ନୂଆଦିଲ୍ଲୀ ୧୩।୧୧; ୟୁଏଇର ଫୁଜାଇରାହରେ ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ନିୟନ୍ତ୍ରଣହୀନ ଟ୍ରକ୍ର ତାଣ୍ଡବରେ ଚାଲିଗଲା ୧୪ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ନାଗରିକ। ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି। ଏକାଧିକ ଗାଡ଼ିକୁ ଧକ୍କା ଦେବା ପରେ ଟ୍ରକ୍ରୁ ସୃଷ୍ଟି ହୋଇଥିଲା ଭୟଙ୍କର ଅଗ୍ନିକାଣ୍ଡ। ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଭାରତୀୟ କନସୁଲେଟ୍ ପକ୍ଷରୁ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତାର ଆଶ୍ୱାସନା ଦିଆଯାଇଛି।

ପ୍ରାଥମିକ ସୂଚନା ଅନୁସାରେ, ଫୁଜାଇରାହ୍ରେ ଏକ ନିୟନ୍ତ୍ରଣହୀନ ଟ୍ରକ୍ ଏକାଧିକ ଅର୍ଥାତ୍ ୨୩ଟି ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ ମୋଟ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଭାରତୀୟ ଓ ୟୁଏଇର ସ୍ଥାନୀୟ ନାଗରିକ ଥିବା ସୂଚନା ମିଳିଛି। ସେହିପରି ଆହତଙ୍କ ମଧ୍ୟରେ ଭାରତ, ୟୁଏଇ, ଓମାନ, ବ୍ରାଜିଲ, ପାକିସ୍ତାନ, ଜୋର୍ଡାନ ଓ ଇଜିପ୍ଟର ନାଗରିକ ରହିଛନ୍ତି।

ଘଟଣାକୁ ନେଇ ୟୁଏଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ 'X'ରେ ସୂଚନା ଦିଆଯାଇଛି। ଦୁର୍ଘଟଣା ପରେ ତୁରନ୍ତ ଜରୁରୀକାଳୀନ ଓ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା। ଆହତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ଅନ୍ୟପଟେ, ୟୁଏଇ ସ୍ଥିତ ଭାରତୀୟ କନସୁଲେଟ୍ ମୃତକଙ୍କ ମଧ୍ୟରେ ଭାରତୀୟ ନାଗରିକ ଥିବା ନିଶ୍ଚିତ କରିଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମ୍ଭବ ସମସ୍ତ ସହାୟତା ଯୋଗାଇ ଦେବାକୁ କନସୁଲେଟ୍ ପ୍ରତିଶ୍ରୁତି ଦେଇଛି। ଏହି ଭୟାବହ ଦୁର୍ଘଟଣା ପରେ ପ୍ରବାସୀ ଭାରତୀୟଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ।