ନୂଆଦିଲ୍ଲୀ: ପଞ୍ଜାବର ଜଣେ ମନ୍ତ୍ରୀ ଲାଲଜିତ ସିଂହ ଭୁଲ୍ଲର ଇସ୍ତଫା ଦେଇଛନ୍ତି । ପଞ୍ଜାବ ୱେୟାରହାଉସିଂ କର୍ପୋରେସନର ଜିଲ୍ଲା ପରିଚାଳକ ଗଗନଦୀପ ସିଂହ ରନ୍ଧାୱାଙ୍କ ଆତ୍ମହତ୍ୟା ପରେ ମନ୍ତ୍ରୀ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଆତ୍ମହତ୍ୟା ପୂର୍ବରୁ ଗଗନଦୀପ ଏକ ଭିଡିଓ ମାଧ୍ୟମରେ ପରିବହନ ମନ୍ତ୍ରୀ ଲାଲଜିତ ସିଂହଙ୍କୁ ଦାୟୀ କରିଥିଲେ । ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଲାଲଜିତଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିଦେଇଛନ୍ତି ।

ଘଟଣା ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ କହିଛନ୍ତି ଯେ, ଜଣେ ଅଧିକାରୀଙ୍କ ଆତ୍ମହତ୍ୟା ଏବଂ ଏଥିପାଇଁ ମନ୍ତ୍ରୀଙ୍କୁ ଦାୟୀ କରିବା ମାମଲା ସାମ୍ନାକୁ ଆସିଛି । ଏହି କାରଣରୁ ଭୁଲ୍ଲରଙ୍କ ଇସ୍ତଫା ଗ୍ରହଣ କରାଯାଇଛି ।

କଣ କହିଲେ ମୁଖ୍ୟମନ୍ତ୍ରୀ ?

ସେ କହିଛନ୍ତି, ‘ଲାଲଜିତ ସିଂହ ଭୁଲ୍ଲରଙ୍କ ଇସ୍ତଫା ଗ୍ରହଣ କରାଯାଇଛି । ଫଳରେ ଲାଲଜିତ ତଦନ୍ତକୁ ପ୍ରଭାବିତ କରିପାରିବେ ନାହିଁ । ମୁଖ୍ୟ ସଚିବଙ୍କୁ ଏହି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତରୁ ଯାହା ତଥ୍ୟ ମିଳିବ, ତାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯିବ।’ ପ୍ରକୃତରେ, ଗଗନଦୀପ ସିଂହ ରନ୍ଧାୱା ସଲଫା ଖାଇବା ପୂର୍ବରୁ ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ, ସେ ମନ୍ତ୍ରୀ ଭୁଲ୍ଲରଙ୍କ ଯୋଗୁଁ ଏହି ପଦକ୍ଷେପ ନେଉଛନ୍ତି।

କଣ୍ଟ୍ରାକ୍ଟ ପାଇଁ ଚାପ

ଜଣେ ନିକଟତର ବ୍ୟକ୍ତିଙ୍କୁ କଣ୍ଟ୍ରାକ୍ଟ ଦେବା ପାଇଁ ଗଗନଦୀପଙ୍କ ଉପରେ ଚାପ ପକାଇଥିଲେ ମନ୍ତ୍ରୀ । ରନ୍ଧାୱା ତରନ ତାରନ ଜିଲ୍ଲାର ଲାଲଜିତ ସିଂହ ଭୁଲ୍ଲରଙ୍କ ନିର୍ବାଚନମଣ୍ଡଳୀର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ଅଭିଯୋଗ ହୋଇଛି ଯେ, ଅଧିକାରୀଙ୍କୁ କଣ୍ଟ୍ରାକ୍ଟ ପ୍ରଦାନ କରିବା ପାଇଁ ବାଧ୍ୟ କରାଯାଇଥିଲା ଏବଂ ମନ୍ତ୍ରୀ ଭୁଲ୍ଲରଙ୍କ ବାସଭବନରେ ତାଙ୍କୁ ଆକ୍ରମଣ ମଧ୍ୟ କରାଯାଇଥିଲା।

ଭୁଲ୍ଲରଙ୍କ ବିରୋଧରେ ମାମଲା ପାଇଁ ଦାବି

ଅଧିକାରୀଙ୍କ ଆତ୍ମହତ୍ୟା ଏବଂ ମନ୍ତ୍ରୀଙ୍କ ବହିଷ୍କାର ପରେ, ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। କଂଗ୍ରେସ ନେତା ଏବଂ ଅମୃତସର ସାଂସଦ ଗୁରଜିତ ଆଉଜଲା କହିଛନ୍ତି ଯେ, ଅଧିକାରୀମାନେ ମାମଲାକୁ ଚପାଇବାକୁ ଚେଷ୍ଟା କରିଛନ୍ତି। ପିଜିଆଇ ଚଣ୍ଡିଗଡ଼ରେ ମୃତକଙ୍କ ପୋଷ୍ଟମର୍ଟମ୍ କରାଯିବା ସହ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି ଗୁରଜିତ। ପଞ୍ଜାବ ବିଜେପି ସଭାପତି ସୁନୀଲ ଜାଖର କହିଛନ୍ତି ଯେ, ଏହା ରାଜ୍ୟରେ ଦୁର୍ନୀତିର ମାତ୍ରାକୁ ଦର୍ଶାଉଛି। ସେ ମନ୍ତ୍ରୀ ଭୁଲ୍ଲରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ଦାବି କରିଛନ୍ତି। ଶିରୋମଣି ଅକାଳି ଦଳ ନେତା ବିକ୍ରମ ସିଂହ ମାଜିଥିଆ ମଧ୍ୟ ଏହି ମାମଲାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।