ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀ କୃଷ୍ଣାନଗରସ୍ଥିତ ସରକାରୀ ସର୍ବୋଦୟ ସ୍କୁଲରେ ଶନିବାର ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ତାଙ୍କ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଆତ୍ମହତ୍ୟା କରିବା ପାଇଁ ସ୍କୁଲ ସୁରକ୍ଷାଗାର୍ଡଙ୍କ କୋଠରୀ ବାହାରେ ଦେହରେ ନିଆଁ ଲଗାଇ ଦେଇଥିଲେ। ଏଥିପାଇଁ ହୁଏତ ସେ ଜ୍ୱଳନଶୀଳ ପଦାର୍ଥ ତାଙ୍କ ବ୍ୟାଗରେ ଘରୁ ନେଇ ଆସିଥିଲେ। ପାରିବାରିକ ଅସନ୍ତୋଷ ହେଉ ଅଥବା ସ୍କୁଲରେ କୌଣସି ପ୍ରକାରର ବିବାଦକୁ ନେଇ ସେ ଏହି ପଦକ୍ଷେପ ନେଇଥିବା ପୋଲିସ ସନ୍ଦେହ କରୁଛି। ତେବେ ପୋଲିସ ଏବେ ମାମଲାର ତଦନ୍ତ ଆରମ୍ଭ କରିଛି। ଅକ୍ଟୋବର ୨୫ରେ ଛାତ୍ରୀଙ୍କ ଜନ୍ମଦିନ ଥିଲା।

ଡିସିପି ଆର.ପି.ମିଣା କହିଛନ୍ତି ଯେ ସ୍କୁଲ ସୁରକ୍ଷା ଗାର୍ଡଙ୍କ ଘର ପଛପଟେ ଛାତ୍ରୀଙ୍କୁ ଜଳୁଥିବା ଅବସ୍ଥାରେ ଦେଖାଯାଇଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରି ଡା.ହେଡଗୱାର ହସ୍ପିଟାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳ ଓ ଛାତ୍ରୀଙ୍କ ବ୍ୟାଗରୁ କିଛି ସାମଗ୍ରୀ ଜବତ ହୋଇଛି। ସେହି ସବୁ ସାମଗ୍ରୀର ଯାଞ୍ଚ ହେଉଛି। ମାମଲାର ଗୁରୁତ୍ୱକୁ ଦେଖି ଘଟଣାସ୍ଥଳକୁ କ୍ରାଇମ ଟିମ୍ ଡକା ଯାଇଛି। ଟିମ୍ ଘଟଣାସ୍ଥଳର ନିରୀକ୍ଷଣ କରି କିଛି ପ୍ରମାଣ ସଂଗ୍ରହ କରିଛନ୍ତି। ତେବେ ଆଜିର ଏହି ଘଟଣା ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

ଛାତ୍ରୀଙ୍କ ବ୍ୟାଗ୍ ରୁ ୩ଟି ଚିଠି ଜବତ ହୋଇଛି। ଏହି ଚିଠିରୁ ଛାତ୍ରୀ ଘୋଣ୍ଡଲୀ ଗାଁର ବୋଲି ଜଣାପଡିଛି। ଚିଠିରେ ଲେଖା ଯାଇଛି ଯେ ମୁଁ ମୋ ମାତାପିତାଙ୍କ ଆଶା ପୂରଣ କରିପାରିବି ନାହିଁ। ପୋଲିସ ଅନୁସାରେ ଏହି ଚିଠିରେ ଛାତ୍ରୀ ଜଣେ ପୁଅର ନାମ ମଧ୍ୟ ଲେଖିଛନ୍ତି। ଏଣୁ ପୋଲିସ ପ୍ରେମ ଦୃଷ୍ଟିରୁ ମଧ୍ୟ ମାମଲାର ତଦନ୍ତ କରୁଛି। ପୋଲିସ ଅନୁସାରେ ବିଦ୍ୟାଳୟର ଷଷ୍ଠ ପିରିୟଡ ପରେ ସେ ପାଣି ପିଇବାକୁ କହି କ୍ଲାସ୍ ପାସ୍ ନେଇ ବାହାରକୁ ଯାଇଥିଲା। ମାତ୍ର ୨-୩ ମିନିଟ୍ ପରେ ସେ ଚିତ୍କାର କରୁଥିବାର ଶୁଣାଯାଇଥିଲା। ପାଣି ଟାଙ୍କି ନିକଟରେ ସେ ଜଳି ଯାଉଥିବାର ଦେଖା ଯାଇଥିଲା।

ପୋଲିସ କହିବା ଅନୁସାରେ ସେ ଆତ୍ମହତ୍ୟା କରିବା ପାଇଁ କୌଣସି ପ୍ରକାରର କେମିକାଲ ବ୍ୟବହାର କରିଥିଲା। ଛାତ୍ରୀଜଣକ ଦିଲ୍ଲୀରେ ଭଉଣୀଙ୍କ ସହ ରହୁଥିଲା ଓ ତାଙ୍କ ପିତାମାତା ଗାଁରେ ରହୁଥିଲେ।