିଛି ତେଣୁ କୌଣସି ବି ମୁହୂର୍ତ୍ତରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢ଼ିପାରେ, ଫଳରେ କମ୍ପାନୀ ଉପରେ ଅତିରିକ୍ତ ଚାପ ପଡ଼ିପାରେ। ତେଣୁ ଏହା ଶୁଳ୍କ ହ୍ରାସ ଭାରତୀୟ ତୈଳ ବିପଣନ କମ୍ପାନୀଗୁଡ଼ିକ ଉପରେ ଚାପ କମାଇବାକୁ କରାଯାଇଛି।

ଇନ୍ଧନ ମୂଲ୍ୟକୁ ପ୍ରଭାବିତ କରୁଥିବା ସବୁଠାରୁ ବଡ଼ କାରଣ ହେଉଛି ବିଶ୍ୱବ୍ୟାପୀ ଅଶୋଧିତ ତୈଳ ଦର ବୃଦ୍ଧି। ବ୍ରେଣ୍ଟ ଅଶୋଧିତ ତୈଳ ଏବେ ବି ପ୍ରତି ବ୍ୟାରେଲ $୧୦୦ ଉପରେ କାରବାର କରୁଛି। ଲାଗି ରହିଥିବା ଭୂରାଜନୈତିକ ବିପଦ ଏବଂ ଯୋଗାଣରେ ଅନିଶ୍ଚିତତା ଯୋଗୁ ଏଭଳି ସ୍ଥିତି ଦେଖା ଦେଇଛି।

Also read - New Excise Policy 2026: ରାଜ୍ୟରେ ଆସିଲା ନୂଆ ଅବକାରୀ ନୀତି, ଆଉ ଖୋଲିବନି ନୂଆ ମଦ ଦୋକାନ