କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦୁର୍ଗାପୂଜାକୁ ନେଇ ଅନେକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ ସରକାର କମ୍ ବଜେଟର ଦୁର୍ଗାପୂଜା ସମିତିଗୁଡ଼ିକୁ ଏକ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବେ । ଏହା ସହିତ ପୂଜା ସମିତିଗୁଡ଼ିକୁ ମାଗଣା ବିଜୁଳି ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ପୂଜା ଆୟୋଜକମାନଙ୍କୁ ମା’ ଦୁର୍ଗାଙ୍କ ପ୍ରତିମା, ପଣ୍ଡାଲ ଓ ଥିମ୍ ସହିତ ଏପରି ପ୍ରୟୋଗ ନକରିବାକୁ ଅପିଲ୍ କରିଛନ୍ତି, ଯାହାଦ୍ୱାରା ଧାର୍ମିକ ଭାବନା କିମ୍ବା ସାଂସ୍କୃତିକ ଐତିହ୍ୟ ପ୍ରଭାବିତ ହେଉଥିବ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପାର୍ବଣରେ ମଦ ବିକ୍ରି ଉପରେ ବି କଟକଣା ଲଗାଇଛନ୍ତି । ରାଜ୍ୟରେ ଏହି ବର୍ଷ ମହାଷ୍ଟମୀ ଦିନ ମଦ ବିକ୍ରି ସମ୍ପୂର୍ଣ୍ଣ ନିଷିଦ୍ଧ ରହିବ । ଏହି ସମୟରେ ମଦ ଦୋକାନ ସହିତ ବାରଗୁଡ଼ିକ ମଧ୍ୟ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ମହାଷ୍ଟମୀ ଦିନ ରାଜ୍ୟରେ ଆମେ ଦେବୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରୁ, ତେଣୁ ସମସ୍ତ ମଦ ଦୋକାନ ଓ ବାର୍ ବନ୍ଦ ରହିବ । ଅଷ୍ଟମୀ ଦିନ ମଦ ବିକ୍ରି ହୋଇପାରିବ ନାହିଁ ।"

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୁର୍ଗାପୂଜା ସମିତିଗୁଡ଼ିକୁ ଧାର୍ମିକ ଓ ସାଂସ୍କୃତିକ ଭାବନାର ଧ୍ୟାନ ରଖିବାକୁ ମଧ୍ୟ ଅପିଲ୍ କରିଥିଲେ । ସେ ପୂଜା ପଣ୍ଡାଲ, ମା’ ଦୁର୍ଗାଙ୍କ ପ୍ରତିମା, ଥିମ୍ ଓ ସାଜସଜ୍ଜାରେ ଏପରି କୌଣସି ପ୍ରୟୋଗ ନକରିବାକୁ କହିଛନ୍ତି, ଯାହାଦ୍ୱାରା ଧାର୍ମିକ ଭାବନା କିମ୍ବା ସାଂସ୍କୃତିକ ଐତିହ୍ୟ ପ୍ରଭାବିତ ହେବ । ଏହାସହ ବିସର୍ଜନ ଶୋଭାଯାତ୍ରାରେ ଡିଜେ ବଜାଇବାକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ମା’ଙ୍କ ପ୍ରତିମାର ବିସର୍ଜନ ଶୋଭାଯାତ୍ରାରେ ଡିଜେ ବଜାଇବାକୁ ଅନୁମତି ମିଳିବ ନାହିଁ । ସେ କହିଛନ୍ତି ଯେ ୨୫ ଅକ୍ଟୋବରରେ ଲକ୍ଷ୍ମୀପୂଜା ଅଛି, ତେଣୁ ସମସ୍ତ ପୂଜା ସମିତି ଏହାର ଗୋଟିଏ ଦିନ ପୂର୍ବରୁ ଦୁର୍ଗା ପ୍ରତିମା ବିସର୍ଜନ ପ୍ରକ୍ରିୟା ଶେଷ କରିବେ ।

ମାଗଣା ବିଜୁଳି ଓ ସୁରକ୍ଷା ଫି' ଛାଡ଼

ମୁଖ୍ୟମନ୍ତ୍ରୀ ପୂଜା ସମିତିଗୁଡ଼ିକ ପାଇଁ ଅନେକ ସୁବିଧାର ମଧ୍ୟ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସରକାର ଦୁର୍ଗାପୂଜା ପାଇଁ ମାଗଣା ବିଜୁଳି ଯୋଗାଇ ଦେବେ । ମାଗଣା ବିଜୁଳି ଯୋଗାଣ କରିବା ନେଇ ସ୍ପଷ୍ଟ କରାଯାଇଛି । ପୂଜା ଆୟୋଜନ ପାଇଁ ଫାୟାର ସେଫ୍ଟି ଲାଇସେନ୍ସ ନେବା ବାଧ୍ୟତାମୂଳକ ହେବ, ମାତ୍ର ଏଥିପାଇଁ ସମିତିଗୁଡ଼ିକଠାରୁ କୌଣସି ଶୁଳ୍କ ନିଆଯିବ ନାହିଁ । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଅଧିକ ବଜେଟର ଓ ଆର୍ଥିକ ଦୃଷ୍ଟିରୁ ସକ୍ଷମ ଥିବା ପୂଜା ସମିତିଗୁଡ଼ିକୁ ସରକାରୀ ଅନୁଦାନ ନନେବାକୁ ଅପିଲ୍ କରିଛନ୍ତି । ସେ କହିଛନ୍ତି ଯେ ସେ ଏହାକୁ ନେଇ କୌଣସି ଆଦେଶ ଜାରି କରିବାକୁ ଚାହୁଁନାହାନ୍ତି କିମ୍ବା ନିଜ ଅଧିକାରର ଭୁଲ୍ ବ୍ୟବହାର କରିବାକୁ ଚାହୁଁନାହାନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁ ସମିତିଗୁଡ଼ିକ ପାଖରେ ପର୍ଯ୍ୟାପ୍ତ ସମ୍ବଳ ଅଛି, ସେମାନେ ସ୍ୱେଚ୍ଛାକୃତ ଭାବେ ସରକାରୀ ସହାୟତା ଛାଡ଼ିଦିଅନ୍ତୁ ।