ନ୍ୟୁୟର୍କ, ୦୨/୦୧ :ଆମେରିକା ସହ ଆଲୋଚନା ପାଇଁ ଭେନେଜୁଏଲା ଆଗ୍ରହୀ । ବଢୁଥିବା ବିବାଦ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥାବାର୍ତ୍ତା ପାଇଁ ସଙ୍କେତ ଦେଇଛନ୍ତି ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ । ନିଶା କାରବାର ପ୍ରସଙ୍ଗରେ ସେ ୟୁଏସକୁ ସହଯୋଗ କରିବା ପାଇଁ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି ।

ରିପୋର୍ଟ ଅନୁସାରେ, ଭେନେଜୁଏଲା ଆଖପାଖରେ ଆମେରିକା ବିପୁଳ ପରିମାଣରେ ସୈନ୍ୟ ମୁତୟନ କରୁଛି । ଦେଶ ଭିତରକୁ କିମ୍ବା ବାହାରକୁ ଯାଉଥିବା ତୈଳ ଜାହାଜକୁ ରୋକି ଦେଉଛି । ଫଳରେ ଭେନେଜୁଏଲାରେ ଗୁରୁତର ଶକ୍ତିସଙ୍କଟ ଦେଖିବାକୁ ମିଳୁଛି । ଲଗାତାର ଟ୍ରମ୍ପଙ୍କ ପକ୍ଷରୁ ଚାପ ପଡିବା ପରେ ଏବେ ମାଦୁରୋ ଆଲୋଚନା କଥା ଉଠାଇଛନ୍ତି ।

ଏକ ଟିଭି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଟ୍ରମ୍ପ ଯେବେ ଚାହିଁବେ ସେ ଆଲୋଚନା ପାଇଁ ରାଜି ଅଛନ୍ତି । ତେବେ କାରବ୍ୟାନ ସମୁଦ୍ରରେ ଆମେରିକାର ଏୟାର ଷ୍ଟ୍ରାଇକ୍ ନେଇ ତାଙ୍କୁ କିଛି ପ୍ରଶ୍ନ କରାଯାଇଥିଲା । ଯାହା ଉପରେ ସେ ନିରବତା ଅବଲମ୍ବନ କରିଥିଲେ ।

୨୦୨୫ର ଶେଷ ସପ୍ତାହରେ ଟ୍ରମ୍ପ ଭେନେଜୁଏଲାର ବନ୍ଦର ନିକଟରେ ଏୟାର ଏବଂ ଲ୍ୟାଣ୍ଡ୍ ଷ୍ଟ୍ରାଇକ୍ କରାଯାଇଥିବା କହିଥିଲେ । ନିଶା କାରବାର ନେଇ ଏହି ଆକ୍ରମଣ ହୋଇଥିଲା । ତେବେ କେଉଁ ବନ୍ଦରରେ ଆକ୍ରମଣ ହୋଇଥିଲା ତାହା ସେ ପ୍ରକାଶ କରିନଥିଲେ । ଏଥିରେ ସିଆଇଏର ହାତ ରହିଥିବା ନେଇ ଟ୍ରମ୍ପ କିଛି କହିବାକୁ ମନା କରିଦେଇଥିଲେ । ପ୍ରଥମେ ଜାହାଜକୁ ଟାର୍ଗେଟ୍ କରାଯାଉଥିଲା ଏବେ ବନ୍ଦରକୁ ଟାର୍ଗେଟ୍ କରାଯାଇଥିବା ସେ ପ୍ରକାଶ କରିଥିଲେ ।

ତେବେ ମାଦୁରୋ ସରକାର ୟୁଏସର ଷ୍ଟ୍ରାଇକକୁ ଖଣ୍ଡନ କରି ନାହାଁନ୍ତି । ମାଦୁରୋ କହିଛନ୍ତି ଯେ, ଏହା କିଛି ଏପରି ଘଟଣା ଯାହା ବିଷୟରେ କିଛି ଦିନ ମଧ୍ୟରେ ଆଲୋଚନା ହେବ । ଅର୍ଥାତ ସେ ଆମେରିକାର ଷ୍ଟ୍ରାଇକକୁ ସତ କହିନଥିଲେ ମଧ୍ୟ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ ମଧ୍ୟ କରି ନାହାଁନ୍ତି ।

ସୂଚନାଯୋଗ୍ୟ, ଗତ କିଛି ମାସ ହେଲା ୟୁଏସ ଏୟାର ଫୋର୍ସ ଲଗାତାର ଭାବେ କାରବ୍ୟାନ୍ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆକ୍ରମଣ କରୁଛି । ବେଆଇନ ନିଶା କାରବାର କରୁଥିବା ଅନେକ ଜାହାଜକୁ ଟାର୍ଗେଟ୍ କରାଯାଇଛି । ୟୁଏସ ଆକ୍ରମଣରେ ୨୦ରୁ ଅଧିକ ଜାହାଜ ଧ୍ୱଂସ ହୋଇଥିବା ବେଳେ ୧୦୦ରୁ ଅଧିକ ପ୍ରାଣ ହରାଇଛନ୍ତି ।