ୱାଶିଂଟନ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ସମାପ୍ତି ଏବଂ ଇରାନର ପୁନଃନିର୍ମାଣ ଲାଗି ଆମେରିକା ଓ ଇରାନ ମଧ୍ୟରେ ଏକ ବଡ଼ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମାର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଇରାନର ଅର୍ଥନୈତିକ ବିକାଶ ଓ ପୁନଃନିର୍ମାଣ ପାଇଁ ୩୦୦ ବିଲିୟନ ଡଲାର (ପ୍ରାୟ ୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ) ର ଏକ ବିଶାଳ ପାଣ୍ଠି। ମାତ୍ର ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ, ଏହି ବିପୁଳ ପରିମାଣର ଅର୍ଥ ପ୍ରକୃତରେ ଦେବ କିଏ? ଚୁକ୍ତିନାମାରେ ଏହାକୁ ନେଇ କ’ଣ ରହିଛି ସର୍ତ୍ତ?

ଚୁକ୍ତିନାମା (MoU) ର କ’ଣ ଅଛି ?

ସାମ୍ନାକୁ ଆସିଥିବା ପ୍ରାଥମିକ ଚୁକ୍ତିନାମା ଅନୁଯାୟୀ, ୱାଶିଂଟନ ତାର ଆଞ୍ଚଳିକ ସହଯୋଗୀମାନଙ୍କ ସହିତ ମିଶି ଇରାନର ପୁନଃନିର୍ମାଣ ଏବଂ ଆର୍ଥିକ ପ୍ରଗତି ପାଇଁ ଅତିକମରେ ୩୦୦ ବିଲିୟନ ଡଲାରର ଏକ ଯୋଜନା ପ୍ରସ୍ତୁତ କରିବାକୁ ପ୍ରତିଶ୍ରୁତି ଦେଇଛି। ଏହି ଯୋଜନାର ରୂପରେଖ ଆଗାମୀ ୬୦ ଦିନ ମଧ୍ୟରେ ଚୂଡ଼ାନ୍ତ ଚୁକ୍ତିନାମା ଜରିଆରେ ସ୍ଥିର କରାଯିବ। ଏଥିସହିତ ଇରାନ ଉପରୁ ସମସ୍ତ ପ୍ରକାରର କଟକଣା ହଟାଇବା ସହ ତାକୁ ବିଶ୍ୱ ବଜାରରେ ତେଲ ବିକ୍ରି କରିବାକୁ ଅନୁମତି ଦେବା ପାଇଁ ଆମେରିକା ରାଜି ହୋଇଛି।

Also Read: କାହିଁକି ଭାରତ ଛାଡି ପ୍ୟାରିସ୍-ଲଣ୍ଡନ ବୁଲୁଛନ୍ତି ପର୍ଯ୍ୟଟକ? ଅସଲ କାରଣ କହିଲେ ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା

ଆମେରିକା ଟିକସଦାତାଙ୍କ ପକେଟରୁ ଯିବନି ଗୋଟିଏ ବି ପଇସା !

ଏହି ଚୁକ୍ତି ସାମ୍ନାକୁ ଆସିବା ପରେ ଆମେରିକାରେ ରାଜନୈତିକ ବାଦବିବାଦ ତେଜିବାରେ ଲାଗିଛି। ବିରୋଧୀ ଡେମୋକ୍ରାଟ୍ସ ଦଳର ନେତାମାନେ ଅଭିଯୋଗ କରିଛନ୍ତି ଯେ, ଟ୍ରମ୍ପ ସରକାର ଆମେରିକାର ଜନସାଧାରଣଙ୍କ ଟଙ୍କା ଇରାନକୁ ଟେକି ଦେଉଛନ୍ତି। ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପ-ରାଷ୍ଟ୍ରପତି ଜେଡି ଭାନ୍ସ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ ସ୍ପଷ୍ଟ କରିଛନ୍ତି ଯେ ଆମେରିକାର ଟିକସଦାତାଙ୍କ ପକେଟରୁ ଇରାନକୁ ଗୋଟିଏ ବି ପଇସା ଦିଆଯିବ ନାହିଁ।

ତେବେ କେଉଁଠୁ ଆସିବ ଏହି ୩୦୦ ବିଲିୟନ ଡଲାର ?

