କୋଲକାତା : ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ରେ ରାଜନୈତିକ ସଂକଟ ସୋମବାର ଏକ ନୂଆ ମୋଡ଼ରେ ପହଞ୍ଚି ଯାଇଛି। ଇଷ୍ଟ ଉଲବେରିୟା ବିଧାୟକ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀ ବିରୋଧୀ ବିଧାୟକ ଗୋଷ୍ଠୀ ଅଭିଷେକ ବାନାର୍ଜୀଙ୍କୁ ପାର୍ଟିରୁ ନିଲମ୍ବନ ସହ ମମତା ବାନାର୍ଜୀଙ୍କୁ ପାର୍ଟି ଅଧ୍ୟକ୍ଷା ପଦରୁ ହଟାଇ ଦେଇଥିବା ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ବିଦ୍ରୋହୀ ଗୋଷ୍ଠୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଆଯାଇଛି। ଏଥିରେ ନିଜକୁ ଅସଲି ତୃଣ ମୂଳ କଂଗ୍ରେସ ସଦସ୍ୟ ଦାବି କରୁଥିବା ନେତାମାନେ ନୂଆ ସଙ୍ଗଠନାତ୍ମକ କମିଟି ଗଠନର ତୁରନ୍ତ ବାଦ ପ୍ରସ୍ତାବ ଗୃହୀତ କରି ଅଭିଷେକ ବାନାର୍ଜୀଙ୍କ ନିଲମ୍ବନ ଘୋଷଣା କରିଛନ୍ତି।

ବିଦ୍ରୋହୀ ଗୋଷ୍ଠୀ ବରିଷ୍ଠ ବିଧାୟକ ଅରୂପ ରାୟଙ୍କୁ ନବଗଠିତ ସଙ୍ଗଠନାତ୍ମକ କମିଟିର ଚେୟାରମ୍ୟାନ ନିଯୁକ୍ତ କରିଛନ୍ତି। ଋତବ୍ରତ ଗୋଷ୍ଠୀର ବୈଠକ ନ୍ୟୁ ଟାଉନର ଏକ ହୋଟେଲରେ ଅନୁଷ୍ଠିତ ହୋଇଛି। ପାର୍ଟି ସମ୍ବିଧାନ ଅନୁସାରେ ପ୍ରତି ୩ ବର୍ଷରେ ଜାତୀୟ କାର୍ଯ୍ୟକାରିଣୀ ଗଠନ ଜରୁରି ଓ ଶେଷ ଥର ଏହି କମିଟି ଫେବୃଆରୀ ୨୦୨୨ରେ ଗଠନ କରାଯାଇଥିଲା। ପଦାଧିକାରୀଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ପାର୍ଟିର ସଙ୍ଗଠନାତ୍ମକ ଢାଞ୍ଚାକୁ ପୁନର୍ଗଠିତ କରାଯାଇ ନଥିଲା। ଏଣୁ ପାର୍ଟିର ଜାତୀୟ ନେତୃତ୍ୱ ପୁନର୍ଗଠନ ପ୍ରକ୍ରିୟା ଜରୁରି ହୋଇପଡିଥିଲା।

ତାଜା ଘଟଣାକ୍ରମ ପରେ ତୃଣମୂଳ କଂଗ୍ରେସ ଏବେ ୩ଟି ଗୋଷ୍ଠୀ ରେ ବିଭାଜିତ ହୋଇଥିବା ଦେଖା ଯାଉଛି। ଏଥିରେ ପ୍ରଥମ ଗୋଷ୍ଠୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ହୋଇଥିବା ବେଳେ ଦ୍ୱିତୀୟ ଗୋଷ୍ଠୀ ଋତବ୍ରତ ବାନାର୍ଜୀଙ୍କର ଯାହା ଏବେ ବେଙ୍ଗଲ ବିଧାନସଭାରେ ବିରୋଧୀ ଦଳର ଭୂମିକା ନିର୍ବାହ କରୁଛି। ସେହିପରି ତୃତୀୟ ଗୋଷ୍ଠୀଟି କାକୋଲୀ ଘୋଷ ଦସ୍ତିଦାରଙ୍କ ନେତୃତ୍ୱରେ ୨୪ ଜଣିଆ ଲୋକସଭା ସାଂସଦଙ୍କର ଓ ଏମାନେ ନ୍ୟାସନାଲ ସିଟିଜେନସ ପାର୍ଟି ନାମକ ଏକ ଛୋଟ ରାଜନୈତିକ ଦଳରେ ନିଜକୁ ବିଲୟ କରି ସଂସଦରେ ଏନଡିଏ ସରକାରଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି।

ଏଥିରେ ଏବେ ଅଭିଷେକ ବାନାର୍ଜୀଙ୍କୁ ନିଲମ୍ବନ କରାଯିବା ପରେ ଏବେ ପ୍ରଶ୍ନ ଉଠୁଛି ତୃଣ ମୂଳ କଂଗ୍ରେସର ଅସଲି ନେତୃତ୍ୱ ଓ ବିଚାରଧାରା କାହାପାଖରେ ରହିଛି। ବିଦ୍ରୋହୀ ସାଂସଦମାନେ ତୃଣ ମୂଳ ନିର୍ବାଚନ ସଂକେତ ଉପରେ ନିଜର ଦାବି ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସଂକେତ ଦେଇଛନ୍ତି। ବିଦ୍ରୋହୀ ବିଧାୟକମାନେ ମଧ୍ୟ ପାର୍ଟିର ନାମ ଓ ନିର୍ବାଚନ ସଂକେତ କୁ ନେଇ ନିଜର ଦାବି ଉପସ୍ଥାପନ କରିସାରିଲେଣି। ଏଥିରେ ଏବେ ୧,୧୦୦ କୋଟି ଟଙ୍କାର ପାର୍ଟି ଫଣ୍ଡ ଉପରେ କାହାର ଅଧିକାର ରହିବ ସେ ନେଇ ସ୍ଥିତି ସ୍ପଷ୍ଟ ହୋଇନି।

ନିକଟରେ ବିଦ୍ରୋହୀ ବିଧାୟକଙ୍କ ଗୋଷ୍ଠୀର ପୋଲିସ ଅଭିଯୋଗ ପରେ ତୃଣ ମୂଳ କଂଗ୍ରେସର ୩ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଦିଆଯାଇଛି। କୁହାଯାଉଛି ଏହି ସବୁ ଆକାଉଣ୍ଟରେ ପାଖାପାଖି ୪୪୦ କୋଟି ଟଙ୍କା ସଞ୍ଚିତ ଅଛି। ପୋଲିସ ଅଧିକାରୀଙ୍କ ଅନୁସାରେ ଏବେ ଏହି ସବୁ ଆକାଉଣ୍ଟରୁ କୌଣସି ପ୍ରକାରର ଉଠାଣ ଅଥବା ବାହାର ନେଣଦେଣ ହୋଇ ପାରିବ ନାହିଁ। ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀର ୧୦ ଜଣ ବିଧାୟକ ବିଧାନନଗର ପୋଲିସ କମିଶନରେଟ ଅନ୍ତର୍ଗତ ସାଇବର ଥାନାରେ ଏତଲା ରୁଜୁ କରି ବ୍ୟାଙ୍କ ଆକାଉଣ୍ଟର ବିସ୍ତୃତ ଯାଞ୍ଚ ଦାବି କରିଥିଲେ।