UK ରାଜନୀତିରେ ଗତ ୨ ଦଶନ୍ଧି ମଧ୍ୟରେ ଦେଖିବାକୁ ମିଳିଛି ବଡ ପରିବର୍ତ୍ତନ । ଜଣେ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ଶେଷ କରି ପାରି ନାହାନ୍ତି । ତେବେ ବ୍ରିଟିଶ ପ୍ରଧାନମନ୍ତ୍ରୀ କିଅର୍ ଷ୍ଟାର୍ମରଙ୍କ ଆକସ୍ମିକ ଇସ୍ତଫା ପରେ ବ୍ରିଟେନରେ ଏକ ଗଭୀର ରାଜନୈତିକ ସଙ୍କଟ ଦେଖାଦେଇଛି। ବିପୁଳ ବହୁମତ ସହ ନିର୍ବାଚନ ଜିତିବାର ମାତ୍ର ଦୁଇ ବର୍ଷ ନପୂରୁଣୁ ସେ ମଧ୍ୟ ପଦ ଛାଡ଼ିଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ବ୍ରିଟେନରେ ସେ ହେଉଛନ୍ତି ଷଷ୍ଠ ପ୍ରଧାନମନ୍ତ୍ରୀ, ଯିଏ ନିଜ ପଦରୁ ଓହରି ଯାଇଛନ୍ତି। ତେବେ କାହିଁକି ଏହି ପରିବର୍ତ୍ତନ ହେଉଛି କଣ ରହିଛି ଏହା କାରଣ ?

୧. ଅର୍ଥନୈତିକ ମାନ୍ଦାବସ୍ଥା ଓ ଜୀବନଧାରଣର ମାନ ହ୍ରାସ

୨୦୦୮ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ:୨୦୦୮ ମସିହାର ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ପରଠାରୁ ବ୍ରିଟେନର ସାଧାରଣ ଜନତାଙ୍କ ଜୀବନଧାରଣର ମାନ ଏକ ପ୍ରକାର ସ୍ଥିର ହୋଇ ରହିଛି।

ଋଣ ବୋଝ:କୋଭିଡ୍ ମହାମାରୀ ଏବଂ ୟୁକ୍ରେନ ଯୁଦ୍ଧ ଭଳି ଗ୍ଲୋବାଲ୍ ସକ୍ ଯୋଗୁଁ ଦେଶର ଜାତୀୟ ଋଣ ଏହାର GDP ର ପ୍ରାୟ ୧୦୦% ପାଖାପାଖି ପହଞ୍ଚିଛି, ଯାହା ସରକାରଙ୍କୁ ଜନକଲ୍ୟାଣକାରୀ ଯୋଜନାରେ ଖର୍ଚ୍ଚ କରିବାକୁ ସୁଯୋଗ ଦେଉନାହିଁ।

କ୍ରୟ ଶକ୍ତି ହ୍ରାସ:୨୦୨୫ ର ତଥ୍ୟ ଅନୁଯାୟୀ, ଦେଶରେ ମହଙ୍ଗା ମାଡ଼ ଯୋଗୁଁ ସବୁଠାରୁ ଗରିବ ୪୦% ଲୋକଙ୍କ କ୍ରୟ ଶକ୍ତି ୨୦୨୧ ତୁଳନାରେ ଅଧିକ ହ୍ରାସ ପାଇଛି।

୨. ସ୍ପଷ୍ଟ ରଣନୀତି ଓ ଯୋଜନାର ଅଭାବ

ଐତିହାସିକ ଆନ୍ଥୋନୀ ସେଲଡନଙ୍କ ମତରେ, ଲିଜ୍ ଟ୍ରସ୍, ବୋରିସ୍ ଜନସନ ଏବଂ କିଅର୍ ଷ୍ଟାର୍ମରଙ୍କ ଭଳି ନେତାମାନେ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ଭଳି କୌଣସି ସ୍ପଷ୍ଟ ରଣନୀତି ରଖିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବିଶେଷ କରି ଷ୍ଟାର୍ମର ସରକାର ଗଢ଼ିବା ପୂର୍ବରୁ ବୃଦ୍ଧି ପାଉଥିବା ବିଦ୍ୟୁତ ଖର୍ଚ୍ଚ, ସ୍ୱାସ୍ଥ୍ୟ ସେବାରେ ସୁଧାର, ପୁଞ୍ଜି ନିବେଶ ଏବଂ ପ୍ରତିରକ୍ଷା ଉପରେ କୌଣସି ସ୍ପଷ୍ଟ ଯୋଜନା ପ୍ରସ୍ତୁତ କରିନଥିବାରୁ ସମାଲୋଚନାର ଶିକାର ହୋଇଛନ୍ତି।

