ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଲୋକପ୍ରିୟ ବ୍ୟାଟର ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ। ହେଲେ ଏଥର ଏହି ପାଓ୍ବାର କପଲଙ୍କ ନୂଆ ଘରକୁ ନେଇ। ପ୍ରକୃତରେ ଏହି ଦମ୍ପତି ମୁମ୍ବାଇର ବର୍ସୋଭାରେ ୧୮. ୨୯ କୋଟି ଟଙ୍କାରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି।

ରିପୋର୍ଟ ଅନୁସାରେ, ଏହି ଆପାର୍ଟମେଣ୍ଟ ଅନ୍ଧେରୀ ଓ୍ବେଷ୍ଟ ସ୍ଥିତ ପ୍ରିମିୟମ ପ୍ରୋଜେକ୍ଟ ଗଡରେଜ ସ୍କାଈଶୋରର ଉପର ମହଲାରେ ଅଛି। ଏହି ଷ୍ଟାର କପଲ ଗତ କିଛି ବର୍ଷରୁ ନିଜର ଦୁଇ ସନ୍ତାନଙ୍କୁ ମିଡିଆ ଠାରୁ ଦୂରେଇ ରଖିବା ପାଇଁ ଲଣ୍ଡନରେ ରହୁଛନ୍ତି। କିନ୍ତୁ ଏହି ଡିଲ୍ ପରେ ଅନୁମାନ କରାଯାଉଛି ଯେ, ସେମାନେ ହୁଏତ ଭାରତ ଫେରିବାକୁ ଯୋଜନା କରୁଛନ୍ତି।

କାହିଁକି ବିଶେଷ ବିରୁଷ୍କାଙ୍କ ନୂଆ ଘର ?

ବିରାଟ- ଅନୁଷ୍କାଙ୍କ ଏହି ଫ୍ଲାଟ୍ ୨,୬୪୪ ବର୍ଗଫୁଟର ବିଶାଳ କାରପେଟ୍ ଏରିଆରେ ପରିବ୍ୟାପ୍ତ। ଏହି ଆପାର୍ଟମେଣ୍ଟ ସହ ୩୧୬ ବର୍ଗଫୁଟର ସ୍ବତନ୍ତ୍ର ସ୍ଥାନ ଏବଂ ତିନିଟି କାର୍ ପାର୍କିଂ ସ୍ପେସ ମଧ୍ୟ ରହିଛି। ସେହିଭଳି ଏହି ସମ୍ପତିର ଆନୁଷ୍ଠାନିକ ପଞ୍ଜିକରଣ ଜୁଲାଇ ୨୧ରେ ହୋଇଛି। ଆଉ ଏଥିପାଇଁ ବିରୁଷ୍କାଙ୍କୁ ୧.୦୯ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଏବଂ ୩୦ ହଜାର ଟଙ୍କାର ରେଜିଷ୍ଟ୍ରେସନ ଫି ଦେବାକୁ ପଡ଼ିଛି।

Also Read: Indian Idol- 16: ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ବିଜୟୀ

ବର୍ସୋଭା​‌ରେ ଏହି ନୂଆ ସମ୍ପତ୍ତି କିଣିବା ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଚର୍ଚ୍ଚା ହେଉଛି ଯେ, ବିରୁଷ୍କା ପୁଣି ଭାରତ ସିଫ୍ଟ ହେବାକୁ ଯାଉଛନ୍ତି । ଅବଶ୍ୟ ଏହି ପ୍ରସଙ୍ଗରେ ଏପର୍ଯ୍ୟନ୍ତ ବିରୁଷ୍କାଙ୍କ ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ। ଅବଶ୍ୟ ମୁମ୍ବାଇରେ ଏହା ତାଙ୍କର ପ୍ରଥମ ଘର ନୁହେଁ। ଏହା ପୂର୍ବରୁ ମଧ୍ୟ ଏହି ଦମ୍ପତି ବର୍ଲୀ ଅଞ୍ଚଳରେ ଏକ ଆପାର୍ଟମେଣ୍ଟ୍ ରହିଛି।