ନୂଆଦିଲ୍ଲୀ: ସାରା ବିଶ୍ୱ ପାଳନ କରୁଛି ଭାଲେଣ୍ଟାଇନ୍ସ ଡେ’। ବିଶେଷକରି ଯୁବପିଢ଼ି ଏହି ଦିନକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଫେବୃଆରୀ ୭ରୁ ଫେବୃଆରୀ ୧୪ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନକୁ ପାଳନ କରାଯାଇଥିଲେବି ଭାଲେଣ୍ଟାଇନ୍ସ ଡେ ହେଉଛି ସବୁଠାରୁ ବ୍ୟାପକ। ଏହି ଦିନରେ ପ୍ରେମୀ ଯୁଗଳ ଏକାଠି ଡେଟିଂ କରନ୍ତି। ସେମାନଙ୍କର ଭାବନା ଏବଂ ପ୍ରେମକୁ ପ୍ରକାଶ କରନ୍ତି। ଇଏ ଏମିତି ଏକ ପ୍ରେମ କାହାଣୀ, ଯେଉଁଠି ଦେବାକୁ ପଡ଼େ ବଳିଦାନ। ପ୍ରେମୀଯୁଗଳଙ୍କୁ ଏକାଠି କରିବା ପାଇଁ ଦିଆଯାଇଥିଲା ଫାଶୀଦଣ୍ଡ । ଏଇଠୁ ଭାଲେଣ୍ଟାଇନ୍ସ ଡେ’ର ଉତ୍ପତ୍ତି। ଯିଏ କୁହନ୍ତି ଯେ ପ୍ରେମର ପଥ ସହଜ ନୁହେଁ, ସେମାନଙ୍କ ପାଇଁ ଭାଲେଣ୍ଟାଇନଙ୍କ କାହାଣୀ ନିଶ୍ଚିତ ପ୍ରେରଣାଦାୟକ।

ଭାଲେଣ୍ଟାଇନ୍ ଡେ’ର କାହାଣୀ ରୋମ୍ର ଜଣେ ସନ୍ଥଙ୍କ ଉପରେ ଆଧାରିତ। ତାଙ୍କର ନାଁ ସେଣ୍ଟ୍ ଭାଲେଣ୍ଟାଇନ୍ ଥିଲା। ୨୭୦ ଖ୍ରୀଷ୍ଟାବ୍ଦରେ, ରୋମ୍ର ରାଜା କ୍ଲାଉଡିୟସ୍ ସମ୍ପୂର୍ଣ୍ଣ ପ୍ରେମ ବିରୋଧୀ ଥିଲେ। ସେ ମଧ୍ୟ ପ୍ରେମ ବିବାହକୁ ଦୃଢ ବିରୋଧ କରୁଥିଲେ। କ୍ଲାଉଡିୟସ୍ ବିଶ୍ୱାସ କରୁଥିଲେ ଯେ ପ୍ରେମକୁ ପ୍ରୋତ୍ସାହିତ କଲେ ଏହା ରୋମ୍ର ସୈନିକମାନଙ୍କ ଧ୍ୟାନ ଭଙ୍ଗ କରିବ। ଏଥିପାଇଁ ରୋମର ସୈନ୍ୟବଳ ଦୁର୍ବଳ ହୋଇଯିବ। ଏମିତି କି ରାଜା କ୍ଲାଉଡିୟସ୍ ମଧ୍ୟ ସୈନିକମାନଙ୍କ ବିବାହ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ଯେଉଁଠାରେ ଗୋଟିଏ ପଟେ ରାଜା କ୍ଲାଉଡିୟସ୍ ପ୍ରେମକୁ ବିରୋଧ କରୁଥିଲେ ସେଠାରେ ଅନ୍ୟ ପଟେ ସେଣ୍ଟ ଭାଲେଣ୍ଟାଇନ୍ ଖୋଲାଖୋଲି ଭାବରେ ପ୍ରେମର ପ୍ରଚାର କରୁଥିଲେ। ଏନେଇ ସେଣ୍ଟ୍ ଭାଲେଣ୍ଟାଇନ୍ କେବଳ କ୍ଲାଉଡିୟସଙ୍କ ବିଚାରଧାରାକୁ ଭୁଲ ପ୍ରମାଣିତ କରିନାହାଁନ୍ତି ବରଂ ରାଜାଙ୍କ ବିରୁଦ୍ଧରେ ଯାଇ ସେ ଅନେକ ବିବାହ ମଧ୍ୟ କରିଥିଲେ। ଏହି କାରଣରୁ ରାଜା କ୍ଲାଉଡିୟସ୍ ସେଣ୍ଟ ଭାଲେଣ୍ଟାଇନ୍ଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ଏବଂ ଭାଲେଣ୍ଟାଇନ୍ଙ୍କୁ ଫେବୃଆରୀ ୧୪ରେ ଫାଶୀ ଦିଆଯାଇଥିଲା।

