ତେହେରାନ୨୩ /୦୩:ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍-ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଇତିମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ରବିବାର ବିଶ୍ୱର ଅନ୍ୟ ଦେଶଙ୍କୁ ଆମେରିକା ଏବଂ ଇସ୍ରାଏଲ୍ ସହ ମିଶି ଇରାନ ବିରୋଧୀ ଏହି ଯୁଦ୍ଧରେ ସାମିଲ ହେବାକୁ ଅପିଲ କରିଛନ୍ତି ।

ଏହି ସମୟରେ ସେ କହିଛନ୍ତି ଯେ,ବିଗତ ୪୮ ଘଣ୍ଟାର ଘଟଣାକ୍ରମ ଇରାନ ଏବେ ପୂରା ଦୁନିଆ ଲାଗି ବିପଦ ପାଲଟିଯାଇଥିବା ଦର୍ଶାଉଛି । ଜେରୁଜେଲମ୍ରେ ଜନବସତି ଏବଂ ପ୍ରମୁଖ ଧାର୍ମିକ ସ୍ଥଳକୁ ଏହା ମିସାଇଲ୍ ଦ୍ୱାରା ଟାର୍ଗେଟ୍ କରିଛି । ଏହାଦ୍ୱାରା ସାଧାରଣ ଲୋକେ ପ୍ରଭାବିତ ହୋଇଛନ୍ତି । ସେହିପରି ଇରାନ ଲମ୍ବା ଦୂର ଯାଏ ଷ୍ଟ୍ରାଇକ୍ କରିବାର ନିଜର କ୍ଷମତାର ପ୍ରଦର୍ଶନ କରିଛି । ବୈଶ୍ୱିକ ଚାପ ସୃଷ୍ଟି ଲାଗି ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଉଦ୍ୟମ କରିଛି । ପୂରା ଦୁନିଆକୁ ଏହି ପଦକ୍ଷେପ ମାଧ୍ୟମରେ ବ୍ଲାକମେଲ କରିବା ଇରାନର ଉଦ୍ଦେଶ୍ୟ ।

Also Read :-ନାଁକୁ ମାତ୍ର ସୁପ୍ରିମ୍ ଲିଡର, ମୋଜତବାଙ୍କ ହାତରେ ନାହିଁ କ୍ଷମତା : ଇରାନରେ ସବୁ ବୁଝୁଛି IRGC

ନେତନ୍ୟାହୁ ଆହୁରି କହିଛନ୍ତି ଯେ, ଏପରିସ୍ଥଳେ ଏହା କେବଳ ଇସ୍ରାଏଲ୍,ଆମେରିକା ନୁହେଁ,ବରଂ ପୁରା ଦୁନିଆ ଲାଗି ସୁରକ୍ଷାର ମାମଲା । ତେଣୁ ଅନ୍ୟ ଦେଶମାନେ ମଧ୍ୟ ଏହି ଯୁଦ୍ଧରେ ସାମିଲ ହେବା ଉଚିତ । ଯୁଦ୍ଧ କେବେ ଶେଷ ହେବ ତାହା ସ୍ଥିର ହୋଇନାହିଁ । ତେବେ ବିଜୟ ହାସଲ ହେଲେ ହିଁ ଯୁଦ୍ଧ ସରିବ । ଏହି ସମୟରେ ନେତନ୍ୟାହୁ ଆହୁରି କହିଛନ୍ତି ଯେ,କିଛି ଦେଶ ପୂର୍ବରୁ ତାଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତି କରୁଛନ୍ତି । ସେମାନଙ୍କୁ କିନ୍ତୁ ଆହୁରି ଅଧିକ ସମର୍ଥନ ଆବଶ୍ୟକ । ଇରାନ ବିରୋଧରେ ବ୍ୟାପକ ଅନ୍ତର୍ଜାତୀୟ କାର୍ଯ୍ୟାନୁଷ୍ଠାନ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅପିଲକୁ ମଧ୍ୟ ସେ ସ୍ୱାଗତ କରିଛନ୍ତି ।