ଭୁବନେଶ୍ୱର: କାର୍ତ୍ତିକ ମାସ ସରିବାର ପରବର୍ତ୍ତୀ ଦିନ ଛାଡ଼ଖାଇ। ଏହାକୁ ନେଇ ଆମିଷ ବଜାରରେ ଲାଗି ରହିଛି ଆମିଷପ୍ରେମୀଙ୍କ ଗହଳି ଚହଳି। ମାଛ, ମାଂସ ଓ ଅନ୍ୟାନ୍ୟ ଆମିଷ ଖାଦ୍ୟର ଚାହିଦା ବି ବଢ଼ି ଚାଲିଛି। ତେବେ ଓଡ଼ିଶାବାସୀ ବର୍ଷକୁ କେତେ ପରିମାଣର ମାଛ ଓ ମାଂସ ଖାଉଛନ୍ତି ? ରାଜ୍ୟରେ କେତେ ପରିମାଣର ମାଂସ ଉତ୍ପାଦନ ହେଉଛି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେ ବିଧାନସଭାରେ ମିଳିଛି। ଆମିଷ ଖାଦ୍ୟର ଉତ୍ପାଦନ ଓ ଚାହିଦାକୁ ନେଇ ଗୃହରେ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁସାରେ, ଓଡ଼ିଶାରେ ପ୍ରତିବର୍ଷ ୧୨୨.୩୬ ହଜାର ମେଟ୍ରିକ ଟନ୍ ମଟନ୍ ଖାଉଛନ୍ତି ଲୋକେ। ସେହିପରି ରାଜ୍ୟରେ ମାଛର ଚାହିଦା ମଧ୍ୟ ବେଶ୍ ଅଧିକ ରହିଛି। ବର୍ଷକୁ ପ୍ରାୟ ୯ ଲକ୍ଷ ୪୬ ହଜାର ମେଟ୍ରିକ ଟନ୍ ମାଛ ଖାଉଛନ୍ତି ଓଡ଼ିଶାବାସୀ। 

Also Read: ପାରାଦୀପ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଲୋକଙ୍କୁ ମିଳୁନି ନିଯୁକ୍ତି ! ବିଧାନସଭାରେ ନିଜ ସରକାରଠୁ ହିସାବ ମାଗିଲେ ବିଜେପି ବିଧାୟକ

ଅନ୍ୟପଟେ କୁକୁଡ଼ା ମାଂସ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ରାଜ୍ୟର ସ୍ଥିତି ସମ୍ପର୍କରେ ତଥ୍ୟ ରଖାଯାଇଛି। ଓଡ଼ିଶାରେ ବର୍ଷକୁ ୧୬୪ ହଜାର ମେଟ୍ରିକ ଟନ୍ କୁକୁଡ଼ା ମାଂସ ଉତ୍ପାଦନ ହେଉଛି। ସେହିପରି ରାଜ୍ୟରେ ବାର୍ଷିକ ୪୧ ହଜାର ୯୩ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ନିଜର ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ଯୋଗାଣ ମନ୍ତ୍ରୀ।

ଛେଳି ପାଳନକୁ ନେଇ ମଧ୍ୟ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ ପ୍ରାୟ ୬୩ ଲକ୍ଷ ୯୪ ହଜାର ଛେଳି ପାଳନ କରାଯାଉଛି। ଏଥିସହ ଅନ୍ୟ ରାଜ୍ୟରୁ ଛେଳି ଆମଦାନୀ କରାଯାଉନଥିବା ମନ୍ତ୍ରୀ ଗୃହକୁ ଜଣାଇଛନ୍ତି। ଛାଡ଼ଖାଇ ସମୟରେ ବଜାରରେ ମାଛ ଓ ମାଂସର ଚାହିଦା ବଢ଼ୁଥିବା ବେଳେ ବିଧାନସଭାରେ ଆସିଥିବା ଏହି ତଥ୍ୟ ରାଜ୍ୟର ଆମିଷ ଖାଦ୍ୟ ଉପଭୋଗ ଓ ଉତ୍ପାଦନର ଚିତ୍ର ସାମ୍ନାକୁ ଆଣିଛି।