କୋଲକାତା: ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ କାଳରେ ଗୁରୁବାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଏଥିରେ କେତେକ ସ୍ଥାନରେ ଲୋକେ ବିଧାୟକଙ୍କୁ ଘେରିଥିବା ବେଳେ ଅନେକ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏପରି ହିଂସା ମଧ୍ୟରେ ଲୋକେ ଘରୁ ବାହାରକୁ ବାହାରି ମତଦାନ କରିଛନ୍ତି। ଏହି କ୍ରମରେ କେଶପୁରରେ ଜଣେ ମହିଳା ଭୋଟ ଦେଇ ଆସିବା ପରେ ପ୍ରାଣ ହରାଇଛନ୍ତି। ତେବେ ଆସନ୍ତୁ ଜାଣିବା ମତଦାନ କାଳରେ କେଉଁଠି ଘଟିଛି କ’ଣ?

ଆସାନସୋଲରେ ବିଜେପି ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣ
ଗୁରୁବାର ରାଜ୍ୟରେ ପ୍ରଥମପର୍ୟ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଥିବା ବେଳେ ଆସାନସୋଲରେ ବିଜେପି ବିଧାୟକ ଅଗ୍ନିମିତ୍ର ପାଲଙ୍କ ଗାଡ଼ି ଉପରେ କିଛି ଅଜ୍ଞାତ ଲୋକେ ଟେକାପଥର ମାଡ଼ କରିଛନ୍ତି। ଫଳରେ ବିଧାୟକଙ୍କ କାରର କାଚ ଭାଙ୍ଗି ଯାଇଛି। ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ବିଧାୟକ ପୋଲିଂ ବୁଥକୁ ଯାଇ ମତଦାନ ନିରୀକ୍ଷଣ କରୁଥିଲେ। ତେବେ ଲୋକଙ୍କ ଟେକାପଥର ମାଡ଼ରେ ବିଧାୟକ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ହେଲେ ତାଙ୍କ ସହ ଥିବା ଲୋକେ ଅଳ୍ପ ବହୁତେ ଆହତ ହୋଇଛନ୍ତି।

କେଶପୁରରେ ମହିଳାଙ୍କ ମୃତ୍ୟୁ
କେଶପୁରରେ ଜନୈକା ୫୫ ବର୍ଷ ବୟଷ୍କା ମହିଳା ଭୋଟ ଦେବା ପରେ ଅଚାନକ ପ୍ରାଣ ହରାଇଛନ୍ତି। ତାଙ୍କ ସ୍ୱାମୀ କହିଛନ୍ତି ଯେ ତାଙ୍କ ପରିବାରରେ କେବଳ ମହିଳାଙ୍କ ନାମ ଭୋଟର ଲିଷ୍ଟରେ ଥିଲା। ଏଣୁ ସେ ଭୋଟ ଦେବାକୁ ଆସିଥିଲେ। ଦୀର୍ଘ ସମୟ ଖରାରେ ଭୋଟ ଦେବା ପାଇଁ ଅପେକ୍ଷା କରିବା ପରେ ତାଙ୍କ ପାଳି ପଡିଥିଲା। ଭୋଟ ଦେଇ ଆସିବା ପରେ ସେ ଗାଡିରେ ବସିଥିଲେ ଓ ସେହିଠାରେ ଟଳିପଡିଥିଲେ।

ହୁମାୟୁନ କବିର ଓ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଝଗଡ଼ା
ମୁର୍ଶିଦାବାଦର ନୌଦାରେ ହୁମାୟୁନ କବିର ଓ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଝଗଡ଼ା ହୋଇଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡିଥିଲା। ଏହି ସମୟରେ କିଛି ଲୋକେ ଠେଙ୍ଗାବାଡି ଓ ଟେକା ପଥର ଧରି ହୁମୟୁନ କବିରଙ୍କ ଗାଡ଼ିକୁ ଘେରି ଯାଇଥିଲେ। ତେବେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରି ଲୋକଙ୍କ ଗହଳିରୁ ନେତାଙ୍କୁ କାଢି ଥିଲା।

