ନୂଆଦିଲ୍ଲୀ, ୨୮। ୦୭ : ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି । ଉଭୟ ୨୦୨୭ ବିଶ୍ୱକପ୍ ଖେଳିବେ ନା ନାହିଁ ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ । ରୋ-କୋ କେବଳ ଦିନିକିଆ ଫର୍ମାଟ ଖେଳୁଛନ୍ତି । ଉଭୟ ପୂର୍ବରୁ ବିଶ୍ୱକପ୍ ପାଇଁ ପ୍ରସ୍ତୁତି କରୁଥିବା କହି ସାରିଛନ୍ତି । କିନ୍ତୁ ବିସିସିଆଇ, ସିଲେକ୍ଟର ଏବଂ କୋଚଙ୍କ ମନ୍ତବ୍ୟ ଅନେକ ସସପେନ୍ସ ଆଣୁଛି । ଏହାମଧ୍ୟରେ ପୂର୍ବତନ ଓ୍ୱିକେଟ୍ କିପର ଦୀପ୍ ଦାସଗୁପ୍ତା ରୋ-କୋଙ୍କୁ ସତର୍କ କରାଇଛନ୍ତି ।

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବିରାଟ କୋହଲି ଦୁଇଟି ଅର୍ଧଶତକ ହାସଲ କରିଥିଲେ । ସେହିପରି ରୋହିତ ଶର୍ମା ପ୍ରଥମ ଦୁଇଟି ମ୍ୟାଚରେ ବିଫଳ ହୋଇଥିଲେ ବି ଶେଷ ମୁକାବିଲାରେ ଲର୍ଡସରେ ଶତକ ଲଗାଇଥିଲେ । ଏହାକୁ ନେଇ ଦୀପ୍ ଦାସଗୁପ୍ତା କହିଛନ୍ତି ଯେ, ଉଭୟ ରୋକୋ ସିରିଜ୍ ଆରମ୍ଭରୁ ଭଲ ଖେଳିବା ଦରକାର । ଫର୍ମକୁ ଆସିବା ପାଇଁ ଗୋଟିଏ ବା ଦୁଇଟି ମ୍ୟାଚ୍ ଖେଳିବା ଦରକାର ନାହିଁ । ଏହି ସମୟରେ ସପୋର୍ଟ ଷ୍ଟାଫ୍ ଉଭୟଙ୍କ ସହ କଥା ହେଉଥିବେ । କିପରି ଭଲ ଫର୍ମକୁ ସେମାନେ ଫେରିବେ ସେନେଇ ପରାମର୍ଶ ଦେଉଥିବେ ।

ସେ ଆହୁରି କହିଛନ୍ତି ଯେ, ଆଜିର ସମୟରେ ରୋକୋଙ୍କୁ ଦଳରେ ସ୍ଥାନ ମିଳିବା ଏବଂ ନମିଳିବା ନେଇ ଆଲୋଚନା ହେବା ଦରକାର ନାହିଁ । ୪ ବର୍ଷ ତଳେ ସେମାନେ ସବୁ ସିରିଜରେ ଖେଳୁଥିଲେ । ସେମାନେ ନିଜ ଖେଳ ପାଇଁ ଦଳରେ ରହିଛନ୍ତି । ଆଗକୁ ମଧ୍ୟ ଉଭୟ ନିଜର ଭଲ ଫର୍ମ ପାଇଁ ଦଳରେ ସ୍ଥାନ ପକ୍କା କରିପାରିବେ ।

Also Read :- Flood : ଆସାମ ବନ୍ୟାରେ ଗଲାଣି ୬୮ ଜୀବନ; ହିମାଚଳରେ ୧୦୮ ରାସ୍ତା ବନ୍ଦ; ଉତ୍ତରାଖଣ୍ଡର ୮ ଜିଲ୍ଲାରେ ଅରେଞ୍ଜ ଆଲର୍ଟ

ସେ ଆହୁରି କହିଛନ୍ତି ଯେ, ଉଭୟ କେବଳ ଗୋଟିଏ ଫର୍ମାଟ ଖେଳୁଥିବାରୁ ଅବସର ଚର୍ଚ୍ଚା ହେଉଛି । ତିନୋଟି ଫର୍ମାଟ ଖେଳୁଥିଲେ ଗୋଟିଏରେ ଫେଲ୍ ହେଲେ ଅନ୍ୟ ଦୁଇଟିରେ ପ୍ରଦର୍ଶନ ଭଲ ରହିଥାଏ । ତେଣୁ ରୋ-କୋଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ୍ ରହିଛି । ତେବେ ଦଳ ତାଙ୍କ ସହ ତିନି ବର୍ଷ ତଳେ ଯେପରି କଥାବାର୍ତ୍ତା କରୁଥିବ ସେପରି ଆଲୋଚନା କରିବା ଦରକାର ବୋଲି ଦୀପ୍ କହିଛନ୍ତି ।