କୁହାଯାଏ ଯେ ସନ୍ଥ ଭାଲେଣ୍ଟାଇନଙ୍କୁ ଯେଉଁ ଜେଲରେ ବନ୍ଦୀ କରାଯାଇଥିଲା, ସେହି ଜେଲରଙ୍କ ଝିଅକୁ ସେ ପ୍ରେମ କରି ବସିଥିଲେ । ତାଙ୍କୁ ଫାଶୀ ହେବା ପୂର୍ବରୁ, ସନ୍ଥ ଭାଲେଣ୍ଟାଇନ ଜେଲରଙ୍କ ଝିଅକୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ଶେଷରେ ସେ “ତୁମର ଭାଲେଣ୍ଟାଇନ” ଲେଖିଥିଲେ । ସେବେଠାରୁ, ଏହି ଦିନଟିକୁ ପ୍ରେମ ଏବଂ ସମର୍ପଣର ପ୍ରତୀକ ଭାବରେ ବିବେଚନା ହେଲା । ଏହା ପରେ ଏହି ଦିନ ରୋମ ସମେତ ସମଗ୍ର ବିଶ୍ୱରେ ପ୍ରେମ ଦିବସ ଭାବରେ ପରିଚିତ ହେଲା। ଫେବୃଆରୀ ୧୪କୁ ଭାଲେଣ୍ଟାଇନ୍ ଡେ’ ପାଳନ କରିବାର ଚିନ୍ତାଧାରା ସମଗ୍ର ବିଶ୍ୱରେ ଆରମ୍ଭ ହେଲା।

ରୋମାନ୍ ଫେଷ୍ଟିଭାଲରୁ ଭାଲେଣ୍ଟାଇନ୍ ଡେ’ ଆରମ୍ଭ ହୋଇଥିଲା। ଖ୍ରୀଷ୍ଟାଦ୍ଦ ୪୯୬ ରେ ବିଶ୍ୱରେ ପ୍ରଥମ ଭାଲେଣ୍ଟାଇନ୍ ଡେ’ ପାଳନ କରାଯାଇଥିଲା। ଏହା ପରେ, ପଞ୍ଚମ ଶତାବ୍ଦୀରେ ରୋମର ପୋପ୍ ଜେଲାସିୟସ୍ ଫେବୃଆରୀ ୧୪କୁ ସେଣ୍ଟ ଭାଲେଣ୍ଟାଇନ୍ ଡେ’ ଭାବରେ ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ଫେବୃଆରୀ ୧୪କୁ ଭାଲେଣ୍ଟାଇନ ଡେ’ ଭାବରେ ରୋମ ସମେତ ସମଗ୍ର ବିଶ୍ୱରେ ପାଳନ କରାଯାଏ।

ଭାଲେଣ୍ଟାଇନ୍ସ ଡେ କେବଳ ଉପହାର ଦେବା କିମ୍ବା ଡେଟରେ ଯିବା ନୁହେଁ, ବରଂ ଏହା ପରସ୍ପର ପ୍ରତି ପ୍ରେମ ଏବଂ ସମ୍ମାନ ପ୍ରକାଶ କରିବାର ଦିନ। ଆପଣ ଏହାକୁ ଆପଣଙ୍କ ସାଥୀ, ବନ୍ଧୁଙ୍କ ସହିତ ପାଳନ କରିପାରିବେ । ଏହି ଦିନଟି ଆପଣଙ୍କ ସମ୍ପର୍କକୁ ଆହୁରି ମଜବୁତ କରିବାର ସୁଯୋଗ ଦିଏ।