ବୌଦ୍ଧ ୧୮।୦୩ : ମାରଡ଼ା ଗ୍ରାମବାସୀଙ୍କ ବଡ଼ ସର୍ତ୍ତ । ବିସ୍ଥାପତ ହେବା ପାଇଁ ସରକାରଙ୍କ ଆଗରେ ବଡ଼ ସର୍ତ୍ତ ରଖିଛନ୍ତି ୩୫ ପରିବାର। ଘଞ୍ଚ ଜଙ୍ଗଲ ମଧ୍ୟରୁ ସ୍ଥାନାନ୍ତରିତ ହେବୁ, କିନ୍ତୁ ଏହି ବାବଦକୁ ଆମକୁ ୪୦ ଲକ୍ଷ ଟଙ୍କାର ସହାୟତା, ଚାଷ ଜମି ଏବଂ ମୌଳିକ ସୁବିଧା ଦେବାକୁ ପଡ଼ିବ। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରୁ ଆସିଛି ଏପରି ଏକ ଘଟଣା। ଆସନ୍ତୁ ପୁରା ଘଟଣା ସଂପର୍କରେ ପଢିବା... ଆଉ ଜାଣିବା ।

ନୟାଗଡ଼ ଜିଲ୍ଲାର ସୀମାନ୍ତ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଶେଷ ମୁଣ୍ଡର ଏକ ଛୋଟ ଗାଁ ରହିଛି ମାରଡ଼ା । କୁସଙ୍ଗ ରେଞ୍ଜ ଅଧିନରେ ଥିବା ଏହି ଗାଁଟି ବନ୍ୟପ୍ରାଣୀ ଅଞ୍ଚଳରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଘଞ୍ଚ ଜଙ୍ଗଲ ମଧ୍ୟ ଅବସ୍ଥିତ। ବର୍ଷ ବର୍ଷ ଧରି ଏଠାରେ ବସବାସ କରୁଥିବା ୩୫ଟି ଆଦିମ ଅଧିବାସୀ ପରିବାର ଆଜିବି ବିକାଶଠୁ ଦୂରରେ ଅଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସବୁଥିଲେ ଏମାନେ ଅବହେଳିତ । ସାମାନ୍ୟ ବର୍ଷା ହେଲେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏଁ ଏହି ଗାଁ । ଜଙ୍ଗଲରେ ବନ୍ୟଜନ୍ତୁର ବିଭିନ୍ନ ପ୍ରକଳ୍ପ ନେଇ ବନ୍ୟପ୍ରାଣୀ ଆଇନ ଅନୁଯାୟୀ, ଗାଁକୁ ଅନ୍ୟକୁ ସ୍ଥାନାନ୍ତର କରାଯିବ । ଯେଉଁଥି ଲାଗି ବନବିଭାଗ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଏପିରିକି ଗାଁରେ ଏକ ପଲ୍ଲୀ ସଭା ମଧ୍ୟ ଆୟୋଜନ କରାଯାଇଥିଲା । ଯେଉଁଥିରେ ଗ୍ରାମବାସୀମାନେ ଗାଁ ଛାଡ଼ି ଯିବାକୁ ମନା କରିଥିଲେ । ୩୫ ଟି ଆଦିବାସୀ ପରିବାରର ୨ ଶହରୁ ଅଧିକ ଗ୍ରାମବାସୀ ବିସ୍ଥାପିତ ହେବାକୁ ନାରାଜ ହୋଇଛନ୍ତି । ଗ୍ରାମବାସୀମାନେ ଯଦି ବିସ୍ଥାପିତ ହୁଏନ୍ତି, ତେବେ ପରିବାର ପିଛା ୪୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଘରଡିହ ପଟ୍ଟା ସହ ଚାଷ ଜମି, ନୂତନ ସ୍ଥାନରେ ସ୍କୁଲ, ପାନୀୟ ଜଳ, ବିଦ୍ୟୁତ ଓ ପୋଖରୀର ସୁବିଧା, କୋଠା ଘର ନିର୍ମାଣ କରିବାକୁ ଦାବି ରଖିଛନ୍ତି ।

ରେଞ୍ଜ ଅଧିକାରୀ ସଂସାର ବର୍ଗିଆଙ୍କ ଅଧ୍ୟକ୍ଷତାରେ ବସିଥିଲା ପଲ୍ଲୀସଭା । ଯେଉଁଥିରେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ରାଜସ୍ୱ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ବିସ୍ଥାପନ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ତେବେ ଗ୍ରାମବାସୀଙ୍କ ବିସ୍ଥାପନ ନେଇ ରଖାଯାଇଥିବା ଦାବିଗୁଡ଼ିକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ । ପରେ ଏହି ରିପୋର୍ଟକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ ବୋଲି ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି।

Also Read:- ୨ ପିଲାର ମାଆ ହେବା ପରେ ଏବେ ଘର ସମ୍ଭାଳୁଛନ୍ତି ଦୟା ବେନ୍, ଅଭିନେତ୍ରୀଙ୍କ ଟ୍ରାନ୍ସଫର୍ମେସନ ଫଟୋ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