Also Read: ମମତା ବାନାର୍ଜୀଙ୍କୁ ଅଧ୍ୟକ୍ଷା ପଦରୁ ହଟାଇଲେ ୬୦ ବିଧାୟକ, ଅଭିଷେକଙ୍କ ବିରୋଧରେ ମଧ୍ୟ ଆକ୍ସନ

୩. ବେଆଇନ ଅନୁପ୍ରବେଶ ଓ ରାଜନୈତିକ ବିଭାଜନ

ବ୍ରିଟେନରେ ଦୀର୍ଘ ଦିନ ଧରି ଚାଲିଆସିଥିବା ବେଆଇନ ଅନୁପ୍ରବେଶ ବା ଶରଣାର୍ଥୀ ସମସ୍ୟାର ସମାଧାନ ନହେବା ଦେଶରେ ଏକ ବଡ଼ ରାଜନୈତିକ ବିଭାଜନ ସୃଷ୍ଟି କରିଛି, ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ରହିଛି। ଏହା ବ୍ୟତୀତ ୧୦ ବର୍ଷ ପୂର୍ବେ ହୋଇଥିବା 'ବ୍ରେକ୍ସିଟ୍' ୟୁରୋପୀୟ ୟୁନିଅନରୁ ବ୍ରିଟେନର ବାହାରିବାର ଭୋଟ୍ ମଧ୍ୟ ସ୍କଟଲ୍ୟାଣ୍ଡରେ ପୁଣିଥରେ ସ୍ୱାଧୀନତା ଆନ୍ଦୋଳନକୁ ଉସକାଇଛି।

୪. ବ୍ୟବସ୍ଥାଗତ ତ୍ରୁଟି ଓ କ୍ଷେତ୍ରୀୟ ବିକେନ୍ଦ୍ରୀକରଣର ଅଭାବ

ପୂର୍ବତନ ସରକାରୀ ପରାମର୍ଶଦାତା ସାମ୍ ଫ୍ରିଡମ୍ୟାନ୍ଙ୍କ ପୁସ୍ତକ 'Failed State' ଅନୁଯାୟୀ, ବ୍ରିଟେନର ଶାସନ ବ୍ୟବସ୍ଥା ଅତ୍ୟଧିକ କେନ୍ଦ୍ରୀକୃତ (Centralised) ଏବଂ ଏହାର ପ୍ରମୁଖ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଏହି ବଡ଼ ସଙ୍କଟଗୁଡ଼ିକୁ ସମ୍ଭାଳିବା ପାଇଁ ଯଥେଷ୍ଟ ନୁହଁନ୍ତି।

Also Read: CBI Arrests 2 Former CEO: ୭୬୨୩ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲା, ରିଲାଏନ୍ସ ADAG ର ୨ ପୂର୍ବତନ ସିଇଓଙ୍କୁ ଗିରଫ କଲା ସିବିଆଇ

୫. ସୋସିଆଲ ମିଡିଆ ଓ ଖରାପ ଆଇନ ପ୍ରଣୟନ

ବ୍ରିଟେନର ସବୁଠାରୁ ଦୀର୍ଘ ସମୟର ସାଂସଦ ରୋଜର ଗେଲ୍ଙ୍କ ଅନୁଯାୟୀ, ୨୪ ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ୍ ଏବଂ ସୋସିଆଲ ମିଡିଆର ଚାପ ଯୋଗୁଁ ରାଜନେତାମାନେ ଅତ୍ୟଧିକ ଦ୍ରୁତ ଗତିରେ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ଦେଶରେ ବହୁ ସଂଖ୍ୟାରେ ଭୁଲ ଆଇନ୍ ପ୍ରସ୍ତୁତ ଏବଂ ପ୍ରଣୟନ କରାଯାଉଛି, ଯାହା ଶାସନ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରୁଛି।

ଆଗକୁ କଣ?

ଷ୍ଟାର୍ମରଙ୍କ ପରେ ଗ୍ରେଟର ମାଞ୍ଚେଷ୍ଟରର ମେୟର ଆଣ୍ଡି ବର୍ନହମ୍ ବ୍ରିଟେନର ପରବର୍ତ୍ତନ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ସବୁଠାରୁ ଅଧିକ। ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କହିବା ଅନୁଯାୟୀ, ଯଦି ବର୍ନହମ୍ ଏକ ସ୍ପଷ୍ଟ ଏବଂ ଦୃଢ଼ ଯୋଜନା ସହ କାର୍ଯ୍ୟ ନକରନ୍ତି, ତେବେ ବ୍ରିଟେନର ଇତିହାସରେ ସେ ମଧ୍ୟ ଆଉ ଜଣେ ବିଫଳ ପ୍ରଧାନମନ୍ତ୍ରୀ ଭାବେ ଉଭା ହେବେ ଏବଂ ବ୍ରିଟେନର ଭବିଷ୍ୟତ ଆହୁରି ଅନ୍ଧକାରମୟ ହୋଇଯିବ।