ନୂଆଦିଲ୍ଲୀ, ୧୩।୧୧ : ସଂଯୁକ୍ତ ଆରବ ଏମିରେଟସ୍ (ୟୁଏଇ)ର ମିନା ସକର ଉପକୂଳରେ ଏକ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରାଯାଇଛି। ଲାଇବ୍ରେରିଆ ପତକା ଲାଗିଥିବା ଏମଟି ଡୋମିନିକା ପ୍ରସପରିଟି ନାମକ ଏହି ଟ୍ୟାଙ୍କରରେ ୧୯ ଜଣ ଭାରତୀୟଙ୍କ ସମେତ ମୋଟ ୨୨ ନାବିକ ଥିଲେ । ସେମାନେ ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିବା କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ ସୂଚନା ଦେଇଛନ୍ତି।

ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ ଆକ୍ରମଣ ପରେ ଟ୍ୟାଙ୍କରରେ ନିଆଁ ଲାଗି ଯାଇଥିଲା। ଫଳରେ ଏହାର ବ୍ୟାପକ କ୍ଷୟକ୍ଷତି ଘଟିବା ସହ ଏହା ଗୋଟିଏ କଡକୁ ଢ଼ଳି ରହିଥିଲା । ସୂଚନା ମିଳିବା ପରେ ତୁରନ୍ତ ୟୁଏଇ ତଟରକ୍ଷୀ ବାହିନୀ ସେଠାରେ ପହଞ୍ଚି ନାବିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଭାରତୀୟ ନାବିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ସରକାର ଜାହାଜ ଚଳାଚଳ କମ୍ପାନିଙ୍କ ସହ ନିୟମିତ ଯୋଗାଯୋଗରେ ରହିଛନ୍ତି।

ଏହା ପୂର୍ବରୁ ବୁଧବାର ହୋର୍ମୁଜରେ ସାଉଦି ଆରବ ପତାକା ଲାଗିଥିବା ଏକ ତୈଳ ଟ୍ୟାଙ୍କର ଏନସିସି ଫାଜର ଉପରେ ଆକ୍ରମଣ ହୋଇଛି। ତେବେ ଏଥିରେ ଥିବା ୩ ଜଣ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେହିଭଳି ଗତ ୧୦ ତାରିଖରେ ପାରସ୍ୟ ଉପସାଗରରେ ଅନ୍ୟ ଏକ ତୈଳ ଟ୍ୟାଙ୍କର ଏମଟି ଫୁଜୈରା ଏନର୍ଜି ଉପରେ ମଧ୍ଯ ଆକ୍ରମଣ କରାଯାଇଥିଲା। ସେଥିରେ ୬ ଜଣ ଭାରତୀୟଙ୍କ ସମେତ ମୋଟ ୨୨ ଜଣ ନାବିକ ଥିଲେ।

Also Read :- ଆସୁଛି ବାତ୍ୟା ! ଆଜି ଲଘୁଚାପର ରୂପ ନେବ, ଏହି ଜାଗାରେ କରିପାରେ ଲ୍ୟାଣ୍ଡଫଲ୍

ଉକ୍ତ ଟ୍ୟାଙ୍କରଟି ଅଲ୍ ରୁଓ୍ବାଇସରୁ ଦୁବାଇ ଯାଉଥିଲା ବେଳେ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୪ ଜଣ ନାବିକ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୧୮ ଜଣ ନାବିକ ସୁରକ୍ଷିତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସୋନୋଓ୍ୱାଲ ଏକ୍ସରେ ସୂଚନା ଦେଇଛନ୍ତି।