ନୂଆଦିଲ୍ଲୀ ୨୧।୦୩: ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ବଡ଼ ଟିପ୍ପଣୀ କରିଛନ୍ତି । ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, "ପତ୍ନୀ ଜଣେ ଘରୋଇ ସହାୟିକା ନୁହଁନ୍ତି, ସେ ହେଉଛନ୍ତି ଜୀବନସାଥୀ ।" ଘର କାମ ନ କରିବା କିମ୍ବା ରୋଷେଇ ନ କରିବାକୁ 'କ୍ରୂରତା' ବୋଲି କୁହାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ମାମଲାର ଶୁଣାଣି ବେଳେ ଜଷ୍ଟିସ ସନ୍ଦୀପ ମେହେଟ୍ଟା କହିଛନ୍ତି, "ଆପଣ କୌଣସି ଘରୋଇ ସହାୟିକାକୁ ବିବାହ କରୁନାହାନ୍ତି, ଆପଣ ଜଣେ ଜୀବନସାଥୀଙ୍କୁ ବିବାହ କରୁଛନ୍ତି । ସେହିପରି ଜଷ୍ଟିସ ବିକ୍ରମ ନାଥ କହିଛନ୍ତି ଯେ, ସମୟ ବଦଳିଛି ଏବଂ ବର୍ତ୍ତମାନର ଯୁଗରେ ରୋଷେଇ କରିବା କିମ୍ବା ଲୁଗା ସଫା କରିବା ଭଳି କାମରେ ସ୍ୱାମୀଙ୍କୁ ମଧ୍ୟ ସମାନ ସହଯୋଗ କରିବାକୁ ପଡ଼ିବ ।

ପୂରା ଘଟଣା ?

ଏହି ମାମଲାଟି ୨୦୧୭ ମସିହାରେ ବିବାହ କରିଥିବା ଏକ ଦମ୍ପତିଙ୍କର, ଯାହାଙ୍କର ଏକ ୮ ବର୍ଷର ପୁଅ ମଧ୍ୟ ଅଛି । ସ୍ୱାମୀଙ୍କ ଅଭିଯୋଗ ଅନୁସାରେ, ବିବାହର କିଛି ଦିନ ପରେ ସ୍ତ୍ରୀ ଖରାପ ବ୍ୟବହାର କରିବା ଆରମ୍ଭ କଲେ। ସେ ରୋଷେଇ କରୁନାହାନ୍ତି, ପରିବାର ଲୋକଙ୍କୁ ଗାଳିଗୁଲଜ କରୁଛନ୍ତି ଏବଂ ପୁଅର ନାମକରଣ ଉତ୍ସବକୁ ମଧ୍ୟ ତାଙ୍କୁ ଡାକିନଥିଲେ। ଏହି ଆଧାରରେ ସ୍ୱାମୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ଅନ୍ୟପଟେ ପତ୍ନୀ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଓଲଟା ସ୍ୱାମୀ ଓ ତାଙ୍କ ପରିବାର ଉପରେ ନଗଦ ଟଙ୍କା ଓ ସୁନା ଦାବି ଭଳି ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଥିଲେ ।

ପ୍ରଥମେ ଫ୍ୟାମିଲି କୋର୍ଟ ପତ୍ନୀଙ୍କ ବ୍ୟବହାରକୁ 'କ୍ରୂରତା' ଦର୍ଶାଇ ସ୍ୱାମୀଙ୍କୁ ଛାଡ଼ପତ୍ର ମଞ୍ଜୁର କରିଥିଲେ । କିନ୍ତୁ ପତ୍ନୀ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଠି ହାଇକୋର୍ଟ ଛାଡ଼ପତ୍ର ଆଦେଶକୁ ରଦ୍ଦ କରିଦେଇଥିଲେ। ଏହାପରେ ସ୍ୱାମୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଏହି ମାମଲାକୁ ସମାଧାନ ପାଇଁ ମଧ୍ୟସ୍ଥତା କେନ୍ଦ୍ରକୁ ପଠାଇଥିଲେ ମଧ୍ୟ ସେଠାରେ କୌଣସି ସମାଧାନ ହୋଇପାରି ନାହିଁ । ତେଣୁ କୋର୍ଟ ଆଗାମୀ ଶୁଣାଣିରେ ଉଭୟ ପକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟ ସମାଜରେ ପୁରୁଷ ଏବଂ ମହିଳାଙ୍କ ସମାନ ଅଧିକାର ଓ ପାରିବାରିକ ଦାୟିତ୍ୱକୁ ନେଇ ଏକ ବଡ଼ ବାର୍ତ୍ତା ଦେଇଛି ।

Also Read- Laljit Singh Resigned: ଅଧିକାରୀଙ୍କ ଆତ୍ମହତ୍ୟା ପାଇଁ ଦାୟୀ ମନ୍ତ୍ରୀ ! ଇସ୍ତଫା ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