ନୂଆଦିଲ୍ଲୀ:କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧିଙ୍କ ଆଗାମୀ ପୁସ୍ତକ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ କୁ ନେଇ ଦେଶରେ ଏକ ନୂଆ ବିବାଦ ଦେଖା ଦେଇଛି। ଏହି ବିବାଦର ଆରମ୍ଭ ପବ୍ଲିସର ‘ପେଙ୍ଗୁଇନ ରେଣ୍ଡମ ହାଉସ୍ ଇଣ୍ଡିଆ’ ପୁସ୍ତକକୁ ଭାରତରେ ପ୍ରକାଶନ କରିବାକୁ ମନା କରିବା ପରେ ହୋଇଛି। ଏହାକୁ ନେଇ କଂଗ୍ରେସ ପ୍ରକାଶକଙ୍କ ଉପରେ ବିଜେପି ଚାପ ପକାଉଥିବାର ଅଭିଯୋଗ ଆଣିଛି। ଏହାକୁ ନେଇ ବିଜେପି କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଛି।

ଏହି ବିବାଦ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ପେଙ୍ଗୁଇନର ଆମେରିକା ଶାଖା ଅଲଫ୍ରେଡ ଏ ନଫ ଘୋଷଣା କଲେ ଯେ ସୋନିଆ ଗାନ୍ଧିଙ୍କ ଏହି ପୁସ୍ତକ ନଭେମ୍ବର ୧୦ ତାରିଖ ଦିନ ସାରା ବିଶ୍ୱରେ ରିଲିଜ୍ ହେବ। ଏଥିରେ ପେଙ୍ଗୁଇନ ରେଣ୍ଡମ ହାଉସ୍ ଇଣ୍ଡିଆ ଏକ ବୟାନ ଜାରି କରି ଭାରତରେ ଏହାକୁ ଛାପିବାକୁ ଆମେବି ଉତ୍ସୁକ ଥିଲୁ, ହେଲେ ପୁସ୍ତକରେ ଦିଆଯାଇଥିବା ତଥ୍ୟର ଯାଞ୍ଚ ପ୍ରକାଶକଙ୍କ ଅଧିକାର ଓ ଦାୟିତ୍ୱ ବୋଲି କହିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ପ୍ରକାଶକ ପୁସ୍ତକର କିଛି ଅଂଶରେ ପରିବର୍ତ୍ତନ ବା ସମ୍ପାଦନା ଚାହୁଁଥିଲେ, ଯାହାକୁ ସୋନିଆ ଗାନ୍ଧି ସ୍ପଷ୍ଟ ମନା କରିଦେଇଥିଲେ। ଏହାପରେ ପେଙ୍ଗୁଇନ ଇଣ୍ଡିଆ ପୁସ୍ତକକୁ ଭାରତରେ ଛାପିବାକୁ ମନା କରିଦେଇଥିଲେ।

ପୁସ୍ତକର ଏହି ଅଂଶରେ ଫଶିଛି ପେଞ୍ଚ
ଏନଡିଟିଭିଙ୍କ ଏକ ରିପୋର୍ଟ ଅନୁସାରେ ପବ୍ଲିସର ଓ ସୋନିଆ ଗାନ୍ଧିଙ୍କ ମଧ୍ୟରେ ମୁଖ୍ୟତଃ ୩ଟି ବିଷୟକୁ ନେଇ ସହମତି ହୋଇ ପାରିନଥିଲା। ସୋନିଆ ଗାନ୍ଧିଙ୍କ ପୁସ୍ତକରେ ଭାରତୀୟ କ୍ଷେତ୍ରକୁ ଚୀନର କଥିକ ଅନୁପ୍ରବେଶ ଓ ସୀମାର ଏବେକା ପରିସ୍ଥିତିକୁ ପ୍ରମୁଖତାର ସହ ଉଲ୍ଲେଖ କରାଯାଇଥିଲା। ପୁସ୍ତକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀ, ନେତୃତ୍ୱ ଓ କେନ୍ଦ୍ର ସରକାରଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ ନୀତି ଉପରେ ସୋନିଆ ଗାନ୍ଧି ପ୍ରଶ୍ନ ଚିହ୍ନ ଲଗାଇଛନ୍ତି। ସେହିପରି ପୁସ୍ତକରେ ଭାରତର ଜାତୀୟ ମାମଲା ଓ ସାମାଜିକ ସମ୍ପର୍କରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଭାବକୁ ନେଇ ସୋନିଆ ଗାନ୍ଧି ନିଜ ବିଚାର ଉଲ୍ଲେଖ କରିଛନ୍ତି।

