ଅମରାବତୀ: ଆନ୍ଧ୍ରପ୍ରଦେଶ ଜିଲ୍ଲା ପରିଷଦ ଟେରିଟୋରିୟଲ କଂଷ୍ଟିଟ୍ୟୁଏନସୀ (ଜେଡପିଟିସି) ଓ ମଣ୍ଡଳ ପରିଷଦ ଟେରିଟୋରିୟଲ କଂଷ୍ଟିଟ୍ୟୁଏନସୀ (ଏମପିଟିସି) ନିର୍ବାଚନ ଲାଗି ଗୁରୁବାର ଭୋଟ ଗ୍ରହଣ ସମାପ୍ତ ହୋଇଛି। ଶାସକ ତେଲଗୁଦେଶମ ପାର୍ଟି (ଟିଡିପି) ଓ ବିରୋଧୀ ୱାଇଏସଆର କଂଗ୍ରେସ ପାର୍ଟି (ୱାଇଏସଆରସିପି) କର୍ମୀଙ୍କ ମଧ୍ୟରେ କାଁଭାଁ ଘଟଣାକୁ ଛାଡିଦେଲେ ମୋଟ ଉପରେ ଦିନତମାମ ନିର୍ବାଚନ ଶାନ୍ତିପୂର୍ଣ୍ଣ ଥିଲା। କୁରନୁଲ ଜିଲ୍ଲା ଚିପ୍ପାଗିରି ମଣ୍ଡଳର ଗୁମ୍ମନୁର ଗାଁରେ ଟିଡିପି ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ଘଟିଛି।

ଉଭୟ ପାର୍ଟିର ସମର୍ଥକ ପରସ୍ପରକୁ ଟେକାପଥର ଓ ଲାଠିରେ ଆକ୍ରମଣ କରିଛନ୍ତି। ଏପରି ଘଟଣା ସେତେବେଳେ ଘଟିଲା ଯେତେବେଳେ ବିଜେପି ନେତା ଗୁମ୍ମନୁର ନାରାୟଣ ପୋଲିଂ ବୁଥରେ ପଶୁଥିବା ୱାଇଏସଆରସିପିର ଜଣେ ପୋଲିଂ ଏଜେଣ୍ଟଙ୍କ ସହ ଉଚ୍ଚବାଚ୍ଚ କରିଥିଲେ। ଦୁଇଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଓ ଏହାକୁ ନେଇ ମତଦାନ କେନ୍ଦ୍ର ବାହାରେ ଟିଡିପି ଓ ବିଜେପି କାର୍ଯ୍ୟକର୍ତ୍ତା ମୁହାଁ ମୁହିଁ ହୋଇଥିଲେ। ଏହି ଗଣ୍ଡଗୋଳରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଛନ୍ତି।

ନିର୍ବାଚନ ଶେଷ ବେଳକୁ ଅପରାହ୍ନ ୫ଟା ସୁଦ୍ଧା ଯେଉଁ ମତଦାତା ଧାଡିରେ ଛିଡା ହୋଇଥିଲେ ସେମାନଙ୍କ ମତଦାନ ଲାଗି ସୁବିଧା କରାଯାଇଥିଲା। ମତଦାନ ନିମନ୍ତେ ସକାଳ ୭ଟାରୁ ଭୋଟ ଗ୍ରହଣ ହୋଇଥିଲା ଓ ଲୋକେ ବେଶ୍ ଉତ୍ସାହର ସହ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁସାରେ ସାରା ରାଜ୍ୟର ୫୮୨ ଜେଡପିଟିସି ଓ ୭,୭୬୭ ମଣ୍ଡଳ ପରିଷଦ ନିମନ୍ତେ ଭୋଟ ଗ୍ରହଣ ହୋଇଛି। ଏଥିରେ ଜେଡପିଟିସି ଲାଗି ୨,୧୬୯ ଜଣ ଓ ଏମପିଟିସି ଲାଗି ୧୮,୮୪୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରିଛନ୍ତି।

ରାଜ୍ୟରେ ମୋଟ ୬୫୯ ଜେଡପିଟିସି ଓ ୯,୮୨୧ ଏମପିଟିସି ଆସନ ରହିଛି। ଏଥିରୁ ୭୭ ଜେଡପିଟିସି ଓ ୨,୦୫୧ ଏମପିଟିସି ଆସନରେ ପ୍ରାର୍ଥୀ ନିର୍ବିରୋଧ ବିଜୟୀ ହୋଇଛନ୍ତି। ବାକି ୫୮୨ ଜେଡପିଟିସି ଓ ୭,୭୬୭ ଏମପିଟିସି ଆସନ ଲାଗି ୨୧,୦୧୨ ଜଣ ପ୍ରାର୍ଥୀ ନିର୍ବାଚନ ଲଢିଛନ୍ତି। ଏହି ନିର୍ବାଚନର ଭୋଟ ଗଣନା ନଭେମ୍ବର ୭ ତାରିଖରେ ହେବ ଓ ସେହି ଦିନ ଫଳାଫଳ ଘୋଷଣା ହେବ।