କଲୋମ୍ବୋଇରାନ ଯୁଦ୍ଧ ବେଳେ ଅଶୋଧିତ ତୈଳ ଯୋଗାଣ ସଙ୍କଟ ଯୋଗୁ ତୈଳ ଦର ବଢ଼ାଇଲା ଶ୍ରୀଲଙ୍କା। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୨୫% ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଶ୍ରୀଲଙ୍କା ସରକାର। ମାର୍ଚ୍ଚ ୨୨ ତାରିଖରେ ହୋଇଥିବା ଏହି ବୃଦ୍ଧି ପରେ, ରେଗୁଲାର ପେଟ୍ରୋଲର ମୂଲ୍ୟରେ ୮୧ ଶ୍ରୀଲଙ୍କା ଟଙ୍କା ବଢ଼ି ଏକ ଲିଟର ଦାମ ୩୯୮ ଶ୍ରୀଲଙ୍କା ଟଙ୍କା ହୋଇଛି। ସେହିପରି ଡିଜେଲ ମଧ୍ୟ ୭୯ ଟଙ୍କା ମହଙ୍ଗା ହୋଇ ଲିଟର ୩୮୨ ଟଙ୍କାରେ ପହଞ୍ଚିଛି।

ଗତ ଦୁଇ ସପ୍ତାହ ମଧ୍ୟରେ ଶ୍ରୀଲଙ୍କାରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏହା ଦ୍ୱିତୀୟ ବୃଦ୍ଧି। ପୂର୍ବ ସପ୍ତାହରେ ଏହା ୮% ବୃଦ୍ଧି ହୋଇଥିଲା। ପରିସ୍ଥିତି ଖରାପ ହେଉଥିବା ଦେଖି ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ଦେଶରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିଛନ୍ତି। ଅର୍ଥାତ୍ ସପ୍ତାହରେ ମାତ୍ର ୪ ଦିନ କାମ କରାଯିବ, ବାକି ୩ ଦିନ ଛୁଟି ରହିବ। ସେହିପରି କମ୍ପାନୀଗୁଡ଼ିକୁ ଘରୁ କାମ କରିବାକୁ କହିଛନ୍ତି।

ଇନ୍ଧନ ବଞ୍ଚାଇବାକୁ ଶ୍ରୀଲଙ୍କା ସରକାରର ପଦକ୍ଷେପ

ସିଏଲନ୍ ପେଟ୍ରୋଲିୟମ୍ କର୍ପୋରେସନ୍ (ସିପିସି)ର ଜଣେ ଅଧିକାରୀ କହିଛନ୍ତି ଯେ ଦେଶରେ ଇନ୍ଧନ ବ୍ୟବହାରକୁ ୧୫ ରୁ ୨୦% ହ୍ରାସ କରିବା ପାଇଁ ଶ୍ରୀଲଙ୍କା ସରକାର ଗୁରୁତ୍ୱପୂର୍ଣ୍ଣ ମୂଲ୍ୟ ବୃଦ୍ଧି କରିଛନ୍ତି। ରାଷ୍ଟ୍ରପତି ଦିଶାନାୟକେ ଗତ ବୁଧବାରଠାରୁ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସପ୍ତାହରେ କେବଳ ଚାରି ଦିନ କାମ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି।

Also read- ହୋର୍ମୁଜ ପ୍ରଣାଳୀରୁ ମାଇନ୍ସ ସଫା କରିବାକୁ ରାଜି ହେଲା ଜାପାନ, ଜାଣନ୍ତୁ କେମିତି ହେବ?