ଟିଏମସି ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା
ମାଲଦାରେ ଟିଏମସି ଦୁଇ ଗୋଷ୍ଠୀ ପରସ୍ପର ସହ ଲଢି ଯାଇଛନ୍ତି। ପରିସ୍ଥିତି ଏତେମାତ୍ରାରେ ବିଗିଡି ଯାଇଥିଲା ଯେ ନିର୍ବାଚନ କ୍ୟାମ୍ପ କୁ ଉପାଡି ଫୋପାଡି ଦେଇଥିଲେ। ଟିଏମସି ନେତା ସ୍ୱପନ ଅଲୀ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ ତାଜମୂଲ ହୁସେନନିଜ ପାର୍ଟି ବିରୋଧରେ କାମ କରୁଛନ୍ତି ଓ କଂଗ୍ରେସକୁ ସମର୍ଥନ କରୁଛନ୍ତି। ଅଲି କହିଛନ୍ତି ଯେ ତାଙ୍କ ଇସାରାରେ ଟିଏମସି କ୍ୟାମ୍ପ ଉପରେ ଆକ୍ରମଣ ହୋଇଛି।

ମାଲଦାରେ ଇଭିଏମରେ ଦେଖାଗଲା ତ୍ରୁଟି
ମାଲଦାର ଏକ ଭୋଟଗ୍ରହଣ କେନ୍ଦ୍ରରେ ଇଭିଏମ ଅଚଳ ହୋଇଯାଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ଲୋକେ ହଟ୍ଟଗୋଳ କରିଥିଲେ। ଇଭିଏମ ସଜାଡିବା ପାଇଁ ଅଧିକାରୀଙ୍କ ଆସିବା ବିଳମ୍ବ ହେବା ଯୋଗୁ ଭୋଟର ତାଙ୍କୁ ଘେରି ଯାଇଥିଲେ। ତେବେ ପରେ ଇଭିଏମ ସଜଡା ଯାଇ ମତଦାନ ସ୍ୱଭାବିକ ହୋଇଥିଲା।

ପରସ୍ପର ସହ ଧସ୍ତାଧସ୍ତି ହେଲେ ବିଜେପି ଓ ଟିଏମସି କାର୍ଯ୍ୟକର୍ତ୍ତା
ଶିଲିଗୁଡିର ଏକ ମତଦାନ କେନ୍ଦ୍ରରେ ବିଜେପି ଓ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏହା କ୍ରମେ ଧସ୍ତାଧସ୍ତିର ରୂପ ନେଇଥିଲା। ତେବେ ସେଠାରେ ଉପସ୍ଥିତ ସୁରକ୍ଷା ବଳ ତୁରନ୍ତ ପରିସ୍ଥିତିକୁ ଆୟତ୍ତ କରିଥିଲେ ଓ ମତଦାନ ସ୍ୱଭାବିକ ଅନୁଷ୍ଠିତ ହୋଇଛି।

ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ସରକାରଙ୍କ ଉପରେ ଆକ୍ରମଣ
ଦକ୍ଷିଣ ଦିନାଜପୁରରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ସରକାରଙ୍କ ଉପରେ କିଛି ଲୋକ ଲାଠିରେ ଆକ୍ରମଣ କରିଛନ୍ତି। ଲୋକେ ବିଧାୟକ ପ୍ରାର୍ଥୀଙ୍କୁ ତଳେ ପକାଇ କୁଦି ଦେଇଥିଲେ। ପୋଲିସ ସମ୍ମୁଖରେ ଏହି ଘଟଣା ଘଟୁଥିଲେ ହେଁ ପ୍ରାର୍ଥୀଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲା ବୋଲି ଶୁଭେନ୍ଦୁ ସରକାର ଅଭିଯୋଗ କରିଛନ୍ତି।