ନୂଆଦିଲ୍ଲୀ: ହୃଷ୍ଟପୁଷ୍ଟ ଶରୀର, ବାହାରୁ ଶବଳ ଓ ସୁସ୍ଥ ନଜର ଆସୁଥିବା ବଡିବିଲ୍ଡର ହଠାତ୍ ଦୁନିଆ ଛାଡ଼ୁଛନ୍ତି । ବାହାରୁ ଶକ୍ତିଶାଳୀ ଏବଂ ଫିଟ୍ ଦେଖାଯାଉଥିବା ବଡିବିଲ୍ଡରମାନେ ହଠାତ୍ କମ୍ ବୟସରେ ଦୁନିଆ ଛାଡ଼ି ଚାଲିଯାଉଛନ୍ତି। ନିକଟରେ ବ୍ରାଜିଲର ଜଣେ ପ୍ରସିଦ୍ଧ ଫିଟନେସ୍ ଇନଫ୍ଲୁଏନ୍ସର ଜିମ୍ରୁ ନିଜର ଫଟୋ ପୋଷ୍ଟ କରିବାର କିଛି ଘଣ୍ଟା ପରେ ହଠାତ୍ ପ୍ରାଣ ହରାଇଥିଲେ । କେବଳ ସେତିକି ନୁହେଁ, ଆମେରିକା, ଜର୍ମାନୀ, ବ୍ରାଜିଲ ଏବଂ ଭାରତର ଅନେକ ନାମୀଦାମୀ ବଡିବିଲ୍ଡରଙ୍କର ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟ ଯୋଗୁଁ ମୃତ୍ୟୁ ଘଟିଛି ।

କେବଳ ୨୦୨୫ ମସିହାରେ ୫୦ରୁ ଅଧିକ ପ୍ରଫେସନାଲ୍ ବଡିବିଲ୍ଡରଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ଅଧିକାଂଶଙ୍କ ବୟସ ୩୦ ବର୍ଷ ପାଖାପାଖି ଥିଲା । ଏଥିରେ ପଞ୍ଜାବର ପ୍ରସିଦ୍ଧ ବଡିବିଲ୍ଡର-ଅଭିନେତା ୱରିନ୍ଦର ସିଂହ ଘୁମନ୍ ମଧ୍ୟ ସାମିଲ ଥିଲେ, ଯାହାଙ୍କ କାନ୍ଧ ଅପରେସନ୍ ସମୟରେ କାର୍ଡିଆକ୍ ଆରେଷ୍ଟ ଯୋଗୁଁ ଆଖି ବୁଜିଥିଲେ । ଡିସେମ୍ୱରରେ ଜଣେ ନବାଗତ ବ୍ରାଜିଲିୟନ୍ ଆଥଲିଟଙ୍କ ମାତ୍ର ୨୫ ବର୍ଷ ବୟସରେ କାର୍ଟିଆକ୍ ଆରେଷ୍ଟରେ ପ୍ରାଣ ହରାଇଥିଲେ । ଭାରତର ଜଣେ ପାୱାରଲିଫ୍ଟର ମଧ୍ୟ ୩୩୦ ପାଉଣ୍ଡ ବେଞ୍ଚ୍ ପ୍ରେସ୍ ଏବଂ ୭୭୦ ପାଉଣ୍ଡ ଡେଡଲିଫ୍ଟ ଛାତିରେ ଯନ୍ତ୍ରଣା ଅନୁଭବ କରି ମଇଦାନରେ ହିଁ ଟଳି ପଡ଼ିଥିଲେ ।

କେଉଁଠି ବିପଦ, କାରଣ କ’ଣ ?