ଏଣୁ ପ୍ରକାଶକ ଯେତେବେଳେ ଏହି ଅଂଶଗୁଡିକର ସମ୍ପାଦନା ନିମନ୍ତେ ପରାମର୍ଶ ଦେଲେ ସୋନିଆ ‘ଏହା ତାଙ୍କର ନିଜର ଅନୁଭବ ଓ ଏଥିରେ କୌଣସି ପ୍ରକାରର ବୁଝାମଣା ହୋଇ ପାରିବନି’ କହି ଟାଳି ଯାଇଥିଲେ।

ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଆକ୍ରମଣ
ଳୋକସଭାରେ କଂଗ୍ରେସ ଉପନେତା ଗୌରବ ଗୋଗଇ ପେଙ୍ଗୁଇନ ଇଣ୍ଡିଆର ବୟାନକୁ ଦୁର୍ବଳ ଓ ପ୍ରକାଶକ ବିଜେପି ସରକାରଙ୍କ ଚାପରେ ଅଛନ୍ତି ବୋଲି କହିଛନ୍ତି। ଏ ନେଇ ସେ ଏକ୍ସ ରେ କରିଥିବା ପୋଷ୍ଟରେ ପେଙ୍ଗୁଇନକୁ ‘ଏଗଜାମ ୱାରିୟର୍ସ’ ଓ ଆରଏସଏସ ଉପରେ ପୁସ୍ତକ ଛାପିବାରେ କୌଣସି ଅସୁବିଧା ନାହିଁ, ହେଲେ ବିଜେପି ସରକାର ଏ କଥାରେ ଡରି ଯାଇଛନ୍ତି ଯେ ଲୋକେ ସତ୍ୟତା ପଢିଦେବେ ବୋଲି ଉଲ୍ଲଖ କରିଛନ୍ତି। ସେହିପରି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ ଯେତେବେଳେ ପେଙ୍ଗୁଇନର ଅନ୍ତର୍ଜାତୀୟ ଶାଖା ସାରା ବିଶ୍ୱରେ ଏହି ପୁସ୍ତକ ପ୍ରକାଶନ କରିବାକୁ ଯାଉଛି ସେତେବେଳେ ଭାରତୀୟ ଶାଖାକୁ ଏହା ପ୍ରକାଶନ ନ କରିବାକୁ କାହିଁକି ଅଟକା ଯାଉଛି ବୋଲି ପ୍ରଶ୍ନ କରିଛନ୍ତି।

ଜବାବ ରଖିଲା ବିଜେପି
ମାମଲାରେ ବିଜେପି କଂଗ୍ରେସର ସବୁ ଅଭିଯୋଗ କୁ ଖାରଜ କରିଦେଇଛି। ବିଜେପି ନେତାମାନେ କହିଛନ୍ତି ଯେ କଂଗ୍ରେସ ଦେଶରେ ‘ଡରର ମିଥ୍ୟା ପରିବେଶ ସୃଷ୍ଟି କରୁଛି’। ବିଜେପି ମୁଖପାତ୍ର ସି.ଆର.କେସବନ କହିଛନ୍ତି ଯେ ଏହା ବୁଝିବା ଜରୁରି ପୁସ୍ତକର କେଉଁ ଅଂଶରେ ଫ୍ୟାକ୍ଟ ଚେକିଂର ଆବଶ୍ୟକତା ଥିଲା ଓ କଂଗ୍ରେସ ସତ୍ୟରୁ ପଳାୟନ କରୁଛି କାହିଁକି? ସେହିପରି ବିଜେପି ନେତା ଅଜୟ ଆଲୋକ କହିଛନ୍ତି ଯେ ପ୍ରକାଶକଙ୍କ କାମ ବିଶ୍ୱସନୀୟତା ବଜାୟ ରଖିବା ଓ ତଥ୍ୟର ପୁଷ୍ଟି କରିବା। ତେବେ ଲଜ୍ଜାର କଥା ପୁସ୍ତକ ଲେଖାଯିବା ବେଳେ ତଥ୍ୟ ଓ ଡାଟା ଦିଆଯାଉ ନାହିଁ। ଏଣୁ ପ୍ରକାଶନ ଏହାକୁ ଛାପିବାକୁ ପଛକୁ ହଟୁଛନ୍ତି।

Also Read:ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ପ୍ରକାଶନକୁ ନେଇ ସସପେନ୍ସ: ଗଣମାଧ୍ୟମର ଦାବିକୁ ଖଣ୍ଡନ କଲା PRHI