ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର (IAF) ସମସ୍ତ ୩୬ଟି ଯାକ ‘ରାଫେଲ’ (Rafale) ଯୁଦ୍ଧବିମାନ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ଏବଂ ଦେଶର ସେବାରେ ନିୟୋଜିତ ଅଛି। ପାକିସ୍ତାନ କରୁଥିବା ମିଛ ଦାବିର ପର୍ଦ୍ଦାଫାସ କରିଛି ଭାରତୀୟ ବାୟୁସେନାର ଦସ୍ତାବିଜ । ପାକିସ୍ତାନ ଦାବି କରିଥିଲା ଯେ, ‘ଅପରେସନ ସିନ୍ଦୂର’ (Operation Sindoor) ସମୟରେ ଭାରତର ଏକାଧିକ ରାଫେଲ ଯୁଦ୍ଧବିମାନକୁ ଗୁଳି କରି ଖସାଇ ଦେଇଛି। ମାତ୍ର ଭାରତୀୟ ବାୟୁସେନାର ଏକ ଦସ୍ତାବିଜ ସାମ୍ନାକୁ ଆସିବା ପରେ ପାକିସ୍ତାନର ଏହି ମିଛ ପଦାରେ ପଡ଼ିଛି।

ଭାରତୀୟ ବାୟୁସେନା ମୁଖ୍ୟାଳୟ ପକ୍ଷରୁ ଏକ 'ରିକ୍ଵେଷ୍ଟ ଫର ପ୍ରପୋଜାଲ' ବା ଟେଣ୍ଡର ଜାରି କରାଯାଇଛି। ଏହି ସରକାରୀ ଦସ୍ତାବିଜରେ ବାୟୁସେନାରେ କାର୍ଯ୍ୟରତ ସମସ୍ତ ୩୬ଟି ଯାକ ରାଫେଲ ଯୁଦ୍ଧବିମାନ ପାଇଁ ୫ ମାସିଆ ‘ବ୍ରିଜ୍ ସପୋର୍ଟ’ ପ୍ୟାକେଜ୍ ପାଇଁ ଆବେଦନ ଗ୍ରହଣ କରାଯାଇଛି। ଭାରତ ଫ୍ରାନ୍ସ ସରକାରଙ୍କ ସହ ଚୁକ୍ତି କରି ମୋଟ ୩୬ଟି ରାଫେଲ ବିମାନ କିଣିଥିଲା ଏବଂ ଆଜିର ସମୟରେ ମଧ୍ୟ ସେହି ସମସ୍ତ ୩୬ଟି ବିମାନ ବାୟୁସେନାରେ କାର୍ଯ୍ୟ କରୁଛି ।

ଏହି ଦସ୍ତାବିଜ ଜରିଆରେ ୩୬ଟି ରାଫେଲ ବିମାନର ରକ୍ଷଣାବେକ୍ଷଣ, ଲଜିଷ୍ଟିକ୍ସ ଏବଂ ବୈଷୟିକ ସହାୟତା ପାଇଁ ବିଡ୍ ଆହ୍ୱାନ କରାଯାଇଛି। ସେପ୍ଟେମ୍ବର ୨୦୨୬ ପରେ ମଧ୍ୟ ଏହି ଯୁଦ୍ଧବିମାନଗୁଡ଼ିକର କାର୍ଯ୍ୟଦକ୍ଷତା ଜାରି ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଉଛି। ଏହି ୫ ମାସର ସପୋର୍ଟ ଅବଧି ମଧ୍ୟରେ ପ୍ରାୟ ୨,୨୫୦ ଘଣ୍ଟାର ଉଡ଼ାଣ ଯୋଜନା କରାଯାଇଛି। ଏକ ଦୀର୍ଘକାଳୀନ ସପୋର୍ଟ ଚୁକ୍ତି ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ, ରାଫେଲ ବିମାନଗୁଡ଼ିକର କାର୍ଯ୍ୟ ଯେପରି ବିନା କୌଣସି ବାଧାରେ ଚାଲିପାରିବ, ତାହା ନିଶ୍ଚିତ କରିବା ଏହି ବ୍ରିଜ୍ ସପୋର୍ଟର ମୂଳ ଉଦ୍ଦେଶ୍ୟ।

ଭାରତୀୟ ସେନା ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିଲା । ଏହି ମିଶନର ନାଁ ଥିଲା 'ଅପରେସନ ସିନ୍ଦୂର'। ଏହି ଅପରେସନ ସମୟରେ ପାକିସ୍ତାନ ଦାବି କରିଥିଲା ଯେ, ଭାରତର ଅନେକ ରାଫେଲ ଯୁଦ୍ଧବିମାନକୁ ନଷ୍ଟ କରିଦେଇଛି। ମାତ୍ର ବାୟୁସେନାର ସରକାରୀ ଦସ୍ତାବିଜରୁ ଏହା ସ୍ପଷ୍ଟ ହୋଇଛି ଯେ, ଯଦି ଭାରତ କୌଣସି ଗୋଟିଏ ବି ରାଫେଲ ବିମାନ ହରାଇଥାନ୍ତା, ତେବେ ରକ୍ଷଣାବେକ୍ଷଣ ପାଇଁ ଜାରି ହୋଇଥିବା ଟେଣ୍ଡରରେ ବିମାନ ସଂଖ୍ୟା ୩୬ ରୁ କମ୍ ହୋଇଥାନ୍ତା। ଏଥିରୁ ସ୍ପଷ୍ଟ ପାକିସ୍ତାନର ଦାବି ସମ୍ପୂର୍ଣ୍ଣ ମିଛ ।