ଏଥିସହିତ, ଯଥା ସମ୍ଭବ, କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ଅନୁମତି ଦେବାକୁ ରାଷ୍ଟ୍ରପତି କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଦ୍ଵାରା ରାସ୍ତାରେ କମ୍ ଯାନବାହନ ରହିବ ଏବଂ ଇନ୍ଧନ ସଞ୍ଚୟ ହୋଇପାରିବ।

ହରମୁଜ ସଂକଟ ଶ୍ରୀଲଙ୍କା ପାଇଁ ଚିନ୍ତାର କାରଣ

ଇରାନ ଯୁଦ୍ଧରେ ଶ୍ରୀଲଙ୍କା ଉପରେ ଗମ୍ଭୀର ପ୍ରଭାବ ପଡ଼ିଛି। ଯେହେତୁ ହରମୁଜ ଜଳପଥ ଦେଇ ବିଶ୍ୱର ୨୦ ପ୍ରତିଶତ ଇନ୍ଧନ ଯୋଗାଣ ହେଉଥିଲା, ଏହା ବନ୍ଦ ହେବା ପରେ ସାରା ବିଶ୍ୱରେ ସ୍ଥିତି ସଂକଟାପନ୍ନ ହୋଇଛି। ଭାରତରେ ବି ସ୍ଥିତି ଖରାପ ରହିଛି।

ତେବେ ଶ୍ରୀଲଙ୍କା ସରକାର ଚେତାବନୀ ଦେଇଛନ୍ତି ଯେ ଯଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହେ, ତେବେ ସ୍ଥିତି ସାଂଘାତିକ ହୋଇଯିବ। ୨୦୨୨ର ଆର୍ଥିକ ସଙ୍କଟରୁ ପୁନରୁଦ୍ଧାର କରିବା ଶ୍ରୀଲଙ୍କା ପାଇଁ କଷ୍ଟକର ହୋଇଯିବ। ୨୦୨୨ରେ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ସରିଯିବା ପରେ ଶ୍ରୀଲଙ୍କା ଏହାର ୪୬ ବିଲିୟନ ଡଲାର ବୈଦେଶିକ ଋଣ ଉପରେ ସୋଭରେନ ଡିଫଲ୍ଟ ଘୋଷଣା କରିଥିଲା। ଏହାପରେ ଶ୍ରୀଲଙ୍କାକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଠାରୁ $୨.୯ ବିଲିୟନ ଡଲାର ବେଲଆଉଟ୍ ପ୍ୟାକେଜ୍ ମିଳିଥିଲା। ଏଥିରେ ପରିସ୍ଥିତିରେ ସାମାନ୍ୟ ଉନ୍ନତି ଆସିଥିଲା। କିନ୍ତୁ ବର୍ତ୍ତମାନ ଯୁଦ୍ଧ ପୁଣି ଥରେ ପୁନରୁଦ୍ଧାରର ଆଶାକୁ ଧୂଳିସାତ୍ କରିଦେଇଛି।

Also read- ଇରାନର ବଡ଼ ଦାବି,ହୋର୍ମୁଜ ନିକଟରେ ଖସାଇ ଦେଇଛି ଶତ୍ରୁର F-15 ଯୁଦ୍ଧବିମାନ

ସିଙ୍ଗାପୁର ଏବଂ ମାଲେସିଆରୁ ତେଲ ଆମଦାନୀ କରେ ଶ୍ରୀଲଙ୍କା

ଶ୍ରୀଲଙ୍କା ଏହାର ରିଫାଇନାରୀ ପାଇଁ ମଧ୍ୟପ୍ରାଚ୍ୟରୁ ଅଶୋଧିତ ତୈଳ ଆମଦାନୀ କରିଥାଏ। ତେବେ ବିଶୋଧିତ ପେଟ୍ରୋଲିୟମ ଉତ୍ପାଦ ପାଇଁ ସିଙ୍ଗାପୁର, ମାଲେସିଆ ଏବଂ ଦକ୍ଷିଣ କୋରିଆ ଉପରେ ନିର୍ଭର କରେ। ଇରାନ ଦ୍ୱାରା ନିର୍ମିତ ଶ୍ରୀଲଙ୍କାର ଏକମାତ୍ର ରିଫାଇନାରୀ ମଧ୍ୟ ଏବେ ଅଶୋଧିତ ତୈଳର ଅଭାବର ସମ୍ମୁଖୀନ ହେଉଛି। ତେଣୁ ଶକ୍ତି ସଂକଟକୁ ଦେଖି ଶ୍ରୀଲଙ୍କା ସରକାର ଇନ୍ଧନ ଷ୍ଟକ୍ କରିବାରେ ଲାଗିପଡ଼ିଛନ୍ତି।