କୋଲକାତା:ପଶ୍ଚିମବଙ୍ଗ ଭୋଟର ଲିଷ୍ଟ ଗହନ ପୁନଃରିକ୍ଷଣ (ଏସଆଇଆ) ସମ୍ପର୍କିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ୨୭ଲକ୍ଷ ଅପିଲରୁ ଟ୍ରିବ୍ୟୁନାଲ ମାତ୍ର ୫୦୦ ଅପିଲ ମଞ୍ଜୁର କରିଛନ୍ତି। ସୂତ୍ର ଅନୁସାରେ ୫୦୦ ମାମଲା ଶୁଣାଣି ପରେ ସପ୍ଲିମିଣ୍ଟାରୀ ଭୋଟର ଲିଷ୍ଟରେ ମାତ୍ର ୧୩୭ ଜଣ ଭୋଟରଙ୍କ ନାମ ସ୍ଥାନ ପାଇଛି। ଆଗାମୀ ବିଧାନସଭା ନିର୍ବାଚନରେ ଏହି ୧୩୭ ଜଣ ଭୋଟରଙ୍କୁ ଭୋଟ ଦାନ ପାଇଁ ଅନୁମତି ମିଳିଛି। ଉଲ୍ଲେଖଯୋଗ୍ୟ ଏହି ମାମଲାରେ ସୁପ୍ରିମକୋର୍ଟ  ଗତ ଦିନରେ ବଡ଼ ଆଦେଶ ଦେଇଥିଲେ।

ଏପ୍ରିଲ ୨୩ରେ ୧୫୨ ସିଟ୍ ପାଇଁ ଭୋଟିଂ
ସୁପ୍ରିମକୋର୍ଟ କହିଥିଲେ ଯେ ଟ୍ରିବ୍ୟୁନାଲରେ ଯେଉଁମାନଙ୍କ ଆବେଦନ ମଞ୍ଜୁର ହେବ ସେମାନେ ୨୩ ଓ ୨୯ ତାରିଖ ପଶ୍ଚିମବଙ୍ଗ ମତଦାନରେ ଅଂଶଗ୍ରହଣ କରିପାରିବେ। ଏଥି ପାଇଁ ସୁପ୍ରିମକୋର୍ଟ ଅନୁଚ୍ଛେଦ ୧୪୨ରେ ପ୍ରଦତ୍ତ ଶକ୍ତି ଉପଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ପଶ୍ଚିମବଙ୍ଗରେ ୨ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ୨୩ ଏପ୍ରିଲ ଗୁରୁବାର ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୨୯ ତାରିଖରେ ହେବ। ପ୍ରଥମ ପର୍ଯ୍ୟାୟରେ ୧୫୨ ଆସନରେ ଭୋଟ ଦିଆଯିବ ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୪୨ ଆସନ ପାଇଁ ଭୋଟିଂ ହେବ।

୨୭,୧୬,୩୯୩ ହୋଇଥିଲେ ଅଯୋଗ୍ୟ
ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗରେ ଏସଆଇଆର ପୂର୍ବରୁ ମୋଟ ୭କୋଟି ୬୬ଲକ୍ଷ ୩୭ ହଜାର୫୨୯ ଜଣ ଭୋଟର ଥିଲେ। ୨୮ ଫେବୃଆରୀରେ ଏସଆଇଆରର ପ୍ରଥମ ଭୋଟର ତାଲିକା ଆସିଥିଲା। ଏଥିରେ ପାଖାପାଖି ୬୩.୬୬ ଲକ୍ଷ ଭୋଟରଙ୍କ ନାମ ହଟା ଯାଇଥିଲା। ଏହାଛଡା ୬୦,୦୬,୬୭୫ ଭୋଟରଙ୍କୁ ୱେଟିଂରେ ରଖା ଯାଇଥିଲା ଓ କୁହାଯାଇଥିଲା ଏହା ଉପରେ ବିଚାର କରାଯିବ। ପରେ ଏଥିରୁ ୨୭ଲକ୍ଷ ୧୬ ହଜାର ୩୯୩ ଜଣ ଅଯୋଗ୍ୟ ସାବ୍ୟସ୍ତ ହୋଇଥିଲେ, ତେବେ ୩୨ଲକ୍ଷ ୬୮ ହଜାର ୧୧୯ଜଣଙ୍କୁ ପାତ୍ର ମତଦାତା ମାନି ସେମାନଙ୍କ ନାମ ଭୋଟର ଲିଷ୍ଟରେ ଜାରି କରାଯାଇଥିଲା।

ଜାଣନ୍ତୁ ଏବେ ଭୋଟ ଦେବେ କେତେ ଭୋଟର?
ପଶ୍ଚିମବଙ୍ଗରେ ଏବେ ମୋଟ ଭୋଟରଙ୍କ ସଂଖ୍ୟା ୬କୋଟି ୭୭ଲକ୍ଷ ୨୦ ହଜାର ୭୨୮ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୩-୪ ଦିନ ପୂର୍ବରୁ ୭ ଲକ୍ଷ ନୂଆ ଭୋଟରଙ୍କୁ ସଂଯୁକ୍ତ କରାଯାଇଥିଲା। ଏହା ପରେ ପଶ୍ଚିମବଙ୍ଗରେମୋଟର ଭୋଟରଙ୍କ ସଂଖ୍ୟା ୬କୋଟି୮୨ଲକ୍ଷ ୫୧ ହଜାର ୮ ହୋଇଯାଇଛି। ନୂଆ ଭୋଟରଙ୍କ ମଧ୍ୟରୁ ପାଖାପାଖି ୩ଲକ୍ଷ ୨୨ ହଜାର ଭୋଟର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟଦାନ କରିବେ। ବାକି ୩ଲକ୍ଷ ୮୮ ହଜାର ଭୋଟର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଦାନରେ ସାମିଲ ହେବ।