ପ୍ରୋଫେସନାଲ୍ ବଡିବିଲ୍ଡରମାନଙ୍କଠାରେ ସାଧାରଣ ଲୋକଙ୍କ ତୁଳନାରେ ହଠାତ୍ କାର୍ଡିଆକ୍ ଆରେଷ୍ଟ ହେବାର ବିପଦ ୫ ଗୁଣ ଅଧିକ । ଆନାବୋଲିକ୍ ଷ୍ଟେରଏଡ୍ ବ୍ୟବହାର କରୁଥିବା ଲୋକଙ୍କଠାରେ ହୃତପିଣ୍ଡର ମାଂସପେଶୀ ଦୁର୍ବଳ ହେବାର ବିପଦ ୯ ଗୁଣ ଅଧିକ ଥାଏ । କେବଳ ଷ୍ଟେରଏଡ୍ ନୁହେଁ, ପ୍ରତିଯୋଗିତା ପୂର୍ବରୁ ଶରୀରରୁ ଜଳୀୟ ଅଂଶ କମାଇବା ଏବଂ ଅତ୍ୟାଧିକ ଟ୍ରେନିଂ ହୃତପିଣ୍ଡ ଉପରେ ଗମ୍ଭୀର ଚାପ ପକାଇଥାଏ । ପୋଷ୍ଟମୋର୍ଟମ୍ ରିପୋର୍ଟରୁ ଜଣାପଡ଼ିଛି ଯେ ଅନେକ ବଡିବିଲ୍ଡରଙ୍କ ହୃତପିଣ୍ଡ ସାଧାରଣ ଆକାରଠାରୁ ବହୁତ ବଡ଼ ଏବଂ ଏହାର ମାଂସପେଶୀ ୧୨୫% ପର୍ଯ୍ୟନ୍ତ ମୋଟା ହୋଇଯାଉଛି ।

୨୦,୦୦୦ ବଡିବିଲ୍ଡରଙ୍କ ଉପରେ ଗବେଷଣା

ୟୁରୋପିଆନ୍ ହାର୍ଟ ଜର୍ନାଲରେ ପ୍ରକାଶିତ ଇଟାଲୀର ପାଡୁଆ ବିଶ୍ୱବିଦ୍ୟାଳୟର (University of Padua) ଗବେଷଣା ଅନୁଯାୟୀ, International Federation of Bodybuilding and Fitness (IFBB)ର ୨୦,୩୦୦ରୁ ଅଧିକ ଆଥଲେଟଙ୍କ ଉପରେ ଦୀର୍ଘ ୮ ବର୍ଷ ଧରି ନଜର ରଖାଯାଇଥିଲା । ଏଥିରେ ୧୨୧ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଥିଲା, ଯେଉଁଥିରୁ ୪୬ ଜଣଙ୍କ ମୃତ୍ୟୁର କାରଣ ହଠାତ୍ କାର୍ଡିଆକ୍ ଆରେଷ୍ଟ ଥିଲା ଏବଂ ସେମାନଙ୍କ ହାରାହାରି ବୟସ ମାତ୍ର ୩୪.୭ ବର୍ଷ ଥିଲା ।

ମୃତ୍ୟୁ ପଛର ମୁଖ୍ୟ କାରଣଗୁଡ଼ିକ

ଡେନମାର୍କର ଗବେଷକଙ୍କ ଅନୁଯାୟୀ, ଷ୍ଟେରଏଡ୍ ନେଉଥିବା ବ୍ୟକ୍ତିଙ୍କଠାରେ ହାର୍ଟ ଆଟାକ୍ ଓ ହୃଦସ୍ପନ୍ଦନ ବନ୍ଦ ହେବାର ବିପଦ ୩ ଗୁଣରୁ ଅଧିକ ବଢ଼ିଯାଏ । ଏହା ରକ୍ତଚାପ ବଢ଼ାଏ ଏବଂ ଧମନୀରେ ଚର୍ବି ଜମା କରିଦିଏ । ବଡିବିଲ୍ଡରମାନଙ୍କର ହୃତପିଣ୍ଡର ଓଜନ ସାଧାରଣ ପୁରୁଷଙ୍କ ହୃତପିଣ୍ଡ (ଯାହା ପ୍ରାୟ ୩୦୦ ଗ୍ରାମ୍) ତୁଳନାରେ ଦୁଇଗୁଣରୁ ଅଧିକ (୮୦୦ ଗ୍ରାମ୍ରୁ ଅଧିକ) ହୋଇଯାଏ । ମାଂସପେଶୀକୁ ବଡ଼ ଦେଖାଇବା ପାଇଁ ବ୍ୟବହୃତ ସିନ୍ଥୋଲ୍ ଇଞ୍ଜେକ୍ସନ୍ ଏବଂ ଅସୁରକ୍ଷିତ ଔଷଧ ସେବନ ଯୋଗୁଁ ଅଙ୍ଗପ୍ରତ୍ୟଙ୍ଗ ନଷ୍ଟ ହୋଇଥାଏ ।