Gold,Silver Import Duty: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କଲେ, ଆଉ କହିଲେ ପେଟ୍ରୋଲ, ଡିଜେଲ ଓ ସାରର କମ ଖର୍ଚ୍ଚ କର ଆଉ ବର୍ଷକ ପାଇଁ ସୁନା କିଣିବା ଭୁଲିଯାଅ। ଏହାର ଦୁଇ ଦିନ ପରେ ହଠାତ୍ ସରକାର ସୁନା ଉପରେ ଆମଦାନୀ ଶୁଳ୍କ ବଢ଼ାଇ ଦେଲେ। ପରିଣାମ ସ୍ୱରୂପ ସୁନା-ରୁପା ଦର ଏବେ ଆକାଶ ଛୁଆଁ। ତେବେ ସରକାରଙ୍କ ଏହି ପଦକ୍ଷେପ ହୁଏତ ଆମଦାନୀ କମାଇ ଦେଇପାରେ, ହେଲେ ଆଉ ଏକ ବିପଦ ଡାକିଆଣିବ। ପଢ଼ନ୍ତୁ ରିପୋର୍ଟ।

ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ବିଦେଶୀ ମୁଦ୍ରା ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବର୍ଷକ ପାଇଁ ସୁନା ନ କିଣିବା ଅନୁରୋଧ କରିଥିଲେ। ଏହାର ଦୁଇ ଦିନ ପରେ ବୁଧବାର କେନ୍ଦ୍ର ସରକାର ସୁନା ଓ ରୁପା ଉପରେ ଆମଦାନୀ ଶୁଳ୍କ ୬% ରୁ ବଢ଼ାଇ ୧୫% କରିଛନ୍ତି। ଏହି ନିର୍ଦ୍ଦେଶ ପରେ ସୁନା ମୂଲ୍ୟରେ ୯ ହଜାର ଟଙ୍କା ଏବଂ ରୂପା ମୂଲ୍ୟରେ ୨୨ ହଜାର ଟଙ୍କା ବୃଦ୍ଧି ହୋଇଛି। ସୁନା ଉପରେ ୧୦% ବେସିକ କଷ୍ଟମ ଡ୍ୟୁଟି ଏବଂ ୫% ଏଗ୍ରିକଲଚର ଇନଫ୍ରାଷ୍ଟ୍ରକ୍ଚର ଆଣ୍ଡ ଡେଭଲପ ସେସ୍ (AIDC) ଲାଗୁ କରାଯାଇଛି। ଏହା ପୂର୍ବରୁ, ୨୦୨୪ ବଜେଟରେ, ଅର୍ଥମନ୍ତ୍ରୀ ସୀତାରମଣ ଆମଦାନୀ ଶୁଳ୍କକୁ ୧୫% ରୁ ୬%କୁ ହ୍ରାସ କରିଥିଲେ। ହେଲେ ଏହାର ଦୁଇଟା ବର୍ଷ ବି ଯାଇନି ସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇଗଲା।

Also Read- Petrol Diesel Price: ବଢ଼ିବ ପେଟ୍ରୋଲ-ଡିଜେଲ୍ ଦାମ୍ ! ଏଭଳି ଚେତାବନୀ ଦେଲେ ଆରବିଆଇ ଗଭର୍ଣ୍ଣର

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ଆଉ ଏକ ବିପଦ ବଢ଼ିବା ଆଶଙ୍କା ଦେଖା ଦେଇଛି। ଶିଳ୍ପ ବିଶେଷଜ୍ଞଙ୍କ ମତରେ ଏଥିରେ ସୁନା ଚୋରାଚାଲାଣ ମାମଲା ପୁଣିଥରେ ବଢ଼ିଯିବ। କାରଣ ଉଚ୍ଚ ଶୁଳ୍କରୁ ବର୍ତ୍ତିବା ପାଇଁ ଅସାଧୁ ବ୍ୟୁକ୍ତିମାନେ ଗଳାବାଟ ଦେଇ ସୁନା ଚୋରାଚାଲଣ କରିବେ। ପୂର୍ବରୁ, ଶୁଳ୍କ ହ୍ରାସ କରିବା ପରେ ସୁନା ଚୋରା ଚାଲାଣ କମିଯାଇଥିଲା। ହେଲେ ଏବେ ସ୍ଥିତି ପୂର୍ବଭଳି ହୋଇଯିବ।

ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ଓ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଅଳଙ୍କାର ଶିଳ୍ପ ପ୍ରଭାବିତ ହେବ। ଏ କ୍ଷେତ୍ରରେ ନିୟୋଜିତ ଥିବା ଜୀବିକା ବି ପ୍ରଭାବିତ ହୋଇପାରେ। ଏମିତିରେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ଦେଶର ବଡ଼ ଖୁଚୁରା ଅଳଙ୍କାର କମ୍ପାନୀ ଟାଇଟନ, କଲ୍ୟାଣ ଜୁଏଲାର୍ସଙ୍କ ଷ୍ଟକ୍ ପ୍ରାଇସ ହ୍ରାସ ପାଇ ସାରିଛି।

Also Read-Royal Enfield Strongest Auto Brand: ଭାରତ ପାଇଁ ବଡ଼ ସଫଳତା: ଅଡି, ଫରାରି ଭଳି ବିଦେଶୀ ବ୍ରାଣ୍ଡ୍କୁ ପଛରେ ପକାଇଲା ରୟାଲ ଏନଫିଲ୍ଡ

ତେବେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ବିଦେଶୀ ମୁଦ୍ରାକୁ ବଞ୍ଚାଇବା ଓ କରେଣ୍ଟ ଆକାଉଣ୍ଟ୍ ଡେଫିସିଟକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଛି। କାରଣ ଭାରତ ଡିମାଣ୍ଡ ପୂରା କରିବାକୁ ସୁନା ଆମଦାନୀ କରିଥାଏ। ଏଥିପାଇଁ ଡଲାର ଖର୍ଚ୍ଚ କରିବାକୁ ପଡ଼େ। ଏବେ ଏଥିରେ ରୋକ ଲାଗିଲେ ବାଣିଜ୍ୟ ନିୟଣ୍ଟ କମିଯିବ, ଏଥିରେ ଅର୍ଥନୀତିକୁ ବଳ ମିଳିବ।