ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଶକ୍ତି ସଙ୍କଟ ଉଗ୍ର ହେବାରେ ଲାଗିଛି । ଆଗକୁ ଦେଶରେ ପେଟ୍ରୋଲ-ଡିଜେଲ୍ର ଦାମ ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଶକ୍ତି ସଞ୍ଚୟ ପାଇଁ ଅପିଲ ବି କରିଛନ୍ତି । ଏହାରି ମଧ୍ୟରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ପେଟ୍ରୋଲ ଏବଂ ଡିଜେଲର ଦରଦାମ ବୃଦ୍ଧିକୁ ନେଇ ଚେତବାନୀ ଦେଇଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଜୁରିଚ୍ରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଏବଂ ସ୍ୱିସ୍ ନ୍ୟାସନାଲ୍ ବ୍ୟାଙ୍କ ଦ୍ୱାରା ଆୟୋଜିତ ଦ୍ୱାଦଶ ଉଚ୍ଚସ୍ତରୀୟ ସମ୍ମିଳନୀରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।

ସେ ସ୍ପଷ୍ଟ କରିଛନ୍ତି ଯେ, ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ଯୋଗୁଁ ସରକାର ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧିର ଭାର ବହନ କରୁଛନ୍ତି। ତଥାପି, ଯଦି ଏହି ଟ୍ରେଣ୍ଡ ଦୀର୍ଘ ସମୟ ଧରି ଜାରି ରହେ, ତେବେ ସାଧାରଣ ଗ୍ରାହକମାନେ ଇନ୍ଧନ ମୂଲ୍ୟ ବୃଦ୍ଧିର ସମ୍ମୁଖୀନ ହୋଇପାରନ୍ତି।

ସରକାରଙ୍କ ଉପରେ ଚାପ ବୃଦ୍ଧି

ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ସତ୍ତ୍ୱେ, ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର ରଖିଛନ୍ତି। ଏଥିପାଇଁ, ସରକାର ଗ୍ୟାସ୍ ଭଳି କିଛି ନିୟନ୍ତ୍ରିତ ସାମଗ୍ରୀର ମୂଲ୍ୟ ସାମାନ୍ୟ ବୃଦ୍ଧି କରିବା ଭଳି ପଦକ୍ଷେପ ନେଇଛନ୍ତି। ଆରବିଆଇ ଗଭର୍ଣ୍ଣରଙ୍କ ଅନୁଯାୟୀ, ୭୫ ଦିନରୁ ଅଧିକ ସମୟ ଧରି ଲାଗି ରହିଥିବା ସଙ୍କଟ ଯୋଗୁଁ, ବର୍ତ୍ତମାନର ପରିସ୍ଥିତିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଜାୟ ରଖିବା ସମ୍ଭବ ହେବ ନାହିଁ।

ସେ ସ୍ପଷ୍ଟ କରିଛନ୍ତି ଯେ, ଯଦି ଏହି ପରିସ୍ଥିତି ଦୀର୍ଘ ସମୟ ପାଇଁ ଜାରି ରହେ, ତେବେ ଏହି ବର୍ଦ୍ଧିତ ମୂଲ୍ୟର ଚାପ ଗ୍ରାହକଙ୍କ ଉପରେ ପଡ଼ିବ । ସରକାର ଆର୍ଥିକ ସତର୍କତା ପାଳନ କରି ଆର୍ଥିକ ନିଅଣ୍ଟକୁ ସଫଳତାର ସହ ପ୍ରାୟ ୪.୩ ପ୍ରତିଶତକୁ ହ୍ରାସ କରିଥିବାରୁ ସେ ସରକାରଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ପଶ୍ଚିମ ଏସିଆ ଉପରେ ଭାରତର ଅର୍ଥନୈତିକ ନିର୍ଭରଶୀଳତାଦେଶର ଅର୍ଥନୀତି ପାଇଁ ରଣନୈତିକ ଏବଂ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ।

ତଥ୍ୟ ଦେଇ RBI ଗଭର୍ଣ୍ଣର କହିଛନ୍ତି ଯେ, ଭାରତର ମୋଟ ଆମଦାନୀ ଏବଂ ରପ୍ତାନୀର ୧/୬ ଭାଗ ଏହି ଅଞ୍ଚଳ ସହିତ ଜଡିତ। ଏହା ବ୍ୟତୀତ, ଭାରତର ମୋଟ ରେମିଟେନ୍ସର ୪୦ ପ୍ରତିଶତ, ସାର ଆମଦାନୀର ୪୦ ପ୍ରତିଶତ ଏବଂ ପ୍ରାୟ ୬୦% ପ୍ରତିଶତ ଗ୍ୟାସ ଯୋଗାଣ ଏହି ଅଞ୍ଚଳ ଉପରେ ନିର୍ଭର କରେ। ଏହି ଉଚ୍ଚ ନିର୍ଭରଶୀଳତା ଯୋଗୁଁ, ମଧ୍ୟପ୍ରାଚ୍ୟରେ ଯେକୌଣସି ଉତ୍ତେଜନା କିମ୍ବା ଭୂରାଜନୈତିକ ଅସ୍ଥିରତା ଭାରତର ଯୋଗାଣ ଶୃଙ୍ଖଳ ଏବଂ ଅର୍ଥନୀତି ପାଇଁ ବଡ଼ ବିପଦ ସୃଷ୍ଟି କରେ।

ମୁଦ୍ରାସ୍ଫୀତି ବିପଦ ଏବଂ ନୀତିଗତ ଚ୍ୟାଲେଞ୍ଜ

ଏହି ସଙ୍କଟ ଘରୋଇ ମୁଦ୍ରାସ୍ଫୀତି ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଭାରତ ପାଇଁ ଏହି ବିପଦ ଆହୁରି ଅଧିକ, କାରଣ ଖାଦ୍ୟ ସାମଗ୍ରୀ ଏବେ ବି ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ବାସ୍କେଟର ପ୍ରାୟ ୪୦ ପ୍ରତିଶତ । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆହୁରି କହିଛନ୍ତି, ନୀତି ନିର୍ଦ୍ଧାରକମାନେ ଏକ ଦୃଢ଼ ଏବଂ ସତର୍କ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ। ଯଦି ଯୋଗାଣ ବାଧା ଅର୍ଥନୀତିର ଅନ୍ୟ କ୍ଷେତ୍ରକୁ ବ୍ୟାପିବାକୁ ଆରମ୍ଭ କରେ ଏବଂ ମୁଦ୍ରାସ୍ଫୀତି ବ୍ୟାପକ ହୁଏ, ତେବେ ନୀତି ନିର୍ଦ୍ଧାରକମାନଙ୍କୁ ନିଶ୍ଚିତ ରୂପେ ହସ୍ତକ୍ଷେପ କରିବାକୁ ପଡିବ।