ଭୁବନେଶ୍ୱର : ଆମେ ଯେତେବେଳେ ଔଷଧ କିଣୁ ଟାବଲେଟ୍ ଖୋଳ ପଛରେ ଚକ୍ଚକ୍ ଆଲୁମିନିଅମ୍ ପରସ୍ତ ନଜରକୁ ଆସେ । ଘରେ ହେଉ କି ହସ୍ପିଟାଲରେ, ଅଧିକାଂଶ ଔଷଧ ଟାବଲେଟ୍ ଓ କ୍ୟାପସୁଲ୍ ଆଲୁମିନିୟମ୍ ଫଏଲ୍ରେ ପ୍ୟାକ୍ ହୋଇରହିଥାଏ । ଏହା ଦେଖିବାକୁ ସାଧାରଣ କାଗଜ କିମ୍ବା ପ୍ଲାଷ୍ଟିକ୍ ଭଳି ଲାଗିପାରେ କିନ୍ତୁ ବାସ୍ତବରେ ଏହା ଔଷଧର ଗୁଣବତ୍ତା ବଜାୟ ରଖିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଔଷଧକୁ ସାଧାରଣ ପ୍ଲାଷ୍ଟିକ୍ କିମ୍ବା କାଗଜ ବଦଳରେ ଆଲୁମିନିୟମ୍ ଫଏଲ୍ରେ କାହିଁକି ରଖାଯାଏ? କଣ ରହିଛି ଏହା ପଚାର କାରଣ ?

ତେବେ ଏହା ପଛରେ ରହିଛି ଔଷଧର ଗୁଣବତ୍ତା, ସୁରକ୍ଷା ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବ ବଜାୟ ରଖିବାର ଆବଶ୍ୟକତା। ଅନେକ ଔଷଧ ଆର୍ଦ୍ରତା ପ୍ରତି ସମ୍ବେଦନଶୀଳ। ଆର୍ଦ୍ରତା ଭିତରକୁ ପଶିଲେ ଟାବଲେଟ୍ର ଗୁଣବତ୍ତା ଓ ସ୍ଥିରତା ପ୍ରଭାବିତ ହୋଇପାରେ। ଆଲୁମିନିୟମ୍ ଫଏଲ୍ ଆର୍ଦ୍ରତା ବିରୋଧରେ ଏକ ଭଲ ବାରିଅର୍ ଭାବେ କାମ କରେ। ଏହି ଆଲୁମିୟମ ଫଏଲ ଔଷଧକୁ ଆଲୋକରୁ ରକ୍ଷା କରେ | କାରଣ କିଛି ଔଷଧ ଆଲୋକ, ବିଶେଷକରି ସୂର୍ଯ୍ୟକିରଣ ରଶ୍ମି ପ୍ରତି ସମ୍ବେଦନଶୀଳ। ଅଧିକ ଆଲୋକର ସଂସ୍ପର୍ଶରେ ଆସିଲେ ଔଷଧର କେମିକାଲ୍ ଗଠନ ବଦଳିପାରେ। ଆଲୁମିନିୟମ୍ ଫଏଲ୍ ଆଲୋକକୁ ପ୍ରାୟ ସମ୍ପୂର୍ଣ୍ଣ ଭାବେ ଅଟକାଇ ଔଷଧକୁ ସୁରକ୍ଷିତ ରଖିବାରେ ସହାୟକ ହୁଏ। ସେଭଳି ଏହି ଆଲୁମିୟମ ଫଏଲ ଔଷଧକୁ ବାୟୁ ଓ ଅକ୍ସିଜେନ୍ରୁ ସୁରକ୍ଷା ଦେଇଥାଏ । କେତେକ ଔଷଧ ବାୟୁ କିମ୍ବା ଅକ୍ସିଜେନ୍ର ସଂସ୍ପର୍ଶରେ ଆସିଲେ ଧୀରେ ଧୀରେ ନଷ୍ଟ ହୋଇପାରେ। ଆଲୁମିନିୟମ୍ ଫଏଲ୍ ଏକ ଦୃଢ଼ ପ୍ରତିବନ୍ଧକ ତିଆରି କରି ଔଷଧକୁ ବାହ୍ୟ ପରିବେଶର ସଂସ୍ପର୍ଶରୁ ଅଲଗା ରଖେ।

ଖାଲି ଏତିକି ନୁହେଁ, ଔଷଧର ‘ସେଲ୍ଫ୍ ଲାଇଫ୍’ ବଜାୟ ରଖିବାରେ ମଧ୍ୟ ସହାୟକ ହୋଇଥାଏ ଏହି ସାଧାରଣ ଆଲୁମିନିୟମ ଫଏଲ । ଔଷଧ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଗୁଣବତ୍ତା ଓ ପ୍ରଭାବ ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଆଲୁମିନିୟମ୍ ଫଏଲ୍ର ପ୍ୟାକେଜିଂ ଔଷଧକୁ ଆର୍ଦ୍ରତା, ଆଲୋକ ଓ ବାୟୁ ଭଳି ବାହ୍ୟ ପ୍ରଭାବରୁ ସୁରକ୍ଷା ଦେଇ ଏହାର ସ୍ଥିରତା ବଜାୟ ରଖିବାରେ ସହାୟତା କରେ। ସାଧାରଣତଃ ଔଷଧକୁ ଏହାର ମୂଳ ପ୍ୟାକେଜିଂରେ ରଖିବା ଭଲ। ଟାବଲେଟ୍କୁ ପୂର୍ବରୁ ବାହାର କରି ଅନ୍ୟ ଡବାରେ ରଖିଲେ ଆର୍ଦ୍ରତା, ଆଲୋକ କିମ୍ବା ବାୟୁର ପ୍ରଭାବ ବଢ଼ିପାରେ। ସେଥିପାଇଁ ଔଷଧର ପ୍ୟାକେଟ୍ରେ ଥିବା ନିର୍ଦ୍ଦେଶ ଓ ସଂରକ୍ଷଣ ପ୍ରଣାଳୀ ଅନୁସରଣ କରିବା ଉଚିତ। ଆଲୁମିନିୟମ୍ ଫଏଲ୍ କେବଳ ଔଷଧକୁ ପ୍ୟାକ୍ କରିବା ପାଇଁ ନୁହେଁ। ଏହା ଔଷଧକୁ ବାହ୍ୟ ପରିବେଶରୁ ସୁରକ୍ଷା ଦେଇ ତାହାର ଗୁଣବତ୍ତା ଓ ସ୍ଥିରତା ବଜାୟ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ ।