ଭୁବନେଶ୍ୱର: ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ। ଏନେଇ ପୂର୍ବାନୁମାନ କରିଛନ୍ତି ସୋଆ ସିଇସି ଶରତ ସାହୁ। ୪ରୁ ଏକ ଟ୍ରାପ ଲାଇନ କେନ୍ଦ୍ର ଭାରତ ରେ ହେବା ସମ୍ଭାବନା ରହିଛି। ଏହାର ପ୍ରଭାବ ୭ରୁ ଓଡ଼ିଶା ଉପରେ ପଡିବ ବୋଲି କହିଛନ୍ତି ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ।

୭ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରଭାବ ତୀବ୍ର ରହିବ। ଏହି ସମୟରେ ପବନର ବେଗ ୫୦ ରୁ ୬୦ କିମି ରହିବ। ଝଟକା ପବନ ୭୫ କିଲୋମିଟର ପ୍ରତି ଘଣ୍ଟା ପ୍ରବାହିତ ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ପାରଦ ଅଧିକ ବୃଦ୍ଧି ନ ହେଉଥିଲେ ମଧ୍ୟ ଉପକୂଳରେ ଗୁଳୁଗୁଳି ଅନୁଭବ ହେବ। କିନ୍ତୁ ଏହି ଗରମ ସହନୀୟ ହେବ ବୋଲି ସେ କହିଛନ୍ତି। ୨ରୁ ୪ ତାରିଖ କାଁ ଭାଁ କାଳବୈଶାଖୀର ପ୍ରଭାବ ରହିବ ବୋଲି ସେ କହିଛନ୍ତି।

ସେପଟେ ସାରା ରାଜ୍ୟକୁ ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଗଜପତି, ରାୟଗଡ଼ା, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲାରେ ପବନ ସହ ଘଡ଼ଘଡ଼ି ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାକି ସବୁ ଜିଲ୍ଲାକୁ ବର୍ଷା ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସକାଳ ସାଢ଼େ ୮ଟା ପରେ ପାଗରେ ପରିବର୍ତ୍ତନ ହୋଇପାରେ। ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ସହ ପାରଦ ଆଜି ବି ବଢ଼ିପାରେ।