ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବନାଞ୍ଚଳ ଅନ୍ତର୍ଗତ ଚଡ଼ିଆପଡ଼ା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ସନ୍ଧ୍ୟାରୁ ନିଖୋଜ ଥିବା ଦୁଇ ବର୍ଷର ଶିଶୁ କନ୍ୟାର ମୃତଦେହ ଘରଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଜଙ୍ଗଲରୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଶିଶୁଟିକୁ କୌଣସି ଜଙ୍ଗଲୀ ଜନ୍ତୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ବନ ବିଭାଗ ପକ୍ଷରୁ ତୁରନ୍ତ ସର୍ଚ୍ଚ ଅଭିଯାନ ଆରମ୍ଭ କରାଯାଇଥିଲା। ଦୀର୍ଘ ୧୯ରୁ ୨୦ ଘଣ୍ଟା ଧରି ଖୋଜାଖୋଜି ପରେ ଓଡ଼ିଶା ଓ ଛତିଶଗଡ଼ରୁ ଆସିଥିବା ସନ୍ଧାନୀ କୁକୁରଙ୍କ ସହାୟତାରେ ଜଙ୍ଗଲ ମଧ୍ୟରୁ ଶିଶୁଟିର ମୃତଦେହର ବିଭିନ୍ନ ଅଂଶ ଠାବ କରାଯାଇଥିଲା।

ବନ ବିଭାଗର ପ୍ରାଥମିକ ତଦନ୍ତ ଅନୁସାରେ, କଲରାପତରିଆ ବାଘ ଆକ୍ରମଣରେ ଶିଶୁଟିର ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ସେପଟେ ଏହି ଦୁଃଖଦ ଘଟଣା ପରେ ଚଡ଼ିଆପଡ଼ା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଦୁଇ ବର୍ଷର କୁନି ଶିଶୁର ଏଭଳି ଅକାଳ ମୃତ୍ୟୁକୁ ନେଇ ପରିବାର ସମେତ ସମଗ୍ର ଗ୍ରାମବାସୀ ମର୍ମାହତ ହୋଇପଡ଼ିଛନ୍ତି।

Also Read: ଖେଳ ଛୁଟିରେ ଝଗଡ଼ା, ଛାତ୍ରଙ୍କୁ ବାଡ଼ିରେ ପିଟିଥିବା ଅଭିଯୋଗ