ପୁରୀ ୨୯।୧୧: ଆଜି ମାର୍ଗଶିର କୃଷ୍ଣ ପକ୍ଷ ପଞ୍ଚମୀ ତିଥି। ଏହି ଅବସରରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରରେ ଆଜି ଭକ୍ତମାନେ ପାଳନ କରିଛନ୍ତି ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା। ବଡ଼ି ଭୋରରୁ ଭକ୍ତମାନେ ପଞ୍ଚତୀର୍ଥରେ ସ୍ନାନ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିର ଓ ତୀର୍ଥ ସ୍ଥଳୀ ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି।

ସେହିପରି ପ୍ରସିଦ୍ଧ ସିଦ୍ଧ ମହାବୀର ମନ୍ଦିରରେ ପ୍ରଭୁ ହନୁମାନଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା। ମାର୍ଗଶିର କୃଷ୍ଣ ପଞ୍ଚମୀ ତିଥିରେ ତଥା ବର୍ଷକୁ ଏହି ଗୋଟିଏ ଦିନ ଭକ୍ତମାନଙ୍କୁ ସିଦ୍ଧମହାବୀର ମନ୍ଦିରରେ ପ୍ରଭୁ ହନୁମାନଙ୍କ ପାଦ ସ୍ପର୍ଶ କରିବାର ସୁଯୋଗ ମିଳିଥାଏ। ସେହିପରି ଆଜି ଗୋଟିଏ ଦିନ ପ୍ରଭୁ ହନୁମାନ ବୀର ନାଗାର୍ଜୁନ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିବାରୁ ଏହି ବେଶ ଦର୍ଶନ କରି ଭକ୍ତ ମାନେ ନିଜକୁ ଧନ୍ୟ ମନେ କରିଛନ୍ତି।

Also Read:- ପୁରୀରେ ସୋନୁ ସୁଦ୍‌, ମହାପ୍ରଭୁଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ, ଆରମ୍ଭ ହେବ ଫିଲ୍ମ 'ନନ୍ଦୀ'

ସିଦ୍ଧ ମହାବୀର ମନ୍ଦିରରେ ରାତି ୧୨ ଟାରେ ଦ୍ବାର ଫିଟା ପରେ ମଙ୍ଗଳ ଆଳତୀ, ବାଳଭୋଗ ଧୂପ ସହ ଦ୍ୱିପ୍ରହର ଧୂପ ସରିବା ପରେ ପ୍ରଭୁ ସିଦ୍ଧମହାବୀରଙ୍କୁ ନାଗା ବେଶରେ ସଜ୍ଜିତ କରାଯାଇଥିଲା। ଭକ୍ତ ମାନେ ବଡ଼ି ଭୋରରୁ ପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇଛନ୍ତି। ପରମ୍ପରା ଅନୁସାରେ ଏଠାରେ ଆଜି ରସଗୋଲା, ଚୁଡାଘଷା ଓ କ୍ଷୀରି ଭୋଗ କରାଯାଉଥିବା ବେଳେ ଭକ୍ତମାନେ ଏହି ଭୋଗ ସମର୍ପଣ କରି ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ଓ ମନ୍ଦିର କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।