ସୂତ୍ର ଅନୁଯାୟୀ, ଏହି ୩୦୦ ବିଲିୟନ ଡଲାର କୌଣସି ସରକାରୀ ଅନୁଦାନ ବା ସାହାଯ୍ୟ ନୁହେଁ, ବରଂ ଏହା ଏକ ଘରୋଇ ବିନିଯୋଗ ପାଣ୍ଠି ଭାବେ କାର୍ଯ୍ୟ କରିବ। ଆମେରିକା, ଏସିଆ, ଦକ୍ଷିଣ ଆମେରିକା, ଆଫ୍ରିକା ଏବଂ ବିଶେଷ କରି ଉପସାଗରୀୟ ଆରବ ଦେଶଗୁଡ଼ିକର ବଡ଼ ବଡ଼ ଘରୋଇ କମ୍ପାନୀଗୁଡ଼ିକ ଏହି ପାଣ୍ଠିରେ ନିବେଶ କରିବାକୁ ସହମତି ପ୍ରକାଶ କରିଛନ୍ତି। ଏହି ଅର୍ଥ ଇରାନର ଶକ୍ତି, ପରିବହନ, ଉତ୍ପାଦନ ଏବଂ ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ ବିନିଯୋଗ କରାଯିବ। ଦକ୍ଷିଣ କୋରିଆ, ଜାପାନ, ସିଙ୍ଗାପୁର ଓ ମାଲେସିଆର କମ୍ପାନୀଗୁଡ଼ିକ ମଧ୍ୟ ଏଥିରେ ସାମିଲ ଥିବା ଜଣାପଡ଼ିଛି।

Also Read: ‘ଅପରେସନ୍ ସିନ୍ଦୂର’କୁ ନେଇ ମିଛ କହୁଥିଲା ପାକିସ୍ତାନ; ସୁରକ୍ଷିତ ଅଛି ୩୬ଟି ରାଫେଲ୍, ବାୟୁସେନା ଦସ୍ତାବିଜ୍ରୁ ପ୍ରମାଣିତ

କଣ ରହିଛି ଆମେରିକାର ସର୍ତ୍ତ ?

ଉପ-ରାଷ୍ଟ୍ରପତି ଜେଡି ଭାନ୍ସଙ୍କ କହିବା ଅନୁଯାୟୀ, ଯଦି ଇରାନ ନିଜର ଆଣବିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରେ ଏବଂ ଆଞ୍ଚଳିକ ସୁରକ୍ଷା ବଜାୟ ରଖେ, ତେବେ ହିଁ ବିଦେଶୀ କମ୍ପାନୀଗୁଡ଼ିକୁ ସେଠାରେ ବିନିଯୋଗ କରିବା ପାଇଁ ଆମେରିକା କଟକଣା କୋହଳ କରିବ। ଅନ୍ୟପଟେ, ବିଦେଶରେ ଜବତ ହୋଇ ରହିଥିବା ଇରାନର ନିଜସ୍ୱ କୋଟି କୋଟି ଟଙ୍କାର ସମ୍ପତ୍ତିକୁ ମଧ୍ୟ ଏହି ଚୁକ୍ତି ଜରିଆରେ ମୁକ୍ତ କରାଯିବ, ଯାହାକି ଏହି ୩୦୦ ବିଲିୟନ ଡଲାର ପାଣ୍ଠିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ଜବତ ସମ୍ପତ୍ତିକୁ ମୁକ୍ତ କରିବା ପାଇଁ ଆମେରିକା ଏବଂ କାତାର ମିଳିତ ଭାବେ ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି, ଯାହାଦ୍ୱାରା ସେହି ଅର୍ଥ କେବଳ ଇରାନର ସାଧାରଣ ଜନତାଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଓ ଆମେରିକୀୟ କୃଷିଜାତ ଦ୍ରବ୍ୟ କିଣିବାରେ ବ୍ୟବହାର କରାଯାଇପାରିବ।