ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲି ଶତକ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ବିଶେଷ କରି ଟିମ୍ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ଜବାବ ଦେଇଛନ୍ତି କୋହଲି । ଏହା ପରେ ପୁଣି ଥରେ ଦୁଇ ଜଣଙ୍କ ମଧ୍ୟରେ ସଂପର୍କରେ ତକ୍ତତା ଆସିଥିବା କୁହାଯାଉଛି । ପ୍ରଥମ ଦିନିକିଆରେ ବ୍ୟାଟିଂ ସାରି ପାଭିଲିୟନ୍ ଫେରିବା ପରେ ଗମ୍ଭୀରଙ୍କ ଆଡ଼କୁ କୋହଲି ଦେଖିନଥିଲେ । ଏବେ ରାଞ୍ଚିରୁ ରାଇପୁର ଯିବା ସମୟରେ ଗମ୍ଭୀରଙ୍କ ସହ କୋହଲି କଥା ହୋଇ ନାହାନ୍ତି । କିନ୍ତୁ କୋହଲି ସିଲେକ୍ଟର ପ୍ରଜ୍ଞାନ ଓଝାଙ୍କ ସହ ଗରୁତ୍ବପୂର୍ଣ୍ଣ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ସେପଟେ ରୋହିତ ଶର୍ମା ନିଜ ବନ୍ଧୁ ପ୍ରଜ୍ଞାନ ଓଝା ଏବଂ ହେଡ କୋଚ୍ ଗମ୍ଭୀରଙ୍କ ସହ ହସି ହସି କଥା ହେଉଥିବା ନେଇ ଭାଇରାଲ୍ ଭିଡିଓରେ ଦେଖାଯାଇଛି ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପାଇଁ ବିରାଟ କୋହଲି ରାଞ୍ଚିରୁ ରାୟପୁର ଯାତ୍ରା କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ବିରାଟ କୋହଲି ବିମାନ ବନ୍ଦରରେ ବିସିସିଆଇ ଚୟନକର୍ତ୍ତା ପ୍ରଜ୍ଞାନ ଓଝାଙ୍କ ସହ କଥା ହେଉଥିବାର ଦେଖାଯାଉଛି। ଏହି ଭିଡିଓ ଭାଇରାଲ ହେଉଛି, କାରଣ ବିରାଟ ଏବଂ ରୋହିତ ଶର୍ମା ବିଜୟ ହଜାରେ ଟ୍ରଫିରେ ଖେଳିବା ନେଇ ଚର୍ଚ୍ଚା ହେଉଛି। ଉଭୟ ଅଭିଜ୍ଞ ଖେଳାଳି ୨୦୨୭ ବିଶ୍ୱକପରେ ଖେଳିବାକୁ ଚାହୁଁଛନ୍ତି । କିନ୍ତୁ ଅନେକ ରିପୋର୍ଟରୁ ଜଣାପଡିଛି ଯେ, ସେମାନେ ବିଶ୍ବକପ ଟିମରେ ରହିବେ ବୋଲି ସେମାନଙ୍କୁ ଏପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ଦିଆଯାଇ ନାହିଁ ।

 

ବିରାଟ କୋହଲି ଏବଂ ଚୟନକର୍ତ୍ତା ପ୍ରଜ୍ଞାନ ଓଝା ଗମ୍ଭୀରଙ୍କ ସହ କଥାବାର୍ତ୍ତା କରୁଥିବାର ଦେଖାଯାଉଛି । ସେହି ସମୟରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ୪-୫ଟି ସିଟ୍ ଦୂରରେ ବସିଛନ୍ତି । ଅନ୍ୟ ଏକ ଭିଡିଓରେ ପ୍ରଜ୍ଞାନ ଗମ୍ଭୀରଙ୍କ ସହ ବସିଥିବା ଦେଖାଯାଉଛି, କିନ୍ତୁ କୋହଲି ତାଙ୍କଠାରୁ ଦୂରରେ ବସିଛନ୍ତି। ଏହି ସମୟରେ ରୋହିତ ଶର୍ମା, ପ୍ରଜ୍ଞାନ ଏବଂ ଗମ୍ଭୀରଙ୍କ ସହ ହସି ହସି କଥା ହେଉଛନ୍ତି । ସେପଟେ ରାଞ୍ଚି ଦିନିକିଆ ପୂର୍ବରୁ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ନେଟ୍ସ ସମୟରେ ବିରାଟ କୋହଲିଙ୍କ ସହ କଥା ହୋଇନଥିଲେ ବୋଲି ଖବର ଆସିଛି। ଏହାରି ମଧ୍ୟରେ ଏହି ଭିଡିଓ ଭାରତୀୟ ଦଳରେ କିଛି ଭଲ ଚାଲିନଥିବା ଦର୍ଶାଉଛି ।

 

ବିଶ୍ବକପ ୨୦୨୭ରେ ଖେଳିବାକୁ ଇଚ୍ଛା ରଖିଥିବା ବିରାଟ କୋହଲି ଏବଂ ରୋହିତ ଶର୍ମା ଲାଗାତାର ଭଲ ପ୍ରଦର୍ଶନ କରୁଛନ୍ତି । ଓଡିଆଇରେ ଲଗାତାର ଦୁଇଟି ଶତକୀୟ ଭାଗୀଦାରି କରିଛନ୍ତି ଦୁଇ ଭେଟରାନ । ରାଞ୍ଚି ପୂର୍ବରୁ, ସେମାନେ ଅଷ୍ଟ୍ରେଲିଆରେ ତୃତୀୟ ODIରେ ଏକ ଶତକୀୟ ଭାଗୀଦାରି କରିଥିଲେ। ରୋହିତ ଶତକ ହାସଲ କରିଥିଲେ ଏବଂ ବିରାଟ ୭୪ ରନ୍ କରି ଅପରାଜିତ ରହିଥିଲେ। ରାଞ୍ଚିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଓଡିଆଇରେ ସେମାନେ ଦ୍ୱିତୀୟ ୱିକେଟ ପାଇଁ ଏକ ଶତକୀୟ ଭାଗୀଦାରି ମଧ୍ୟ କରିଥିଲେ । ଏହି ମ୍ୟାଚ୍ରେ ବିରାଟ କୋହଲି ୧୩୫ ଏବଂ ରୋହିତ ୫୭ ରନ କରିଥିଲେ। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୩୪୯ ରନର ବିଶାଳ ସ୍କୋର କରିଥିଲା। ପ୍ରଥମ ଦିନିକିଆକୁ ୧୭ ରନରେ ଜିତିବା ପରେ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଦ୍ୱିତୀୟ ଦିନିକିଆ ବୁଧବାର ରାୟପୁରରେ ଖେଳାଯିବ।